ରାଜ୍ୟ

ମହାପ୍ରଭୁ ପଛ, ଅନ୍ୟମାନେ ଆଗ: କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ଥକୁନ୍ଥ, କାହା ଚାପରେ ସମସ୍ତେ ଚୁପ୍

ପୁରୀ: ତିନି ରଥ ସିଂହଦ୍ବାରରୁ ଗୁଣ୍ଡିଚାମନ୍ଦିର ଯାଏ ପହଞ୍ଚିବାକୁ ଦୁଇ ଦିନ ଲାଗିଗଲା। ପହଣ୍ଡି, ନୀତି ଓ ବନକଲାଗି ବିଶୃଙ୍ଖଳା ସୀମା ଟପିଗଲା। ହେରାପଞ୍ଚମୀ ପରଦିନ ଯାଇ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଗୁଣ୍ଡିଚା ମନ୍ଦିର ଯାତ୍ରା କଲେ। ଅଣସେବକମାନେ ରଥରେ ଚଢ଼ି ବିଶୃଙ୍ଖଳା କଲେ। ପହଣ୍ଡି ବେଳେ ମହାପ୍ରଭୁ ସ୍ବୟଂ ଚାରମାଳ ଉପରେ ପଡ଼ିଗଲେ। ଗତ ରଥଯାତ୍ରାର ବିଶୃଙ୍ଖଳାର ତାଲିକା ଏମିତି ଲମ୍ବୁଥିବ। ରଥଯାତ୍ରା ପୂର୍ବରୁ ମଧ୍ୟ ସ୍ନାନଯାତ୍ରା ଦିନ ସର୍ବସମ୍ମୁଖରେ ଦଇତାପତି-ପୂଜାପଣ୍ଡା ସେବକ ମୁହାଁମୁହିଁ ହୋଇଥିଲେ।

ପୂରା ବିଶ୍ବ ସାମ୍ନାରେ ବ୍ରହ୍ମାଣ୍ଡ ଠାକୁରଙ୍କ ପ୍ରତି ହୋଇଥିବା ଏଭଳି ଅସମ୍ମାନଙ୍କୁ କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ହଜମ କରିଦେଲା। ଶ୍ରୀମନ୍ଦିର ପରିଚାଳନା କମିଟି ନିରବ। କଥା କଥାକେ ମହାପ୍ରଭୁଙ୍କ କଥା କହୁଥିବା ରାଜ୍ୟ ସରକାର ମଧ୍ୟ ନିର୍ବିକାର ହୋଇ ବସିରହିଛନ୍ତି। ସତେ ଯେପରି ମହାପ୍ରଭୁଙ୍କ ଠାରୁ ବଡ଼ କୌଣସି ଅଦୃଶ୍ୟ ଚାପ ଆଗରେ ସମସ୍ତଙ୍କ ସ୍ବର ନିରବି ଯାଇଛି। କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ଏଯାଏ ରଥଯାତ୍ରା ସମୀକ୍ଷା ହେଲାନାହିଁ। କେଉଁମାନେ ମହାପ୍ରଭୁଙ୍କ ଯାତ୍ରାରେ ରଥଯାତ୍ରା ବ୍ୟବସ୍ଥାବଳୀକୁ ଦଳି ମକଚି ଦେଲେ, ସେମାନଙ୍କୁ ମଧ୍ୟ କେହି ଚିହ୍ନଟ କଲେ ନାହିଁ। ଇତିମଧ୍ୟରେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଆଇଏଏସ୍ ଅଫିସର ରଂଜନ କୁମାର ଦାସଙ୍କୁ ଶ୍ରୀମନ୍ଦିରରେ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଦାସ ରଥଯାତ୍ରା ବିଶୃଙ୍ଖଳା ପରେ ଗଣମାଧ୍ୟମକୁ କହିଥିଲେ, ରଥଯାତ୍ରା ସମୟରେ ବିଶୃଙ୍ଖଳା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେବେ ଗଜପତି ମହାରାଜା ବି ଏଭଳି ବିଶୃଙ୍ଖଳା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ପ୍ରତିବର୍ଷ ରଥଯାତ୍ରା ଶେଷ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସେ। ରଥଯାତ୍ରା ଆୟୋଜନ ଉପରେ ବିସ୍ତୃତ ସମୀକ୍ଷା ହୁଏ। ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଏ। କିନ୍ତୁ ଚଳିତବର୍ଷ ବୈଠକରେ ବହୁ ବିଳମ୍ବ ହେବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ସନ୍ଦେହ ଅଧିକ ଘନୀଭୂତ ହେଉଛି ଏଇଥିପାଇଁ ଯେ ରଥଯାତ୍ରା ପରେ ପରେ ଜୁଲାଇ ୨୭ ଓ ଅଗଷ୍ଟ ୧ ତାରିଖରେ ଏହାର ସମୀକ୍ଷା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଡକାଯାଇଥିଲା। କିନ୍ତୁ କୌଣସି କାରଣ ନ ଦର୍ଶାଇ ଏହାକୁ ବାତିଲ୍‌ କରି ଦିଆଗଲା। ଏବଂ ଅଗଷ୍ଟ ୪ ତାରିଖରେ ଯେଉଁ ବୈଠକ ବସିଲା ସତ, ସେଥିରେ ଏ ପ୍ରସଙ୍ଗକୁ ଗୁରୁତ୍ବ ମିଳିଲାନି କିମ୍ବା ବିଶୃଙ୍ଖଳାକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ନିଜେ ମୁଖ୍ୟ ପ୍ରଶାସକ ଉଠାଇଲେ ନାହିଁ। ଉଲ୍ଲେଖଥାଉକି, ରଥଯାତ୍ରାରେ ପ୍ରଥମ ଦିନରୁ ବିଶୃଙ୍ଖଳା ଦେଖା ଦେଇଥିଲା। ପହଣ୍ଡି ବେଳେ ଏତେ ସଂଖ୍ୟାରେ ସେବକ ଚାରମାଳ ଉପରେ ଥିଲେ ଯେ ଠାକୁର ଡାହାଣ ପାର୍ଶ୍ବକୁ ପଡ଼ି ଯାଇଥିଲେ ଓ ଅନେକ ସେବକ ଚାରମାଳ ଉପରୁ ତଳକୁ ଖସି ପଡ଼ିଥିଲେ। ଚଳିତବର୍ଷ କେବଳ ତାଳଧ୍ବଜ ରଥକୁ ଛାଡ଼ିଦେଲେ, ଅନ୍ୟ ଦୁଇ ରଥ ଅଧାବାଟରେ ଅଟକି ରହିଥିଲେ। ତିନି ରଥ ବାରମ୍ବାର ଡାହାଣ କଡ଼ ମାଡ଼ି ଚାଲିବାରୁ ଏଭଳି ବିଭ୍ରାଟ ଦେଖାଦେଲା ବୋଲି ଅଭିଯୋଗ ହେଲା।

