କଟକ : କଟକ ବଡ଼ଡାକ୍ତରଖାନା ପ୍ଲାଷ୍ଟିକ୍ ସର୍ଜରି ବିଭାଗରେ ସଫଳତାର ସହିତ ଜଣେ ମହିଳାଙ୍କ କଟା ହାତ ଯୋଡା ହୋଇଛି। ସୁସ୍ଥ ହେବାପରେ ଆଜି ଉକ୍ତ ମହିଳାଙ୍କୁ ହସ୍ପିଟାଲରୁ ଘରକୁ ପଠାଇ ଦିଆଯାଇଛି।
ଜିଲ୍ଲାର ଟାଙ୍ଗୀ-ଚୌଦ୍ବାର ବ୍ଲକ୍ରେ ଏକ ପାରିବାରିକ ହିଂସା ଯୋଗୁଁ ସୁକାନ୍ତି ମହାନ୍ତିଙ୍କ ହାତ (କହୁଣୀରୁ ତଳକୁ) କଟିଯାଇ ଅଲଗା ହୋଇଯାଇଥିଲା। ଫଳରେ ପ୍ରଥମେ ତାଙ୍କୁ କାଜୁଆଲିଟି ଓ ପରେ ଏସ୍ସିବି ପ୍ଲାଷ୍ଟିକ୍ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୀର୍ଘ ୮ଘଣ୍ଟାର ରିପ୍ଲାଣ୍ଟେସନ୍ ଅସ୍ତ୍ରୋପଚାର ପରେ କଟାହାତ ଯୋଡା ଯାଇଥିଲା। ତେବେ ତାଙ୍କର ଅନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କୁ ହସ୍ପିଟାଲରେ ରଖାଯାଇଥିଲା। ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଆଜି ତାଙ୍କୁ ଏସ୍ସିବିରୁ ଡିସଚାର୍ଜ କରାଯାଇଛି।
ପ୍ଲାଷ୍ଟିକ୍ ସର୍ଜରି ବିଭାଗର ଆସୋସିଏଟ୍ ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଦାୟିତ୍ବରେ ଥିବା ଡାକ୍ତର ବିଶ୍ବଜିତ୍ ମିଶ୍ର, ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ, ଡାକ୍ତର ଉପାସନା ମହାନ୍ତି, ଡାକ୍ତର ଆଶିଷ ପଟ୍ଟନାୟକ, ପ୍ରଫେସର ଡାକ୍ତର ଦେବ ପ୍ରସାଦ ମହାନ୍ତି, ଡାକ୍ତର ଚନ୍ଦ୍ର ବେହେରାଙ୍କୁ ନେଇ ଗଠିତ ଟିମ୍ ଏହି ସଫଳ ଅସ୍ତ୍ରୋପଚାର କରିଥିଲେ।