ନୂଆଦିଲ୍ଲୀ : ଗୁଜରାଟର ନବସାରୀରେ ଶନିବାର ସକାଳେ ଏକ ଯାତ୍ରୀବାହୀ ବସ୍ ଏବଂ ଏସ୍ୟୁଭି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩୨ ଜଣ ଆହତ ହୋଇଛନ୍ତି। ଭୋର୍ ପ୍ରାୟ ୩.୨୦ ସମୟରେ ଭେସ୍ମା ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି। ବସ୍ଟି ଭଲସାଦ ଅଭିମୁଖେ ଯାତ୍ରା କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଏସ୍ୟୁଭି କାର୍ (ଟୟୋଟା ଫର୍ଚୁନର) ବସ୍ରେ ପିଟି ହୋଇଯାଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏସ୍ୟୁଭିରେ ଥିବା ୯ ଜଣ ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଏବଂ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଆହତଙ୍କ ପରିବାର ସଦସ୍ୟଙ୍କୁ ୫୦ ହଜାର କ୍ଷତିପୂରଣ ଘୋଷଣା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି।
ନବସାରୀ ଏସ୍ପି ଋଷିକେଶ ଉପାଧ୍ୟାୟଙ୍କ ସୂଚନା ଅନୁଯାୟୀ ବସ୍ ଡ୍ରାଇଭରଙ୍କ ହୃଦ୍ଘାତ ହେବାରୁ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଦେଇଥିଲେ। ଫଳରେ ବସ୍ଟି ଡିଭାଇଡର୍ ଡେଇଁ ଅପରପାର୍ଶ୍ବ ରାସ୍ତାରେ ଆସୁଥିବା ଏସ୍ୟୁଭି ସହ ଧକ୍କା ହୋଇଥିଲା। ବସ୍ରେ ଥିବା ଅଧିକାଂଶ ଯାତ୍ରୀ ଭଲସାଦ ଜିଲ୍ଲାର। ଅନ୍ୟପକ୍ଷେ ଏସ୍ୟୁଭିରେ ଥିବା ଯାତ୍ରୀମାନେ ଯଥାକ୍ରମେ ଭାରୁଚ, ଜୁନାଗଡ଼, ରାଜକୋଟ ଏବଂ ସୁରଟ ବାସିନ୍ଦା ବୋଲି ଜଣାପଡ଼ିଛି।