ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଜାନୁଆରି ୨୯ ତାରିଖରେ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୋପାଳ ଦାସର ହତ୍ୟା ନିଷ୍ପତ୍ତି ଆଦୌ ଆକସ୍ମିକ ନଥିଲା। ବରଂ ମନ୍ତ୍ରୀଙ୍କୁ କିଭଳି ହତ୍ୟା କରିବ, ସେ ନେଇ ପୂର୍ବ ରାତିରେ ହିଁ ସମସ୍ତ ପ୍ରସ୍ତୁତି ସାରିଥିଲା ଗୋପାଳ। ବ୍ରଜରାଜନଗରରେ ନିଜ ଭାଇ ପାଇଁ ଯେଉଁ ହୋଟେଲ (ବ୍ରହ୍ମପୁର ହୋଟେଲ୍) ତିଆରି କରିଥିଲା, ତାହା ଥିଲା ହତ୍ୟା ଷଡ଼୍ଯନ୍ତ୍ରର ମୁଖ୍ୟସ୍ଥଳୀ। ସେଇଠାରେ ହିଁ ମନ୍ତ୍ରୀ ହତ୍ୟାର ବ୍ଲୁ-ପ୍ରିଣ୍ଟ୍କୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା।
କେବଳ ସେତିକି ନୁହେଁ, ଏହି ଅପରେସନ୍ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଏନେଇ ଯେମିତି କେହି କିଛି ସୁରାକ୍ ପାଇବେ ନାହିଁ, ସେନେଇ ଗୋପାଳ ଢେର୍ ସାରା ଉଦ୍ୟମ କରିଛି। ଏପରିକି ନିଜ ବଡ଼ ଭାଇକୁ ବି ଗାଁକୁ ପଠାଇ ଦେଇଥିଲା। ବିଳମ୍ବିତ ରାତିରେ ଯେତେବେଳେ ମନ୍ତ୍ରୀ ହତ୍ୟାର ସମସ୍ତ ଯୋଜନା ପ୍ରସ୍ତୁତ ହୋଇଗଲା, ସେବେ ସେହି ହୋଟେଲ୍ରେ ହିଁ ଗୋପାଳ କାହିଁକି ସେ ମନ୍ତ୍ରୀଙ୍କୁ ହତ୍ୟା କରୁଛି, ସେକଥା ନାଲି କାଳିରେ ସ୍କ୍ରିପ୍ଟ (ଚିଠିର କିଛି ଅଂଶ ପାଇଖାନା ଟାଙ୍କିରୁ ଜବତ ହୋଇଥିବା କ୍ରାଇମବ୍ରାଞ୍ଚ ଦାବି କରିଛି) ଲେଖିବସିଲା। ଆଉ ତା’ ପରଦିନ ଅର୍ଥାତ୍ ୨୯ ତାରିଖରେ ଯେମିତି ଯୋଜନା କରିଥିଲା, ଠିକ୍ ସେମିତି ସେସବୁ ସଫଳ ଭାବେ କାର୍ଯ୍ୟକାରୀ କଲା। ଅର୍ଥାତ୍ ଦିନ ଦି’ ପହପରେ ସମୁଦାୟ ପୁଲିସ ବ୍ୟବସ୍ଥାକୁ କାଠଗଡ଼ାରେ ଠିଆ କରି ଦେଇ ଗୋପାଳ ମନ୍ତ୍ରୀଙ୍କୁ ଗୁଳି କରିଦେଲା। ନା ଗୁଇନ୍ଦା କିଛି ଟେର୍ ପାଇଲା ନା ପିଏସ୍ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରିଲା। ବାଡ଼ କ୍ଷେତ ଖାଇବା ଭଳି ଜିଲ୍ଲା ପୁଲିସ ଭିତରୁ ହିଁ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ବଡ଼ ଷଡ଼୍ଯନ୍ତ୍ର କରିଛି, ସେ ନେଇ ଏସ୍ପି ଜାଣିପାରିଲେନି କିମ୍ବା ଗୋପାଳର ସହଯୋଗୀ ଅଥବା ମନ୍ତ୍ରୀଙ୍କ ବିରାଟ ରାଜନୈତିକ ଦରବାର ଟେର୍ ପାଇଲେନି।
