ରାଜ୍ୟ ସ୍ପେଶାଲ ରିପୋର୍ଟ

ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଟିକେଟ୍ ବୁକିଂ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଟିକେଟ୍ ବୁକିଂ ଆରମ୍ଭ କରିଛନ୍ତି। ଏହାଦ୍ବାରା ଓଡ଼ିଶାର ଲୋକମାନେ ଉଚିତ ମୂଲ୍ୟରେ ଦକ୍ଷିଣ-ପୂର୍ବ ଏସୀୟ ଦେଶକୁ ସୁବିଧାରେ ଯାତାୟତ କରିପାରିବେ। ଏହାସହ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲୋକଙ୍କ ସ୍ବାର୍ଥକୁ ନଜରରେ ରଖି ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାରେ ସହଯୋଗ କରିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପଦକ୍ଷେପ ଓଡ଼ିଶାର ଯୁବକମାନଙ୍କ ପାଇଁ ଚାକିରି ସୁଯୋଗ, ପର୍ଯ୍ୟଟନ କ୍ଷମତା ବୃଦ୍ଧି ଏବଂ ଆଇଟି ଓ ଆଇଟିଏସ୍‌ କ୍ଷେତ୍ରକୁ ସମୃଦ୍ଧ କରିବ। ଏହାସହ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆଜି ଇଣ୍ଡିଗୋ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ଟିକେଟ୍ ବୁକିଂ ଆରମ୍ଭ କରିବା ଆମ ସମସ୍ତଙ୍କ ପାଇଁ ମହତ୍ତ୍ବପୂର୍ଣ୍ଣ ଘଟଣା। ମୁଁ କିଛିଦିନ ତଳେ ଦୁବାଇକୁ ଟିକେଟ୍ ବୁକିଂ ସେବା ଆରମ୍ଭ କରିଥିଲି। ଏହାଦ୍ବାରା ଓଡ଼ିଶା ଏବେ ଏସୀୟ ଦେଶର ସମସ୍ତ କସ୍‌ମୋପଲିଟାନ୍ ସହର ସହ ସଂଯୋଗ କରିବ, ଏହା ଆମ ଲୋକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି।

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ବ୍ୟାପକ ବୃଦ୍ଧି ଘଟିଛି। ଘରୋଇ ବିମାନ ‌ଉଡ଼ାଣ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ହୋଇଥିଲେ ହେଁ ଲୋକଙ୍କ ଆକଂାକ୍ଷାକୁ ନଜରରେ ରଖି ରାଜ୍ୟ ସରକାର ଭୁବନେଶ୍ବରରୁ ବିଶ୍ବସ୍ତରୀୟ ସହରକୁ ବିମାନ ସଂଯୋଗକୁ ସୁନିଶ୍ଚିତ କରିବାକୁ ଆଗେଇ ଆସିଛନ୍ତି। ମୁଁ ଆଶା କରୁଛି ଯେ ଏହି ଅନ୍ତର୍ଜାତୀୟ ବିମାନଗୁଡ଼ିକ ପର୍ଯ୍ୟଟକଙ୍କୁ ଅଧିକ ସୁବିଧା ଏବଂ ସୁଲଭ ଯାତ୍ରା ବିକଳ୍ପ ଯୋଗାଇଦେବା ସହ ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ଉତ୍ସାହିତ କରିବେ।

ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଇଣ୍ଡିଗୋ ଏୟାରଲାଇନ୍ସକୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟସଚିବ ପ୍ରଦୀପ କୁମାର ଜେନା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ ଓ ଇଣ୍ଡିଗୋର ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାର ଚଳିତ ବଜେଟ୍‌ରେ ୧୦୦କୋଟିର ବଜେଟ୍ ବ୍ୟବସ୍ଥା କରିଛନ୍ତି। ଇଣ୍ଡିଗୋ ସହିତ ହୋଇଥିବା ଚୁକ୍ତି ଅନୁଯାୟୀ, ବିମାନର ପ୍ରତି ଉଡ଼ାଣ ପାଇଁ ଯେତିକି ଟିକେଟ୍ ବୁକିଂ ହେବ ତାହାର ଅର୍ଥ ଇଣ୍ଡିଗୋ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଦେବେ। ପ୍ରତିବଦଳରେ ରାଜ୍ୟ ସରକାର ପ୍ରତି ଉଡ଼ାଣ ପାଇଁ ଇଣ୍ଡିଗୋକୁ ଭଡ଼ା ଆକାରରେ ସଂପୂର୍ଣ୍ଣ ସିଟ୍‌ ବୁକିଂର ଅର୍ଥ ଦେବେ। ଏହାଦ୍ବାରା ଓଡ଼ିଶାବାସୀ କମ୍‌ ମୂଲ୍ୟରେ ବିଦେଶକୁ ବିମାନ ଯାତ୍ରା କରିବାର ସୁବିଧା ପାଇବେ।

ମେ ୧୫ରୁ ଭୁବନେଶ୍ବରରୁ ଦୁବାଇକୁ ସପ୍ତାହକୁ ତିନି ଦିନ ସୋମବାର, ବୁଧବାର, ଶୁକ୍ରବାର ବିମାନ ଉଡ଼ାଣ କରିବ। ଯିବା ଆସିବା ବିମାନ ଭଡ଼ା ୨୦ହଜାର ଟଙ୍କା ରହିଛି। ଗୋଟିଏ ରୁଟ୍‌ରେ ଯିବା ପାଇଁ ଟିକେଟ୍ ବୁକିଂ କଲେ ୧୦ହଜାର ଟଙ୍କା ପଡ଼ିବ। ସେହିପରି ଜୁନ୍‌ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ପ୍ରତି ମଙ୍ଗଳବାର ଓ ଶନିବାର ବିମାନ ଯାତାୟତ କରିବ। ସିଙ୍ଗାପୁରରୁ ମଙ୍ଗଳବାର ଓ ଶନିବାର ଫେରିବାକୁ ଥିବାବେଳେ ବ୍ୟାଙ୍କକ୍‌ରୁ ବୁଧବାର ଓ ରବିବାର ଫେରିବ। ଏହି ଦୁଇଟି ସହରକୁ ବିମାନର ଯାତାୟତ ଭଡ଼ା ୧୫ହଜାର ଟଙ୍କା ରହିଥିବାବେଳେ ଗୋଟିଏ ରୁଟ୍‌ରେ ଟିକେଟ୍ ବୁକିଂ କଲେ ୭,୫୦୦ଟଙ୍କା ପଡ଼ିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।