ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲେଶ୍ବର ଉପକୂଳରୁ ହଜିଗଲେଣି ନାଲି କଙ୍କଡ଼ା

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସାମୁଦ୍ରିକ ବେଳାଭୂମିରେ ଅନନ୍ୟ ସୌନ୍ଦର୍ଯ୍ୟ ହେଉଛି ନାଲି କଙ୍କଡ଼ା। ବିଶେଷ କରି ଚାନ୍ଦିପୁର, ପରିଖି, ଡଗରା, ତାଳସାରୀ ଓ ଉଦୟପୁର ବେଳାଭୂମିରେ ଏହି ନାଲିକଙ୍କଡ଼ାଙ୍କୁ ଦେଖିବାକୁ ମିଳିଥାଏ। ଯାହା ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିବା ସହ ଏଠାକାର ପରିବେଶକୁ ମଧ୍ୟ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ। ତେବେ ପ୍ରତିକୂଳ ପରିବେଶ ଯୋଗୁ ଏମାନଙ୍କ ସଂଖ୍ୟା ଏବେ ବହୁଳ ଭାବେ ହ୍ରାସ ପାଇବା‌ରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସ୍ଥାନୀୟଲୋକଙ୍କ କହିବା ଅନୁସାରେ ପୂର୍ବରୁ ବିସ୍ତୀର୍ଣ୍ଣ ବେଳାଭୂମିରେ ଏମାନଙ୍କର ସଂଖ୍ୟା ଢେର ଅଧିକ ଥିଲା। ବେଳାଭୂମିର ଆରମ୍ଭରୁ ୨/୩ କିମି ପର୍ଯ୍ୟନ୍ତ ଏମାନଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିଲା। ସମୁଦ୍ରର ଜୁଆର ଓ ଭଟ୍ଟା ସମୟରେ ଏମାନଙ୍କୁ ଦେଖିବାକୁ ମିଳିଥାଏ। କୁନିକୁନି ଗୋଡ଼ରେ ପାଣି ଆସିବା ମାତ୍ରେ ଏମାନେ ଗାତଖୋଳି ଲୁଚିଯାନ୍ତି ଏବଂ ପାଣି ଛାଡ଼ିଗଲେ ପୁଣିଥରେ ଗାତରୁ ବାହାରି ବାଲି ଉପରକୁ ଆସିଥାନ୍ତି। ବେଳାଭୂମିର ବାଲି ଉପରେ ଯେତେବେଳେ ଏମାନେ ଦଳଦଳ ହୋଇ ଦେଖାଯାଆନ୍ତି ଏକ ନାଲି ଗୋଲାପ ଚାଦରର ଭ୍ରମ ସୃଷ୍ଟି କରିଥାଏ। ବେଳାଭୂମି ଉପରେ ଏହି ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଏହି ଅଞ୍ଚଳକୁ ଛୁଟି ଆସନ୍ତି। କିନ୍ତୁ ସମୁଦ୍ର ବେଳାଭୂମିରେ ପ୍ରତିଦିନ ଅବାଧ ଗାଡ଼ିଚାଳନା, ବିସ୍ତୀର୍ଣ୍ଣ ବେଳାଭୂମିରେ ପର୍ଯ୍ୟଟକମାନେ ବୁଲିବା ବେଳେ ପ୍ଲାଷ୍ଟିକ ଜିନିଷ ପକାଇବା, ସମୁଦ୍ର ଭିତରେ ଅହରହ ମୋଟରବୋଟ୍‌ ଚାଳନା ଓ ମାଛ ଧରିବା ପାଇଁ ଜାଲମାଡ଼ ଯୋଗୁ ଏହି ନାଲିକଙ୍କଡ଼ାଙ୍କ ସଂଖ୍ୟା ଆଉ ପୂର୍ବଭଳି ଦେଖିବାକୁ ମିଳୁନାହାନ୍ତି। ଏନେଇ ଜିଲ୍ଲା ପ୍ରଶାସନ, ବନବିଭାଗ, ସ୍ଥାନୀୟ ଲୋକ ପ୍ରତିନିଧି ଏପରିକି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି।

ପ୍ରଦୂଷିତ ହେଉଛି ସାମୁଦ୍ରିକ ପରିବେଶ, ହେଉନି କାର୍ଯ୍ୟାନୁଷ୍ଠାନ
ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦିଆଯାଉନି ଗୁରୁତ୍ବ, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ
ସେହିପରି ଇଣ୍ଟର ନ୍ୟାସନାଲ ୟୁନିୟନ ଫର୍‌ କନଞ୍ଜରଭେସନ୍‌ ଅଫ୍‌ ନେଚର(ଆଇୟୁସିଏନ୍‌)ର ବୈଜ୍ଞାନିକ ତଥା ଗବେଷକ ଡକ୍ଟର ସିଦ୍ଧାର୍ଥ ପତି ଏନେଇ କହିଛନ୍ତି, ସାମୁଦ୍ରିକ ପରିବେଶ ସନ୍ତୁଳନ ରଖିବାରେ ନାଲି କଙ୍କଡ଼ା ବା ଅକିପଡ୍‌ ମେକ୍ରୋସେରା ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଯେପରିକି ସମୁଦ୍ର ବେଳାଭୂମିରେ ପଡ଼ୁଥିବା ଜୈବିକ ଆବର୍ଜନାକୁ ନଷ୍ଟ କରିବା ସହ ପରିବେଶ ପ୍ରଦୂଷଣ ରୋକିବାରେ ଏମାନେ ସହାୟକ ହୋଇଥାନ୍ତି। ତେବେ ବର୍ତ୍ତମାନ ସମୁଦ୍ରରେ ମଣିଷକୃତ କେତେକ ଅସୁବିଧା‌ କାରଣରୁ ସେମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ନାଲିକଙ୍କଡ଼ାଙ୍କ ସୁରକ୍ଷା ଲାଗି ୨୦୧୩ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମରେ ଅନ୍ତର୍ଭୁକ୍ତ କରିବା ଲାଗି ବନବିଭାଗ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଏବେ ସୁଦ୍ଧା ସେହି ପ୍ରସ୍ତାବ ଫାଇଲ୍‌ ଭିତରେ ସୀମିତ ରହିଛି। ପରିବେଶ ପାଇଁ ଏଭଳି ଅନୁକୂଳ ବାତାବରଣ ସୃଷ୍ଟି କରୁଥିବା ପ୍ରାଣୀ ଆଗକୁ ବିଲୁପ୍ତ ହେବା ପୂର୍ବରୁ ସେମାନଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଆବଶ୍ୟକ ରହିଛି। ଯେମିତିକି ଜିଆଇଏସ୍‌ ମ୍ୟାପିଂ ଦ୍ୱାରା ସେମାନଙ୍କ ଗତିବିଧି ଉପରେ ଦୃଷ୍ଟି ରଖିବା, ସଂଖ୍ୟା ଆକଳନ ଏବଂ ବେଳାଭୂମିକୁ ପ୍ଲାଷ୍ଟିକମୁକ୍ତ କରିବାର ଆବଶ୍ୟକତା ରହିଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସରକାର ବେଳାଭୂମିର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଉପରେ ଗୁରୁତ୍ବ ଦେଉଥିବା ବେଳେ ପ୍ରାକୃତିକ ‌ସୌନ୍ଦର୍ଯ୍ୟ ତଥା ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ନଦେବା ଦୁର୍ଭାଗ୍ୟଜନକ। ଏଦିଗରେ ଆବଶ୍ୟକ ସଚେତନତା ଓ କଟକଣା ଜାରି କରାଗଲେ ନାଲିକଙ୍କଡ଼ାଙ୍କ ସଂଖ୍ୟା ପୁଣିଥରେ ବାଲେଶ୍ବର ଜିଲ୍ଲାର ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳରେ ପୁଣିଥରେ ବଢ଼ିପାରିବ ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।