ପୂର୍ବ ରାତିରେ ଯୋଜନା କଲା, ଦି’ପହରେ ମାରିଲା
ଯୋଜନାବଦ୍ଧ ହତ୍ୟାକାଣ୍ଡ; ଭାବିଚିନ୍ତି ମାରିଛି
ନିମହାନ୍ସରେ ସ୍ବାସ୍ଥ୍ୟ ପରୀକ୍ଷା ଆବେଦନ ନେଇ ମୁଣ୍ଡ ଟେକିଲାଣି ବିତର୍କ
୪ ଜଣିଆ ଡାକ୍ତରୀ ରିପୋର୍ଟ କହୁଛି, ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ଅଛି
ଗୋପାଳ ପାଗଳ ନୁହେଁ, ପ୍ରମାଣ ପାଇଁ ଅଧିକ ପରୀକ୍ଷା ଜରୁରୀ: କ୍ରାଇମ୍ବ୍ରାଞ୍ଚ
ଏସବୁ କଥାକୁ ଆହୁରି ସରଳ ବା ସଂକ୍ଷେପରେ କହିଲେ, ଅଭିଯୁକ୍ତ ଗୋପାଳର ନା ମାନସିକ ବିକୃତି ଅଛି ନା ସେ ପାଗଳାମୀ କାରଣରୁ ମନ୍ତ୍ରୀଙ୍କୁ ହତ୍ୟା କରିଛି। ବରଂ ବହୁ ଭାବିଚିନ୍ତି, ପୂରା ସ୍କ୍ରିପ୍ଟ ପ୍ରସ୍ତୁତ କରି ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛି, ଗୋପାଳ; ତା ଢଙ୍ଗରେ।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ହାତକୁ ନେଇଥିବା କ୍ରାଇମ୍ବ୍ରାଞ୍ଚର ତଦନ୍ତରୁ ଏଭଳି ସାଂଘାତିକ ତଥ୍ୟ ଧୀରେ ଧୀରେ ପଦାକୁ ଆସୁଛି। ତେବେ ଷଡ୍ଯନ୍ତ୍ର ପଛରେ କି କାରଣ ରହିଛି, ଗୋପାଳ ପଛରେ ଆଉ କିଏ ଅଛନ୍ତି ନା ସେ ନିଜେ ହିଁ କୌଣସି କାରଣରୁ ଏଭଳି କଠୋର ନିଷ୍ପତ୍ତି ନେଇଛି, ସେ ସଂକ୍ରାନ୍ତରେ ଠୋସ୍ କିଛି ନିଷ୍କର୍ଶରେ ତଦନ୍ତକାରୀ ଅଧିକାରୀ ଆଜି ବି ପହଞ୍ଚିନାହାନ୍ତି। ମାତ୍ର ନବଙ୍କୁ ଗୋପାଳ ଯୋଜନା ବଦ୍ଧ ଭାବେ ହତ୍ୟା କରିଛି, ଏ ନେଇ ତଦନ୍ତକାରୀ ଅଧିକାରୀ ଆଉ ସନ୍ଦେହରେ ନାହାନ୍ତି। ମାମଲାର ତଦନ୍ତ ପ୍ରକ୍ରିୟାରେ ସାମିଲ ଥିବା ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଏଭଳି ସୂଚନା ମିଳୁଛି।
ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ କିନ୍ତୁ ବିତର୍କର ବଳୟରୁ ବାହାରି ପାରୁନାହିଁ। ଏଇଥିପାଇଁ ଯେ ଗୋପାଳର ମାନସିକ ଅବସ୍ଥାର ପୁନଃ ଯାଞ୍ଚ ଲାଗି କ୍ରାଇମବ୍ରାଞ୍ଚ ତାକୁ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲ୍ଥ ଆଣ୍ଡ ନ୍ୟୁରୋସାଇନ୍ସ (ନିମ୍ହାନ୍ସ)କୁ ନେବାକୁ ଚାହୁଁଥିଲା। ଏପରିକି ନିମ୍ହାନ୍ସରେ ତାଙ୍କୁ ୩ ସପ୍ତାହ ରଖିବାକୁ ପଡ଼ିବ ବୋଲି କ୍ରାଇମବ୍ରାଞ୍ଚ ପ୍ରଥମେ ଝାରସୁଗୁଡା ଜେଏମ୍ଏଫ୍ସି କୋର୍ଟରେ ଆବେଦନ କରିଥିଲା। ମାତ୍ର କୋର୍ଟ ଏହାକୁ ଖାରଜ କରିଦେଲେ। ପରେ କ୍ରାଇମବ୍ରାଞ୍ଚ ପୁଣି ଥରେ ଜିଲ୍ଲା ଜଜ୍ କୋର୍ଟରେ ଆବେଦନ କରିଥିଲା। ଜିଲ୍ଲା ଜଜ୍ ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟକୁ ମାମଲା ହସ୍ତାନ୍ତର କରିଥିଲେ ଓ ଗତ ୩ ତାରିଖରେ ଏହା ପୁଣି ଖାରଜ ହୋଇଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଏହି ମାମଲାଟି ଏବେ ହାଇକୋର୍ଟକୁ ଯିବ। କ୍ରାଇମବ୍ରାଞ୍ଚ ଯେ କୌଣସି ମୁହୂର୍ତରେ ଗୋପାଳକୁ ନିମ୍ହାନ୍ସ ନେବା ପାଇଁ ହାଇକୋର୍ଟରେ ଆବେଦନ କରିପାରେ।
ପ୍ରଶ୍ନ ଉଠୁଛି, ଗୋପାଳ ଯୋଜନାବଦ୍ଧ ଭାବେ ନବ ଦାସଙ୍କୁ ହତ୍ୟା କରିଛି ବୋଲି ତଥ୍ୟ ଏକାଠି କରିବା ପରେ କାହିଁକି ବା କି ଉଦ୍ଦେଶ୍ୟ ରଖି କ୍ରାଇମବ୍ରାଞ୍ଚ ପୁଣି ହାଇକୋର୍ଟ ଯିବାକୁ ଚାହୁଁଛି?
ବିରୋଧୀ ମହଲରେ ମତ ଉଠୁଛି ଯେ ଗୋପାଳ ପାଗଳ ଥିଲା, ଏ ସଂକ୍ରାନ୍ତ ପ୍ରମାଣ ଯୋଗାଡ଼ କରିବା ଲାଗି କ୍ରାଇମବ୍ରାଞ୍ଚ ଲାଗିପଡ଼ିଛି। ଖାସ୍ ଏଇଥିପାଇଁ ଏଭଳି ପଦକ୍ଷେପ ନେଉଛି ବା ବିଦେଶୀ ସଂସ୍ଥାର ସହଯୋଗ ପର୍ଯ୍ୟନ୍ତ ଯିବାକୁ ଚାହୁଁଛି।
ହେଲେ କ୍ରାଇମ୍ବ୍ରାଞ୍ଚ ଅଧିକାରୀଙ୍କ ଯୁକ୍ତି ଏ କ୍ଷେତ୍ରରେ ଟିକିଏ ଅଲଗା। ଏହି ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଉଛି, ଗୋପାଳ ଦାସ ଜାନୁଆରି ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ଘଟଣା ପ୍ରଚାରିତ ହେବା ପରେ ଦୁଇଟି କଥା ସାମ୍ନାକୁ ଆସିଲା। ଗୋପାଳ ବ୍ରହ୍ମପୁର ସହରର ବାସିନ୍ଦା ବୋଲି ଜଣାପଡ଼ିବା ପରେ ଗଣମାଧ୍ୟମ ତୁରନ୍ତ ତାର ପରିବାର ନିକଟରେ ପହଞ୍ଚିଲେ ଓ ସେଠାରେ ଗୋପାଳର ମାନସିକ ସ୍ଥିତି ଠିକ୍ ନଥିଲା ବୋଲି ତାଙ୍କ ପତ୍ନୀ ବୟାନ ଦେଲେ। କଥା କେବଳ ସେତିକିରେ ଅଟକିଲା ନାହିଁ- ଗୋପାଳ ଯେଉଁ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିଲେ ସେ ମଧ୍ୟ ସାମ୍ନାକୁ ଆସି ବୟାନ ଦେଲେ। ଅତଏବ, ଏହି ମାମଲାକୁ ଭିନ୍ନ ଦିଗକୁ ମୋଡ଼ି ଦେବା ଲାଗି ଏହା ଗୋଟିଏ ଉଦ୍ୟମ ବୋଲି କୁହାଯାଇପାରେ।
