ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଏଣିକି ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ ହେବନି। ଦ୍ବିଅର୍ଥବୋଧକ ସଂଳାପ କହିପାରିବେନି କଳାକାର। ମାର୍ଜିତ ହେବ ସେମାନଙ୍କ ଅଭିନୟ। ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ କଳାକାର ଓଡ଼ିଶାର ଗୌରବମୟ ସଂସ୍କୃତିକୁ ସମ୍ମାନ ଜଣାଇବେ। କଦର୍ଯ୍ୟ ରୂପରେ ସଂସ୍କୃତିକୁ ପରିପ୍ରକାଶ କରିପାରିବେ ନାହିଁ। ଯାତ୍ରାରେ ବଢ଼ୁଥିବା ଅଶ୍ଳୀଳତାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି ଲେଖାଯାଇ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଭାଗ ପକ୍ଷରୁ କୁହାଯାଇଛି ଯେ ଯାତ୍ରା ଓ ମେଲୋଡି ଆମ ଓଡ଼ିଶାରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ। ମାତ୍ର, ଏବେ ଯାତ୍ରା ଓ ମେଲୋଡି ମଞ୍ଚରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ବିଅର୍ଥବୋଧକ ସଂଳାପ ଓ ଅଭିନୟ ପ୍ରଦର୍ଶନ କରାଯାଉଛି। ଫଳରେ ପରିବାର ସହ ନାଟକ ଦେଖିବା ସମ୍ଭବ ହେଉନାହିଁ। ଏହା ପ୍ରଭାବରେ ଯୁବକ ଯୁବତୀ ବିପଥଗାମୀ ହେଉଛନ୍ତି। ବିଭିନ୍ନ ପ୍ରକାରର ଅପରାଧରେ ମଧ୍ୟ ସଂପୃକ୍ତ ହେଉଥିବାର ନଜର ଆସୁଛି। ଏହା ଓଡ଼ିଶାର ଗୌରବମୟ ଓ ସମ୍ଭ୍ରାନ୍ତ ସଂସ୍କୃତିକୁ ଏକ କଦର୍ଯ୍ୟ ରୂପରେ ପରିପ୍ରକାଶ କରୁଛି, ଯାହାକି ଅତ୍ୟନ୍ତ ଲଜ୍ଜାଜନକ। ତେଣୁ ଯାତ୍ରା ଓ ମେଲୋଡି ମଞ୍ଚରେ ଏ ପ୍ରକାର ଅଶ୍ଳୀଳ ଓ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କର। ସେହିପରି ଜିଲ୍ଲାରେ ପରିବେଷଣ କରିବାକୁ ଯାଉଥିବା ସମସ୍ତ ଯାତ୍ରା ଓ ମେଲୋଡି ଦଳଙ୍କୁ ଅନୁମତି ପ୍ରଦାନ ସମୟରେ ସର୍ତ୍ତାବଳୀରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ହେବା ଆବଶ୍ୟକ। ଏଥିରେ ବ୍ୟତିକ୍ରମ ହେଲେ ଆବଶ୍ୟକୀୟ ଦୃଷ୍ଟାନ୍ତମୂଳକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ନିର୍ଦ୍ଦେଶ ରଞ୍ଜନ କୁମାର ଦାସ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ କହିଛନ୍ତି। ଏ ସମ୍ପର୍କ ପ୍ରମୁଖ ଯାତ୍ରା ପାର୍ଟିଙ୍କୁ ଅବଗତ କରାଯାଇଛି।

ଓଡ଼ିଶାର ବିଭିନ୍ନ ସ୍ଥାନରେ ପରିବେଷିତ ହେଉଥିବା ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଦେଖିବାକୁ ମିଳୁଥିଲା। କେତେଜଣ କଳାକାରଙ୍କ ଅଭିନୟ ଏଭଳି ଥିଲା ଯେ ସମ୍ପୂର୍ଣ୍ଣ ଯାତ୍ରା ଦୁନିଆକୁ ବଦନାମ ମୁଣ୍ଡାଇବାକୁ ପଡ଼ିଥିଲା। ଏହି ବିବାଦ ଭିତରେ କେବେ କଳାକାର ବିବାଦ ଭିତରକୁ ଟାଣି ହୋଇ ଆସିଥିଲେ ତ ଆଉ କେବେ ବଡ଼ ଯାତ୍ରା ପାର୍ଟି। ଓଡ଼ିଶାର କଳା ସଂସ୍କୃତି ନଷ୍ଟ ହେଉଥିବା ନେଇ ବିଭିନ୍ନ ସମୟରେ ସାମାଜିକ ଅନୁଷ୍ଠାନମାନେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଛନ୍ତି। ତେବେ ଚଳିତବର୍ଷ ଖଣ୍ଡଗିରି ମେଳାରେ ଯାତ୍ରା ପ୍ରଦର୍ଶନୀକୁ ନେଇ କଟକଣା ଲଗାଇବା ସହିତ ଅଶ୍ଳୀଳ ନୃ୍ତ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା। ଯେଉଁଥିପାଇଁ ମେଲୋଡିରେ ରୋକ ଲାଗିଥିଲା। ପୂର୍ବଭଳି ଅଶ୍ଳୀଳ ନୃତ୍ୟ ଦେଖିବାକୁ ମିଳି ନ ଥିଲା ସତ। ହେଲେ ଅଭିନୟ ମାଧ୍ୟମରେ କେତେକ କଳାକାର ସବୁ ସ୍ତର ପାର୍ କରିଯାଇଥିଲେ। ଅଙ୍ଗଭଙ୍ଗୀରେ ଅଶ୍ଳୀଳତା ପ୍ରଦର୍ଶନ କରି ଦର୍ଶକଙ୍କୁ ନିଜ ଆଡ଼କୁ ଟାଣିଥିଲେ। ଦ୍ବିଅର୍ଥବୋଧକ ସଂଳାପ କାନରେ ଶୁଣିଲା ପରି ନ ଥିଲା। ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପରିବେଷିତ ହେଉଥିବା ଯାତ୍ରା ସଂଳାପରେ ଦ୍ବିଅର୍ଥବୋଧକ ସାଙ୍ଗକୁ କଳାକାରଙ୍କ ଅଭିନୟରେ ନଗ୍ନତା ଦେଖିବାକୁ ମିଳିଛି। ଗାଁଠୁ ସହର ପର୍ଯ୍ୟନ୍ତ, ସବୁଠି ଏଭଳି ଚିତ୍ର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘ ସମ୍ପାଦକ ଆର୍ କେ ହୀରାଲାଲ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ସ୍ବାଗତଯୋଗ୍ୟ। ବହୁ ପୂର୍ବରୁ କଟକଣା ଲଗାଯିବାର ଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l