ବେଙ୍ଗାଲୁରୁ: ରବିବାର ରାତିରେ ‘ବିଜେପି’ର ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ବେଙ୍ଗାଲୁରୁର ‘ଗରୁଡ଼ ମଲ୍’ରେ ‘ଦି କେରଳ ଷ୍ଟୋରି’ର ବିଶେଷ ପ୍ରଦର୍ଶନ ଦେଖିବା ପରେ ଏହାକୁ ଗୋଟାଏ ଚମକପ୍ରଦ ଅନୁଭୂତି ଉଦ୍ରେକକାରୀ ଚଳଚ୍ଚିତ୍ର ବୋଲି କହିଛନ୍ତି।
ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ବେଳେ ନଡ୍ଡା କହିଛନ୍ତି, ଏଥିରେ ଅସ୍ତ୍ରଶସ୍ତ୍ର ନ ଥିବା ନୂତନ ଧରଣର ଆତଙ୍କବାଦ ରହିଛି। ‘ଦି କେରଳ ଷ୍ଟୋରି’ ବିଷାକ୍ତ ଆତଙ୍କବାଦକୁ ଉନ୍ମୁକ୍ତ କରୁଛି। ଏ ଧରଣର ଆତଙ୍କବାଦ କୌଣସି ରାଜ୍ୟ ବା ଧର୍ମ ସହିତ ସମ୍ପୃକ୍ତ ନୁହେଁ। ଏହା ଗୋଟାଏ ବୈଶ୍ବିକ କାହାଣୀ ଏବଂ ଅବଶ୍ୟ ଦେଖିବା ଭଳି ବିଷୟ।
ସେ ଆହୁରି ମଧ୍ୟ କହିଛନ୍ତି, ଆମ ସମାଜକୁ ଅନ୍ତଃସାରଶୂନ୍ୟ (ଫମ୍ପା) କରିବାକୁ କେଉଁ ପ୍ରକାରରର ଷଡ଼ଯନ୍ତ୍ର କରାଯାଉଛି, ଏହି ଚଳଚ୍ଚିତ୍ରଟି ଦେଖିବା ପରେ ଆମ ଲୋକେ ବୁଝିବାକୁ ସମର୍ଥ ହେବେ। ଏଥିପ୍ରତି ଆମେ ସତର୍କ ରହିବା ଉଚିତ।

ଆମର ଯେଉଁ ତରୁଣମାନଙ୍କୁ ବିଭ୍ରାନ୍ତ କରାଯାଇ ଆଉ ପୂର୍ବ ଅବସ୍ଥାକୁ ଫେରି ନ ଆସିବା ଭଳି ଅବସ୍ଥାରେ ଛାଡ଼ି ଦିଆଯାଉଛି, ସେମାନଙ୍କ ପାଇଁ ତଥା ସମାଜର ସମସ୍ତଙ୍କ ପାଇଁ ଏହି ଚଳଚ୍ଚିତ୍ରଟି ଚମକପ୍ରଦ ଅନୁଭୂତି ଓ ଉପଲବ୍ଧି ଉଦ୍ରେକକାରୀ ଅଟେ। ଆମେ ସମସ୍ତେ ଏହାକୁ ଦେଖିବା ଉଚିତ ବୋଲି ସେ କହିଛନ୍ତି।

କର୍ଣ୍ଣାଟକ ‘ବିଜେପି’ ୟୁନିଟ୍ର ସଭାପତି ନଳିନୀ କୁମାର କଟୀଲ୍, କେନ୍ଦ୍ର ମନ୍ତ୍ରୀ ଶୋଭା କାରନଦଲାଜେ, ରାଜୀବ ଚନ୍ଦ୍ରଶେଖର, ତାମିଲନାଡୁ ‘ବିଜେପି’ ସଭାପତି କେ. ଅନ୍ନାମଲାଇ ଏବଂ ଦକ୍ଷିଣ ବେଙ୍ଗାଲୁରୁ ସାଂସଦ ତେଜସ୍ବୀ ସୂର୍ଯ୍ୟାଙ୍କ ସହିତ ନଡ୍ଡା ଏହି ଚଳଚ୍ଚିତ୍ର ଦେଖିଥିଲେ।
ସୂଚନାଯୋଗ୍ୟ, ମେ ୧୦ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନରେ ନଡ୍ଡା କର୍ଣ୍ଣାଟକ ଗସ୍ତରେ ଥିଲେ।