ରାଜ୍ୟ

କୋଟିଆରେ ଜୟ ଜଗନ ନାରା: ୨୪ଟି ଯୋଜନାର ପ୍ରଚାରକଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ପଟାଙ୍ଗି: ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପି. ରାଜନ ଦୋରାଙ୍କ କୋଟିଆ ଗସ୍ତ ପୁଣିଥରେ ଚର୍ଚ୍ଚାରେ। ଗୋଟିଏପଟେ ଓଡ଼ିଶା ସରକାରଙ୍କ ସିଧାସଳଖ ସମାଲୋଚନା ନକରି ତାଙ୍କ ସରକାରଙ୍କ ଯୋଜନା ଏବଂ କୋଟିଆବାସୀଙ୍କ ପାଇଁ ଏହା କେତେଦୂର ସହାୟକ ହୋଇପାରିବ, ସେ ସମ୍ପର୍କରେ ଗୋଟିଗୋଟି କରି ବଖାଣିଥି‌ଲେ। ଅନ୍ୟପଟେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବାକୁ ବି ପଛାଇ ନଥିଲେ। ଯେନତେନ ପ୍ରକାରେଣ କୋଟିଆକୁ ଅକ୍ତିଆର କରିବା ପାଇଁ ଆନ୍ଧ୍ର ଯେ ଗୋଟିଏ ପରେ ଗୋଟିଏ ବାଟ ପରିଷ୍କାର କରିଚାଲିଛି, ଉପମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତରୁ ସ୍ପଷ୍ଟଭାବେ ଜଣାପଡ଼ିଛି।

ଗତକାଲି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦୋରାଙ୍କ ଫାଟୁସିନେରି, ସଲପଗୁଡ଼ା, କଣାଦୋରା ଏବଂ ଫଗୁଣସିନେରି ଗାଁରେ କାର୍ଯ୍ୟକ୍ରମ ରହିଥିଲା। ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଆନ୍ଧ୍ର ସରକାରଙ୍କ ୨୪ଟି ଯୋଜନାର ଜୋର୍‌ଦାର୍‌ ପ୍ରଚାର କରାଯାଇଥିଲା। ଏଥିସହିତ ‘ଜୟ ଜଗନ’ ନାରାରେ କୋଟିଆ ମାଟି ପ୍ରକମ୍ପିତ ହୋଇ ଉଠିଥିଲା। କିନ୍ତୁ, ଶ୍ରୀ ଦୋରାଙ୍କ ସ୍ବର ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେ କହିଥିଲେ, ‘ ଓଡ଼ିଶା ଏବଂ ଆନ୍ଧ୍ର ଦୁଇ ଭାଇ ସଦୃଶ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବାପା ତୁଲ୍ୟ। ତେଣୁ ତାଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ଚାହୁଛି।’ ଆହୁରି ମଧ୍ୟ କହିଥିଲେ ‌ଯେ ଏଠାକାର ଅନେକ ହିତାଧିକାରୀଙ୍କ ନିକଟରେ ଓଡ଼ିଶା ସରକାରଙ୍କ ଯୋଜନା ପହଞ୍ଚି ପାରୁନି। ତେବେ, ଆନ୍ଧ୍ର ସରକାରଙ୍କ ଯୋଜନାରୁ ଜଣେ ବି ‌ହିତାଧିକାରୀ ବଞ୍ଚିତ ହୋଇନାହାନ୍ତି। ତଥାପି ବହୁ ବିକାଶ ଆଖିଦୃଶିଆ ହୋଇପାରିନି। ଆଗକୁ ସେହି ଦିଗରେ ଧ୍ୟାନ ଦିଆଯିବ। ଏହି ଅବସରରେ ଆସନ୍ତା ଜାନୁଆରି ମାସରୁ ଆନ୍ଧ୍ର ସରକାରଙ୍କ ଭତ୍ତା ୨୭୫୦ଟଙ୍କାରୁ ୩ହଜାର ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଥିଲେ।

ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦୋରା ଓଡ଼ିଶା ସରକାରଙ୍କୁ ଆଦୌ ଟାର୍ଗେଟ୍‌ କରିନଥିବା ବେଳେ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଠିକ୍‌ ନୁହେଁ। ଜଣେ କେନ୍ଦ୍ରମନ୍ତ୍ରୀ ଭାବେ କୌଣସି ରାଜ୍ୟକୁ ସିଧାସଳଖ ଆକ୍ଷେପ କରିବା ଗ୍ରହଣୀୟ ନୁହେଁ। ଆହୁରି ମଧ୍ୟ କହିଥିଲେ ଯେ କୋଟିଆବାସୀ ମଧ୍ୟ ଓଡ଼ିଶା ପ୍ରଶାସନ କିମ୍ବା ରାଜନେତାଙ୍କୁ ଉଚିତ ବ୍ୟବହାର କରୁନାହାନ୍ତି। କିନ୍ତୁ, ଆନ୍ଧ୍ରରୁ କେହି ଆସିଲେ ଭବ୍ୟ ସ୍ବାଗତ ଜଣାଉଛନ୍ତି। ଏଥିରୁ କୋଟିଆବାସୀ କ’ଣ ଚାହୁଛନ୍ତି ସ୍ପଷ୍ଟ ହୋଇଯାଉଥିବା ସେ କହିଥିଲେ। ଏହି ଗସ୍ତ ସମୟରେ ପାର୍ବତୀପୁର ମାନ୍ୟମ ଜିଲ୍ଲା ଅନ୍ତର୍ଗତ ସାଲୁର ବିଡିଓ, ଲାଇବ୍ରେରି ଅଧ୍ୟକ୍ଷ, ସରପଞ୍ଚ ବେତ୍ରୁ ଗେମେଲ, ମଣ୍ଡଳ ପରିଷଦ ସଦସ୍ୟ ତଥା ସମିତି ସଭ୍ୟ ବିଶୁ ଗେମେଲ, ଡିଡିଓ ପ୍ରମୁଖ ଉପସ୍ଥିତ ଥିଲେ। ସିଆଇ ରୋହିଣୀ ପତିଙ୍କ ନେତୃତ୍ବରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କୋଟିଆରେ ନିୟୋଜିତ ଏଜେଣ୍ଟ ଏବଂ ଦଳୀୟ କର୍ମୀ ପୂର୍ବ ପ୍ରସ୍ତୁତି ଅନୁଯାୟୀ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।