ଅପରାଧ ରାଜ୍ୟ

ନକଲି ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ: ଜେଲ୍‌ଗଲେ ମାଷ୍ଟରମାଇଣ୍ଡ ସମେତ ୧୯

ବଲାଙ୍ଗୀର : ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ମାମଲାରେ ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍‌ଗାତାଙ୍କ ସମେତ ୧୯ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ମନୋଜଙ୍କ କୋଚିଂ ସେଣ୍ଟର ହିଁ ନକଲି ସାର୍ଟିଫିକେଟ ତିଆରିର ମୁଖ୍ୟ କେନ୍ଦ୍ର ଥିଲା ବୋଲି ଏସ୍‌ପି ନୀତିନ କୁଶଳକର ସୂଚନା ଦେଇଛନ୍ତି।

ଏସ୍‌ପି କହିଛନ୍ତି, ଦୀର୍ଘ ବର୍ଷ ହେଲା ଏଠାରେ ନକଲି ସାର୍ଟିଫିକେଟ ବେପାର ଚାଲିଥିଲା। ଓଡ଼ିଶା ସାରା ପିଲାଙ୍କୁ ବାହାର ରାଜ୍ୟର ସାର୍ଟିଫିକେଟ ଯୋଗାଇ ଦିଆଯାଉଥିଲା। ଟଙ୍କା ଅନୁଯାୟୀ ମାର୍କ ଦେଉଥିଲେ। ଯିଏ ଅଧିକ ଦେଉଥିଲା, ସିଏ ଅଧିକ ମାର୍କ ପାଉଥିଲା। ଅନେକ ପିଲା ଏଠାରୁ ନକଲି ସାର୍ଟିଫିକେଟ ନେଇ ଚାକିରି ବି ହାତଉଥିଲେ। ସାର୍ଟିଫିକେଟ ଯାଞ୍ଚ ହେଲେ ତାହାର ବି ବ୍ୟବସ୍ଥା କରୁଥିଲେ ମାଷ୍ଟରମାଇଣ୍ଡ ମନୋଜ ଓ ସହଯୋଗୀ ଆଲୋକ। କାରଣ ବାହାର ରାଜ୍ୟର ବୋର୍ଡର କିଛି ତଳିଆ କର୍ମଚାରୀଙ୍କ ସହ ଏମାନଙ୍କ ଲିଙ୍କ୍ ଥିଲା। ତେଣୁ ଲୋକଙ୍କ ବିଶ୍ୱାସ ବଢ଼ୁଥିଲା। କଲେଜ ଓ ସ୍କୁଲରେ ପାଠପଢ଼ିବା ଅପେକ୍ଷା ଏମାନଙ୍କ ପାଖରେ ଆବେଦନକାରୀଙ୍କ ଲମ୍ବା ଲାଇନ ଲାଗୁଥିଲା। ଗାଁ ଓ ସହରମାନଙ୍କରେ ଦଲାଲ ରଖି ନକଲି ସାର୍ଟିଫିକେଟର ସିଣ୍ଡିକେଟ ମନୋଜ ଚଲାଉଥିଲା। ବାହାର ରାଜ୍ୟରେ ଲିଙ୍କ୍ ରଖି ଓଡ଼ିଶାରେ ଦଲାଲ ନିଯୁକ୍ତ କରି ଏକ ବଡ଼ ନେଟୱର୍କ ନକଲି ସାର୍ଟିଫିକେଟ କାରବାର ପାଇଁ ସେ କାମ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଡାକ ବିଭାଗ ପକ୍ଷରୁ ଦିଆଯାଇଥିବା ଅଭିଯୋଗରେ କେସ୍‌ ନମ୍ବର ୧୪୧/୨୪.୩.୨୦୨୩ ତଥା ଆଇପିସି ଦଫା ୪୬୭/୪୬୮/୪୭୧/୪୨୦/୩୪ରେ ମାମଲା ରୁଜୁ ହୋଇ ତଦନ୍ତ କରାଯାଇଥିଲା।

