ରାଜ୍ୟ

ଗଙ୍ଗୁଆ ପାଣି ପାଇଁ ଦୟା, ଚିଲିକା ପ୍ରଦୂଷଣ ମାମଲା: ଅନୁଧ୍ୟାନ ପାଇଁ ଏନ୍‌ଜିଟି କମିଟି

କଟକ : ଭୁବନେଶ୍ବରର ଗଙ୍ଗୁଆନାଳର ପ୍ରଦୂଷିତ ଜଳ ଦୟାନଦୀ ଦେଇ ଚିଲିକାରେ ପ୍ରବେଶ କରିବା ପ୍ରସଂଗରେ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ଉଦବେଗ ପ୍ରକାଶ କରିଛନ୍ତି। ବୃନ୍ଦାବନ ଦାସ ଆଜାଦଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାକୁ ଏନ୍‌ଜିଟି ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥି ସହ ଗଙ୍ଗୁଆ ନାଳ ପ୍ରଦୂଷଣ ପ୍ରସଂଗ ଅନୁଧ୍ୟାନ କରିବା ପାଇଁ ଏନଜିଟି ଚାରିଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବରିଷ୍ଠ ବୈଜ୍ଞାନିକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ବିଭାଗର ଜଣେ ଲେଖାଏ ବରିଷ୍ଠ ବୈଜ୍ଞାନିକଙ୍କୁ ନେଇ ଏହି କମିଟି ଗଠନ କରାଯିବ। କମିଟିର ନୋଡାଲ୍‌ ଅଧିକାରୀ ଭାବେ ଖୋର୍ଦ୍ଧା ଜିଲ୍ଲାପାଳ ଦାୟିତ୍ବ ନିର୍ବାହ କରିବେ। କମିଟି ଗଙ୍ଗୁଆନାଳର ସ୍ଥିତି ଅନୁଧ୍ୟାନ କରିବା ସହିତ ଜଳର ମାନ ଓ ପ୍ରଦୂଷଣର ମାତ୍ରା ଯାଞ୍ଚ କରିବ। ପରବର୍ତ୍ତୀ ଶୁଣାଣି ପୂର୍ବରୁ କମିଟି ଗଙ୍ଗୁଆନାଳ ସଂପର୍କିତ ରିପୋର୍ଟ ଦାଖଲ କରିବ ବୋଲି ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୮କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଚିଲିକାରେ ଗଙ୍ଗୁଆନାଳର ପ୍ରଦୂଷିତ ଜଳ ଦୟାନଦୀ ଦେଇ ପ୍ରବେଶ କରୁଛି ବୋଲି ଅଭିଯୋଗ ହୋଇଛି। ଭୁବନେଶ୍ୱର ଚନ୍ଦକା ଜଙ୍ଗଲରୁ ଗଙ୍ଗୁଆ ନାଳ ବାହାରିଛି। ଏହା ସମାନ୍ତରାଳ ଭାବେ ଦୟାନଦୀ ସହ ପ୍ରଭାହିତ ହୋଇ ଖୋର୍ଦ୍ଧା ଜିଲ୍ଲା ଭଦିମୂଳ ଗ୍ରାମ ନିକଟରେ ଦୟାନଦୀ ସହ ମିଶିଯାଇଛି। ପୁଣି ଦୟାନଦୀ ଜଳ ଯାଇ ଚିଲିକାରେ ମିଶୁଛି। ଭୁବନେଶ୍ୱର ସହରରେ ସଂଗଠିତ ‌ସ୍ବେରେଜ୍‌ ବ୍ୟବସ୍ଥା ନଥିବା ବେଳେ ବର୍ଷାଜଳ ନିଷ୍କାସନ ପାଇଁ ଥିବା ଡ୍ରେନ୍ ଦେଇ ବର୍ଜ୍ୟଜଳ ଗଙ୍ଗୁଆନାଳରେ ସିଧା ସଳଖ ମିଶୁଛି। ୧୦ଟି ଏପରି ଡ୍ରେନ୍ ଦେଇ ବର୍ଜ୍ୟଜଳ ସିଧାସଳଖ ଗଙ୍ଗୁଆନାଳରେ ମିଶୁଛି।

ଭୁବନେଶ୍ବର ପୌରାଞ୍ଚଳରୁ ବାହାରୁଥିବା ବର୍ଜ୍ୟଜଳ କୌଣସି ପ୍ରକାର ବିଶୋଧନ ନ କରି ଗଙ୍ଗୁଆକୁ ଛଡା ଯାଉଛି। ଅନ୍ୟପଟରେ ମେହେରାପାଲି, ପାଇକାରାପୁର, ବାସୁଆଘାଇ, ରୋକଡ ଓ କୋଚିଲାପୁଟ ଆଦି ଅଞ୍ଚଳରେ ସ୍ବେରେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବା ପାଇଁ ରହିଥିବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ପାରି ନଥିବା ଆବେଦ‌ନରେ ଦର୍ଶାଯାଇଛି। ଭୁବନେଶ୍ବର ମହାନଗରର ବର୍ଜ୍ୟ ଏହି କେନାଲରେ ପକାଯିବା ଉପରେ ସଂପୂର୍ଣ୍ଣ କଟକଣା ଜାରି କରାଯାଉ। କେନାଲରୁ ପଙ୍କ ଓ ବର୍ଜ୍ୟବସ୍ତୁ କଢ଼ାଯାଇ ସଫେଇ କରିବା, ଏହାକୁ ଜଳାଶୟର ରୂପ ଦେବା, କେନଲାକୁ ଯାଉଥିବା ବର୍ଜ୍ୟଜଳ ବିଶୋଧନ ପାଇଁ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଫରାଜ ସୁହେଲ ମାମଲା ପରିଚାଳନା କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।