ରାଜ୍ୟ ସ୍ପେଶାଲ ରିପୋର୍ଟ

ଚିଲିକାରେ ଚାଲିବ ସୌରଶକ୍ତି ଓ ବିଦ୍ୟୁତ ଚାଳିତ ବୋଟ୍

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ଡଙ୍ଗା ନିୟମ-୨୦୦୪କୁ ରାଜ୍ୟ ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଦୀର୍ଘ ୧୯ବର୍ଷ ହେଲା ଏହି ନିୟମ ଲାଗୁ ହୋଇଥିଲେ ହେଁ ଏହା ‌ବିଶେଷ ଫଳପ୍ରଦ ହୋଇନଥିବାରୁ ଏଥିରେ ପରିବର୍ତ୍ତନ ଅଣାଯାଉଛି। ‌କେନ୍ଦ୍ରୀୟ ଆଇନ ଢାଞ୍ଚାରେ ଏହା ନୂଆ ରୂପ ନେବ। ଜଳପଥ ଯାତ୍ରୀ ଏବଂ ମାଲ ପରିବହନ କ୍ଷେତ୍ରରେ ନିରାପତ୍ତା ଓ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ବ ରଖିଥିବା ଏହି ଅଧିନିୟମ କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଜଳପଥରେ ଉଭୟ ଯାତ୍ରୀ ଓ ପଣ୍ୟ କାରବାର ବୃଦ୍ଧି ଘଟିବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି।

ରାଜ୍ୟ ଅନ୍ତର୍ଦେଶୀୟ ନୌ-ପରିବହନ ଅଧିନିୟମ ଚିଠା ପ୍ରସ୍ତୁତ ପୂର୍ବରୁ ସମସ୍ତ ଅଂଶୀଦାରମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମତାମତ ସଂଗ୍ରହ ସହ ଅଧିନିୟମ କାର୍ଯ୍ୟକାରିତା ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଏହି ଅବସରରେ ଶ୍ରୀମତୀ ପାଢ଼ୀ ଓଡ଼ିଶା ଡଙ୍ଗା ନିୟମରେ ପରିବର୍ତ୍ତନ ନେଇ ସୂଚନା ଦେଇଥିଲେ।

ଏହି କର୍ମଶାଳାରେ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟର ପୂର୍ବତନ ମହାନିର୍ଦ୍ଦେଶକ ପୂର୍ଣ୍ଣେନ୍ଦୁ ମିଶ୍ର କହିଥିଲେ ଯେ ଆନ୍ତର୍ଜାତିକ ସ୍ତରରେ ବହୁ ସୁନ୍ଦର ଓ ଉନ୍ନତମାନର ଜଳପଥ ପରିବହନ ବ୍ୟବସ୍ଥା ପ୍ରଚଳିତ ଥିବାବେଳେ ପ୍ରସ୍ତୁତ ହେବାକୁ ଯାଉଥିବା ଅଧିନିୟମରେ ଉଭୟ ବୃହତ ଓ ସାଧାରଣ ଅଂଶୀଦାରଙ୍କ ମତାମତକୁ ଗୁରୁତ୍ବ ଦେବା ଅପରିହାର୍ଯ୍ୟ। ବାଣିଜ୍ୟ ଓ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ସଂଜୟ ମିଶ୍ର କହିଥିଲେ, ଅନ୍ତର୍ଦେଶୀୟ ଜଳ ପରିବହନ ବ୍ୟବସ୍ଥା ହେଉଛି ସ୍ବଳ୍ପ ବ୍ୟୟସଂପନ୍ନ ପରିବହନ ବ୍ୟବସ୍ଥା। ଜଳପଥରେ ସ୍ଥଳପଥ ଅପେକ୍ଷା ଅଧିକ ଓଜନର ପଣ୍ୟ ସାମଗ୍ରୀ ପରିବହନ ହୋଇଥାଏ ଓ ଏହି ବ୍ୟବସ୍ଥା ମଧ୍ୟ ପରିବେଶ ଅନୁକୂଳ।

କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ ବନ୍ଦର ଓ ଅନ୍ତର୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ ସ୍ବାଗତ ସୂଚନା ଦେଇ କହିଥିଲେ, ଅନ୍ତର୍ଦେଶୀୟ ନୌ-ପରିହବନ ଅଧିନିୟମ ପ୍ରସ୍ତୁତ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହେବ। ଏଥିପାଇଁ ସମସ୍ତଙ୍କର ସହଯୋଗ ଦରକାର। ଆଗାମୀ ଦିନରେ ଚିଲିକାରେ ସୌରଶକ୍ତି ଚାଳିତ ଓ ବିଦ୍ୟୁତ ଚାଳିତ ବୋଟ୍ ଚଲାଇବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ପ୍ରଣୟନ ହେବାକୁ ଥିବା ଏହି ଅନ୍ତର୍ଦେଶୀୟ ନୌକା ଅଧିନିୟମ ସମ୍ପର୍କିତ ସୂଚନା ଓ ବିବରଣୀକୁ ରାଷ୍ଟ୍ରୀୟ ଅନ୍ତର୍ଦେଶୀୟ ନାଭିଗେସନ୍ ପ୍ରତିଷ୍ଠାନ (ନିନି)ର ପ୍ରକଳ୍ପ ନିର୍ଦ୍ଦେଶକ କ୍ୟାପଟେନ୍ ଆଇ.ଭି ସୋଲାଙ୍କି ପାୱାର ପଏଣ୍ଟରେ ଉପସ୍ଥାପନ କରିଥିଲେ। ଏହି କର୍ମଶାଳାରେ ବିଭିନ୍ନ ବୀମା କମ୍ପାନିର ପ୍ରତିନିଧି, ଡଙ୍ଗା ନିର୍ମାତା, ବନ୍ଦର ବିକାଶକାରୀ ସଂସ୍ଥାର ପ୍ରତିନିଧି, ‌ଡଙ୍ଗା ମାଲିକ, ଡଙ୍ଗା ଚାଳକ ସଂଘର ସଦସ୍ୟ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ବେହେରା ଧନ୍ୟବାଦ ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।