ରାଜ୍ୟ

ଯାଜପୁର ରାଜନୀତି: ବିଜେଡି-ବିଜେପି ଟକ୍କର, କଂଗ୍ରେସ ନିରବ

ଯାଜପୁର, (ସଂଗ୍ରାମ କେଶୋରୀ ସିଂହ): ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଯାଜପୁର ଜିଲ୍ଲାରେ ବିଜେଡି ଓ ବିଜେପି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କ ନିକଟତର ହେବାକୁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ଶିବିର ନିରବ ରହିଛି। କୋରେଇ ଓ ବଡ଼ଚଣା ବ୍ୟତୀତ ଅନ୍ୟ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସରେ ସେଭଳି କିଛି କାର୍ଯ୍ୟକ୍ରମ ନାହିଁ କହିଲେ ଚଳେ।

ବିଜେଡିର ଗୋଷ୍ଠୀ ବିବାଦ ବଢ଼ୁଥିବାରୁ ସୁଯୋଗର ସଦ୍‌ବ୍ୟବହାର କରି ଜିଲ୍ଲାରେ ବିଜେପି ସ୍ଥିତି ମଜଭୁତ କରିବାରେ ଲାଗିଛି। କଂ‌ଗ୍ରେସ ପକ୍ଷରୁ କୋରେଇରେ ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡ଼ା ଓ ବଡ଼ଚଣାରେ ପୂର୍ବତନ୍ତ୍ର ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁଅ କ୍ୟାପଟେନ୍ ରାଜନାୟରାଣ ମହାପାତ୍ର ନିଜସ୍ତରରେ ସଂଗଠନ ସଜାଡ଼ିବା​ରେ ଲାଗିଛନ୍ତି। ତେବେ ବରୀ, ବିଂଝାରପୁର, ଯାଜପୁର, ଧର୍ମଶାଳା ଓ ସୁକିନ୍ଦା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହେବାର ସମ୍ଭାବନା ସୃଷ୍ଟି ହୋଇଛି। ବରୀରେ ବିଧାୟିକା ସୁନନ୍ଦା ଦାସ, ଯୁବନେତା ବିଶ୍ବରଞ୍ଜନ ମଲ୍ଲିକ, ପୂର୍ବତନମନ୍ତ୍ରୀ ଦେବାଶିଷ ନାୟକଙ୍କ ସମେତ ଅନେକ ଏବେ ବିଜେଡି ଟିକେଟ ପାଇଁ ଦାବିଦାର ହୋଇ ବାହାରିଲେଣି। ଏଠାରେ କଂଗ୍ରେସରୁ ବିଜେପିକୁ ଆସିଥିବା ଯୁବନେତା ଉମେଶ ଜେନା ମଧ୍ୟ ବିଜେଡି ଗୋଷ୍ଠୀ ବିବାଦରୁ ଫାଇଦା ନେବାକୁ ଲାଗି ପଡ଼ିଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ପୁରୁଖା ନେତା ଶ୍ରୀକାନ୍ତ ଜେନା ଥିବା ବେଳେ କଂଗ୍ରେସର ସ୍ଥିତି ଅତି ଶୋଚନୀୟ। ସେହିପରି ବିଂଝାରପୁରରେ ପୂର୍ବଥର ଭଳି ଏଥର ମଧ୍ୟ ବିଜେଡିର ନେତ୍ରୀ ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସିଧାସଳଖ ଟକ୍କର ଦେଉଛନ୍ତି ବ‌ିଜେପିର ବବିତା ମଲ୍ଲିକ। ଏଠାରେ କଂଗ୍ରେସ ଶିବିର ସମ୍ଭାଳିବାକୁ କେହି ନାହାନ୍ତି।

ସବୁଠାରୁ ଚର୍ଚ୍ଚାରେ ଥିବା ଯାଜପୁର ନିର୍ବାଚନମଣ୍ଡଳୀକୁ ଅଭେଦ୍ୟ ଦୁର୍ଗରେ ପରିଣତ କରିଥିବା ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏଥର କୋରେଇରୁ ପ୍ରାର୍ଥୀ ହେବେ ବୋଲି ତାଙ୍କ ନିକଟତମ ଲୋକେ କହିବା ଆରମ୍ଭ କରିଛନ୍ତି। ଯଦି ବବି କୋରେଇରୁ ଲଢ଼ନ୍ତି ଯାଜପୁରରେ ବିଜେଡିରୁ କିଏ ପ୍ରାର୍ଥୀ ହେବ ବୋଲି ପ୍ରଶ୍ନ ଉଠୁଛି। ଯାଜପୁରରେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ପ୍ରତିଦ୍ବନ୍ଦ୍ବିତା କରି ଆସୁଥିବା ‌ବେଳେ ଏଥର ଏକାଧିକ ପ୍ରାର୍ଥୀ ଆଶାୟୀ। କୋରେଇ ଆସନ ପାଇଁ ବିଜେଡିରୁ ବିଧାୟକ ଅଶୋକ ବଳ, ପୂର୍ବତନ ବିଧାୟକ ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ଓ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଚର୍ଚ୍ଚାରେ ରହିଛି। ବିଜେଡି ପ୍ରାର୍ଥୀ ଚୂଡାନ୍ତ ପରେ ଯାଇ ବିଜେପି କୋରେଇ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ହେଲାଣି।

ସେହିପରି ସୁକିନ୍ଦାରେ ବିଜେଡି ଓ ବିଜେପି ମଧ୍ୟରେ ଟକ୍କର ଚାଲିଛି। ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡେଇ(ଡାନି)ଙ୍କୁ ଘେରିବା ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ(ଟୁଟୁ ବଳ) କଳବଳ କୌଶଳ ଲଗାଇଛନ୍ତି। ଏଠାରେ ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇଙ୍କ ବ୍ୟୂହକୁ ଭେଦ କରିବା ପାଇଁ ବିଜେପି ପାଇଁ କଷ୍ଟକର ବ୍ୟାପାର। ଅପରପକ୍ଷରେ ସୁକିନ୍ଦାରେ କଂଗ୍ରେସ ଶିବିର ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଧର୍ମଶାଳାରେ ବିଜେଡି ବିଧାୟକ ପ୍ରଣବ କୁମାର ବଳବନ୍ତରାୟ(ଜିତୁ) ଙ୍କୁ ଏଥର ଟକ୍କର ଦେବାକୁ ସ୍ମୃତିରେଖା ପହୀଙ୍କ ନେତୃତ୍ବରେ ବିଜେପି ରଣନୀତି ପ୍ରସ୍ତୁତ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।