ବାରିପଦା: ବିରଳ କଳାବାଘ ଠାବ ହେବା ଘଟଣାକୁ ନେଇ ଦିନେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାକୁ ଆସିଥିଲା ଶିମିଳିପାଳ। ହେଲେ, ଏବେ ଏହି କଳାବାଘର ମୃତ୍ୟୁ ହୋଇଯାଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳେ ଶିମିଳିପାଳ କୋର୍ ଏରିଆ; ବଡ଼ମୁଖବାରି ଗାଁ ନିକଟରୁ କଳାବାଘର ଗଳିତ ମୃତଦେହ ମିଳିଥିଲା। ମୃତ କଳାବାଘଟି ଅଣ୍ଡିରା ଏବଂ ବୟସ ପ୍ରାୟ ସାଢ଼େ ୩ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣା ପରେ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ଗଠିତ ଟାସ୍କଫୋର୍ସ ସହ ଶିମିଳିପାଳ ଉପନିର୍ଦ୍ଦେଶକ, କ୍ଷେତ୍ର ନିର୍ଦ୍ଦେଶକ, ଅଭିଜ୍ଞ ରେଞ୍ଜ ଅଧିକାରୀ, ପ୍ରାଣୀ ବିଶେଷଜ୍ଞଙ୍କ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସେହିପରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନାନୀ ମଧ୍ୟ ସଦଳବଳ ଘଟଣାସ୍ଥଳକୁ ଯାଇ ତନାଘନା କରିଛନ୍ତି।
କଳାବାଘ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଫଳରେ କୌଣସି ବାଘ ସହ ଲଢେ଼ଇ ଯୋଗୁ ତାର ପ୍ରାଣ ଯାଇଥିବା ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ବୋଲି କହିଛନ୍ତି ପିସିସିଏଫ୍ ସୁଶୀଲ କୁମାର ପୋପଲି। ସୂଚନାଥାଉକି, ତତ୍କାଳୀନ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ଅନୁପ ନାୟକ ୨୦୦୭ ମସିହାରେ ଶିମିଳିପାଳରେ କଳାବାଘ ଥିବା ନେଇ ସୂଚନା ଦେଇଥିଲେ। ତେବେ ଏଠାରେ କେତେ କଳାବାଘ ଅଛନ୍ତି, ସେନେଇ ଏଯାଏ କୌଣସି ତଥ୍ୟ ବନ ବିଭାଗ ପାଖରେ ନାହିଁ।