ବ୍ରାସିଲିଆ/ କ୍ୟୁବା : ଚଳିତ କୋପା ଆମେରିକା ଫୁଟ୍ବଲ୍ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ରେ ପାରାଗୁଏ ଓ ଉରୁଗୁଏ ପ୍ରବେଶ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା ଦୁଇଟି ମ୍ୟାଚ୍ରେ ପାରାଗୁଏ ଏବଂ ଉରୁଗୁଏ ନିଜ ନିଜ ମ୍ୟାଚ୍ ଜିତି ଗ୍ରୁପ୍-ଏର ଶ୍ରେଷ୍ଠ ୪ ଦଳ ମଧ୍ୟରେ ରହି ଚିଲି, ଆର୍ଜେଣ୍ଟିନା ସହ ଏହି ଯୋଗ୍ୟତା ଅର୍ଜନ କରିଥିଲେ। ପାରାଗୁଏ ୬ ପଏଣ୍ଟ୍ ସହ ଆର୍ଜେଣ୍ଟନା (୭) ପଛକୁ ଦ୍ବିତୀୟରେ ରହିଥିଲା ବେଳେ ଚିଲି (୫) ତୃତୀୟ ଏବଂ ଉରୁଗୁଏ (୪) ଚତୁର୍ଥ ସ୍ଥାନରେ ରହିଛନ୍ତି। ବଲଭିଆ ପଏଣ୍ଟ୍ ଶୂନ୍ୟ ସହ ଶେଷ ସ୍ଥାନରେ ରହିଛି।

ମିଗୁଏଲ ଆଲମିରନ
ବ୍ରାସିଲିଆର ମାନେ ଗାରିଞ୍ଚା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ପାରାଗୁଏ ୨-୦ ଗୋଲ୍ରେ ଚିଲିକୁ ପରାସ୍ତ କରିଥିଲା। ମିଗୁଏଲ ଆଲମିରନଙ୍କ ଏକ ସୁନ୍ଦର ପାସ୍କୁ ବ୍ରାଏନ ସାମୁଦିଅ (୩୩ ମିନିଟ୍) ଗୋଲ୍ରେ ପରିଣତ କରି ପାରାଗୁଏକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ୫୮ତମ ମିନିଟ୍ରେ ପାରାଗୁଏକୁ ମିଳିଥିବା ଏକ ପେନାଲ୍ଟିକୁ ଆଲମିରନ ସଫଳତାର ସହ ଚିଲି ଗୋଲ୍ ପୋଷ୍ଟକୁ ପଠାଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ଏହି ଦୁଇ ଗୋଲ୍ରେ ନିଜର ଅବଦାନ ରଖି ଆଲମିରନ ପାରାଗୁଏକୁ ପୂରା ୩ ପଏଣ୍ଟ ଭେଟି ଦେଇଥିଲେ।
କ୍ୟୁବାର ଏରିନାରେ ଖେଳାଯାଇଥିବା ଏହି ଗ୍ରୁପ୍’ର ଅନ୍ୟ ଏକ ମ୍ୟାଚ୍ରେ ଉରୁଗୁଏ ୨-୦ରେ ବଲିଭିଆକୁ ପରାସ୍ତ କରିଥିଲା। ବଲଭିଆର ଜାଇରୋ କ୍ବେଣ୍ଟରସ୍ (୪୦ ମିନିଟ୍)ଙ୍କ ଆତ୍ମଘାତୀ ଗୋଲ୍ ବଳରେ ଉରୁଗୁଏ ପ୍ରଥମାର୍ଦ୍ଧ ୧-୦ରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧ ଶେଷ ହେବାର ୧୧ ମିନିଟ୍ ପୂର୍ବରୁ ଏଡିନସନ କାଭାନି (୭୯ ମିନିଟ୍) ଉରୁଗୁଏ ପାଇଁ ଦ୍ବିତୀୟ ଗୋଲ୍ କରି ଦଳକୁ ବିଜୟ ପ୍ରଦାନ କରିଥିଲେ। ଚଳିତ ପ୍ରତିଯୋଗିତାରେ ଏହା ଉରୁଗୁଏର ପ୍ରଥମ ବିଜୟ ବିଜୟ ହୋଇଥିଲା ବେଳେ ବଲିଭିଆ ହ୍ୟାଟ୍ରିକ ପରାଜୟ ବରଣ କରିଥିଲା।