ଏଥିରେ ମନୋଜ ସଂପର୍କରେ ପୁଲିସ ସୁରାକ ପାଇବା ପରେ ମିସନ ପଡ଼ିଆ ଆଗରେ ଥିବା ରିଲାଏନ୍ସ କୋଚିଂ ସେଣ୍ଟରରେ ଚଢ଼ଉ କରାଯାଇଥିଲା। ମନୋଜ ଓ ଆଲୋକଙ୍କୁ ପଚରାଉଚରା କରାଯାଇଥିଲା। ଚଢ଼ଉରେ କୋଚିଂ ସେଣ୍ଟରରୁ ୫ ହଜାର ଯାଏଁ ନକଲି ସାର୍ଟିଫିକେଟ ଓ ମାର୍କସିଟ, ସରକାରୀ ଚିଠିପତ୍ର କପି ସବୁ ମିଳିଥିଲା। ଦେଶର ପ୍ରାୟ ୪୧ଟି ବିଶ୍ବବିଦ୍ୟାଳୟ, ସ୍କୁଲ, କଲେଜର ସାର୍ଟିଫିକେଟ ମାର୍କସିଟ ସବୁ ରହିଥିଲା। କମ୍ପ୍ୟୁଟର ଓ ହାର୍ଡଡିସ୍କ ସବୁ ଯାଞ୍ଚ କରିବା ପରେ ସାର୍ଟିଫିକେଟ ଓ ମାର୍କସିଟର ସବୁର ସଫ୍ଟ କପି ରହିଥିଲା। ଯାହାକୁ ସେମାନେ ଅବିକଳ ଅସଲି କରି ପ୍ରିଣ୍ଟ ବାହାର କରୁଥିଲେ। କଲର ପ୍ରିଣ୍ଟର, ୨୭ଟି ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ସ୍କୁଲ କଲେଜର ରବରଷ୍ଟାମ୍ପ ଜବତ କରାଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଏସ୍‌ପି କହିଛନ୍ତି, ନକଲି ସାର୍ଟିଫିକେଟରେ ଏହି ସିଲ୍‌ ମୋହର ବ୍ୟବହାର କରାଯାଉଥିଲା। ଏହା ସହିତ ବଲାଙ୍ଗୀର ଜିଲ୍ଲାର ମଧ୍ୟ ବିଭିନ୍ନ ଅଧିକାରୀ ତହସିଲଦାର, ପିଡି, ଯୁଗ୍ମନିର୍ଦେଶକଙ୍କ ଅଫିସିଆଲ ରବରଷ୍ଟାମ୍ପ କୋଚିଂରୁ ଜବତ କରାଯାଇଛି। ନିକଟରେ ଡାକ ବିଭାଗରେ ଯେଉଁ ନକଲି ସାର୍ଟିଫିକେଟ ଆବେଦନକାରୀମାନେ ଦାଖଲ କରିଥିଲେ ତାହା କୋଚିଂ ସେଣ୍ଟରରୁ ହିଁ ସେମାନେ କିଣି ନେଇଥିଲେ। ଉକ୍ତ ଉତ୍ତରପ୍ରଦେଶର ମ୍ୟାଟ୍ରିକ ସାର୍ଟିଫିକେଟ ବାବଦକୁ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ଯାଏଁ ମନୋଜ ମିଶ୍ର ଦଲାଲମାନଙ୍କ ସହାୟତାରେ ନେଇଥିବା ପୁଲିସ କହିଛି। ପୂର୍ବରୁ ବି ଅନେକ ସରକାରୀ ଚାକିରି ବାହାରିଲେ ଏମାନଙ୍କ ନେଟୱର୍କ କାମ କରି ନକଲି ସାର୍ଟିଫିକେଟର ବେପାର କରୁଥିଲେ। ଏମ୍‌ସିଏଲ୍‌, ରେଲୱେ, ଆର୍‌ଆଇ ଅମିନ, ଶିକ୍ଷକ, ନର୍ସ, ଫାର୍ମାସିଷ୍ଟ ସହ ଅନ୍ୟ ସରକାରୀ ଚାକିରି ବାହାରିଲେ ପିଲାଙ୍କୁ ସାର୍ଟିଫିକେଟ ଯୋଗାଉଥିଲେ। ପ୍ରାର୍ଥୀ ଓ ପଦବି ଅନୁସାରେ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିଲ୍‌ ହେଉଥିଲା। କୋଚିଂ ସେଣ୍ଟରରୁ ୬ ଟି ଜମିର କାଗଜପତ୍ର ମଧ୍ୟ ଜବତ ହୋଇଥିବା ବେଳେ ତାହା ଲୋକଙ୍କୁ ଠକେଇ ଟଙ୍କାରେ କିଣାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏଣୁ ସେ ଦିଗରେ ପୁଲିସ ତଦନ୍ତ ଚଳାଇଥିବା ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ନକଲି ସାର୍ଟିଫିକେଟ କିଣିଥିବା ୧୭ ଜଣ ଏବଂ ଏହାର ମାଷ୍ଟରମାଇଣ୍ଡ ମନୋଜ ଓ ସହଯୋଗୀ ଆଲୋକଙ୍କୁ ମିଶାଇ ୧୯ ଜଣ କେବଳ ଗିରଫ ହୋଇଛନ୍ତି। ଆଗକୁ ସାର୍ଟିଫିକେଟ କିଣିଥିବା ଏବଂ ଦଲାଲମାନଙ୍କ ସହ ଏମାନଙ୍କ ଲିଙ୍କ୍‌ରେ ଯେଉଁମାନେ ବାହାର ରାଜ୍ୟର ଅଛନ୍ତି ସମସ୍ତଙ୍କୁ ଗିରଫ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।