ଅଭିଯୋଗ ଉଠିଥିଲା, ରଥ ଉପରେ ଅଧିକ ସଂଖ୍ୟକ ସେବକ ଚଢ଼ିବା ଏବଂ ରଥ ଟାଣିବା ବେଳେ ରଥ ଉପରେ ଓ ତଳେ ଥିବା ଜେଟିପି ଓ ପୁଲିସଙ୍କ ଭିତରେ ତାଳମେଳ ଅଭାବରୁ ଏଭଳି ସ୍ଥିତି ଉପୁଜିଥିଲା। ତିନି ରଥ ପହଞ୍ଚିଲା ପରେ ମଧ୍ୟ ନୀତିକାନ୍ତିରେ ଚରମ ବିଶୃଙ୍ଖଳା ହେଲା। ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ରଥ ପହଞ୍ଚିବାର ୪ ଘଣ୍ଟା ମହାପ୍ରଭୁଙ୍କୁ ଭୋକରେ ରଖାଗଲା। ଆଡ଼ପ ପହଣ୍ଡି ବେଳେ ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଚାରମାଳ ଉପରେ ପକାଇଦେଲେ। ସେ ସମୟରେ ଅଧିକ ସଂଖ୍ୟକ ସେବକ ଅଯଥାରେ ରଥ ଉପରେ ଚଢ଼ିବାରୁ ଏଭଳି ବିଶୃଙ୍ଖଳା ହେଲା ବୋଲି ବରିଷ୍ଠ ଦଇତାପତିମାନେ ଅଭିଯୋଗ କରିଥିଲେ। ଆଡ଼ପମଣ୍ଡପ ବିଜେ ପରେ ବି ତିନି ରାତି ଠାକୁରଙ୍କୁ ଅନିଦ୍ରା ରଖାଗଲା। ବିନା ପହୁଡ଼ରେ ତିନି ଦିନ ନୀତି କରାଗଲା। ବରିଷ୍ଠ ଦଇତାପତିମାନେ ନିଜ ପରିଚିତ ଲୋକଙ୍କୁ ଦର୍ଶନ ପାଇଁ ଗର୍ଭଗୃହରେ ଭର୍ତ୍ତି କରାଇବାରୁ ବନକଲାଗି ବିଳମ୍ବ ହୋଇଥିଲା। ଯେଉଁଥିପାଇଁ ହେରାପଞ୍ଚମୀ ଦିନ ହେରାପଞ୍ଚମୀ ନୀତି ସଂପନ୍ନ ହୋଇପାରିଲାନି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।