ନୂଆଦିଲ୍ଲୀ ୨୫/୦୧ : କନ୍ନଡ଼ ଅଭିନେତ୍ରୀ ତଥା ବିଗ ବସ କନ୍ନଡ଼ର ପୂର୍ବତନ ପ୍ରତିଯୋଗୀ ଜୟଶ୍ରୀ ରମେୟାଙ୍କ ମୃତଦେହ ଉଦ୍ଧାର ହୋଇଛି। ବେଙ୍ଗାଲୁରୁ ସ୍ଥିତ ତାଙ୍କ ବାସଭବନରୁ ଜୟଶ୍ରୀଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ସେ ବହୁ ସମୟ ଧରି ଡିପ୍ରେସନରେ ଥିଲେ। ବେଙ୍ଗାଲୁରୁର ସନ୍ଧ୍ୟା କିରଣ ଆଶ୍ରମରେ ତାଙ୍କର ଚିକିତ୍ସା ଚାଲିଥିଲା। ଜୟଶ୍ରୀ ରମେୟା ବିଗ୍ ବସ୍ ସିଜନ୍-୩ ରେ ପ୍ରତିଯୋଗୀ ଥିଲେ। ଜୟଶ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ କନ୍ନଡ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି।
ସୂଚନା ଅନୁଯାୟୀ, ସୋମବାର ଦିନ ଜୟଶ୍ରୀ ନିଜ ପରିବାର ଓ ସାଙ୍ଗମାନଙ୍କ ଫୋନ ରିସିଭ କରିନଥିଲେ ସେତେବେଳେ ତାଙ୍କ ସାଙ୍ଗମାନେ ଆଶ୍ରମକୁ ଯୋଗାଯୋଗ କରିଥିଲେ। ଆଶ୍ରମ ସଞ୍ଚାଳକ ଆସି ଦେଖିଲାବେଳେ ଜୟଶ୍ରୀଙ୍କ ମୃତଦେହ ପଙ୍ଖାରେ ଝୁଲୁଥିଲା। ଏହାପରେ ଆଶ୍ରମ ସଞ୍ଚାଳକ ପୋଲିସକୁ ସୂଚନା ଦେଇଥିଲେ।