ଭୋପାଳ ୧୭/୪: କରୋନା ମହାମାରୀକୁ ନେଇ ହାହା କାର ପଡ଼ିଥିବା ବେଳେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗୁରୁତର ସଂକ୍ରମିତଙ୍କ ଜୀବନ ବଞ୍ଚାଇବା ପାଇଁ ଦିଆଯାଉଥିବା ରେମଡେସିଭିର ଇଞ୍ଜେକ୍ସନ ଚୋରି ହୋଇଥିବା ନେଇ ଜଣାପଡ଼ିଛି। ଭୋପାଳର ହମିଦିଆ ହସ୍ପିଟାଲରୁ ୮୦୦ ରେମଡେସିଭିର ଇଞ୍ଜେକ୍ସନ ଚୋରି ହୋଇଥିବା ଜଣାପଡ଼ିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି।
ରେମଡେସିଭରର ଇଞ୍ଜେକ୍ସନର ନୂଆ ଷ୍ଟକ୍ କିଛି ଦିନ ପୂର୍ବରୁ ଆସିଥିଲା। ଚୋରି ପଛରେ ହସ୍ପିଟାଲ କର୍ମଚାରୀଙ୍କ ହାତ ଥିବା ନେଇ ଆଶଙ୍କା କରାଯାଉଛି। ଅନ୍ୟପଟେ ୪୨ ହଜାର ଇଞ୍ଜେକ୍ସନ ସପ୍ଳାଏ ହୋଇଥିବା ନେଇ ସରକାର ଦାବି କରୁଛନ୍ତି। ଆଜି ଆହୁରି ୯ ହଜାର ୭୮୮ ଇଞ୍ଜେକ୍ସନ ଆସୁଛି। ୫୦ ହଜାର ଇଞ୍ଜେକ୍ସନ ସପ୍ଲାଏ ପାଇଁ ନିର୍ଦେଶ ଦିଆଯାଇଛି। ଏହି ସବୁର ଡେଲିଭରି ଆଗାମୀ ୩ ଦିନରେ ମଧ୍ୟରେ ହେବ ବୋଲି ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶନିବାର ସକାଳେ ଫୋନ୍ରେ ଅଧିକାରୀଙ୍କ ସହ ଚର୍ଚ୍ଚା କରି ନିର୍ଦେଶ ଦେଇଛନ୍ତି। ରାଜ୍ୟରେ ଅକ୍ସିଜେନ୍, ଇଞ୍ଜେକ୍ସନ୍ ଏବଂ ଅନ୍ୟ ସୁବିଧା ପାଇଁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କ ସହ ଲଗାତାର ସମ୍ପର୍କରେ ରହିବାକୁ ଅଧିକାରୀମାନଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ ଯାହା ହେଉ ନା କାହିଁକି କରୋନା ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଅସାଧୁ ଲୋକମାନେ ଜରୁରୀ ଔଷଧର କଳାବଜାରୀ କରୁଛନ୍ତି।
ଗୁରୁତର କରୋନା ରୋଗୀଙ୍କ ପାଇଁ ରେମଡେସିଭିର ରାମ ବାଣ ବୋଲି କୁହାଯାଉଥିବା ବେଳେ ଦେଶରେ ଏହି ଇଞ୍ଜେକ୍ସନର ଅଭାବ ଦେଖାଦେଇଛି। ଠିକ ଏହି ସମୟରେ ଅସାଧୁ ବ୍ୟବସାୟୀ ଏହି ଇଞ୍ଜେକ୍ସନକୁ ୩୦-୪୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେଉଛି। ଏହା ପରେ ସରକାର ରେମଡେସିଭିର ଇଞ୍ଜେକ୍ସନ କଳାବଜାରୀ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।