ଏବେ ତଦନ୍ତକାରୀ ଅଧିକାରୀଙ୍କ ପାଖରେ ଚ୍ୟାଲେଞ୍ଜ ହେଲା, ଗୋପାଳ ଆଦୌ ପାଗଳ ନଥିଲା, ଏ ସଂକ୍ରାନ୍ତ ପ୍ରମାଣ ତଦନ୍ତକାରୀ ଅଧିକାରୀଙ୍କୁ ଏକାଠି କରିବାକୁ ପଡ଼ିବ। ଅନ୍ୟଥା କୋର୍ଟରେ ଯଦି ଅପରପକ୍ଷ ଗୋପାଳର ମାନସିକ ସ୍ଥିତି ଠିକ୍ ନଥିଲା, ଏକଥା ପ୍ରମାଣ କରିଦିଅନ୍ତି, ତେବେ ଅଭିଯୁକ୍ତ ଖଲାସ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଏଦୃଷ୍ଟିକୋଣରୁ କ୍ରାଇମବ୍ରାଞ୍ଚ ଏ ସଂକ୍ରାନ୍ତ ଅଧିକରୁ ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ବାଧ୍ୟ। ତେବେ ସେ କେଉଁ ସଂସ୍ଥାର ରିପୋର୍ଟକୁ ଭରସା କରିବେ, ଚାରି ଜଣିଆ ଡାକ୍ତରୀ ଟିମ୍ର କି ନିମହାନ୍ସର ଅଥବା ବିଶ୍ବସ୍ତରୀୟ ସଂସ୍ଥାମାନଙ୍କ ଠାରୁ ରିପୋର୍ଟ ଆଣିବେ, ତାହା ତଦନ୍ତର ନେତୃତ୍ବ ନେଉଥିବା କ୍ରାଇମବ୍ରାଞ୍ଚ ଉପରେ ହିଁ ନିର୍ଭର କରେ।
ଉଲ୍ଲେଖଥାଉକି, ଗୋପାଳ ଦାସ ଯେ ପାଗଳ ନ ଥିଲା, ଏକଥା ଚାରିଜଣିଆ ଡାକ୍ତରୀ ଟିମ୍ ରିପୋର୍ଟରେ ରହିଥିବା ସୂଚନା ମିଳିଛି। ଚାରିଜଣିଆ ମେଡ଼ିକାଲ ବୋର୍ଡ ଗୋପାଳର ମନ୍ତସ୍ତତ୍ବ ପରୀକ୍ଷଣ କରିବା ପରେ ଏ ସଂକ୍ରାନ୍ତ ରିପୋର୍ଟ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଡିଏମ୍ଇଟି ଏହି ବୋର୍ଡ ଗଠନ କରିଥିଲେ।
ଏହି ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଗୋପାଳର ଆଚରଣ ଓ କଥାବାର୍ତ୍ତାରେ ଆଦୌ ଅସମାଞ୍ଜସ୍ୟ ନଥିଲା, ବରଂ ସେ ପୂରା ସ୍ବାଭାବିକ ଥିଲା। ସେ ମୁହଁକୁ ଚାହିଁ ସିଧା ସିଧା କଥାବାର୍ତ୍ତା କରିପାରୁଥିଲା। ତାର ସ୍ମୃତି ଶକ୍ତିରେ ଆଦୌ ବିଲକ୍ଷଣ ପରିଲକ୍ଷିତ ହେଉନଥିଲା। ବିଚାର କ୍ଷମତା ଓ ଚିନ୍ତନ ଶକ୍ତି ଅତି ସାଧାରଣ ବା ସ୍ବାଭାବିକ ଥିଲା। ସେ ପୂରା ଫିଟ୍ ଥିଲା। ଅତଏବ ଗୋପାଳ ଆଦୌ ପାଗଳ ନୁହେଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l