ଭୁବନେଶ୍ବର : ୨୦୨୪ରେ ସାଧାରଣ ନିର୍ବାଚନ। ଦେଢ଼ ବର୍ଷରୁ କମ୍ ସମୟ ବାକି ଅଛି। ଏଥି ପାଇଁ ତିନି ପ୍ରମୁଖ ଦଳର କସରତ୍ ଆରମ୍ଭ ହୋଇଗଲାଣି। ଲଗାତର ନିର୍ବାଚନରେ ଭଲ ପ୍ରଦର୍ଶନ କରୁଥିବା ବିଜେଡି ବ୍ୟବସ୍ଥିତ ଢଙ୍ଗରେ ୨୦୨୪ ନିର୍ବାଚନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସେହିପରି ବିଜେଡିକୁ କଡ଼ା ମୁକାବିଲା କରିବାକୁ ବିଜେପି ବି ଅଣ୍ଟା ଭିଡ଼ିଛି। ଲଗାତର ଶୋଚନୀୟ ପ୍ରଦର୍ଶନ କରୁଥିବା କଂଗ୍ରେସ ୨୦୨୪ରେ ଭଲ କରିବା ପାଇଁ ଆଶା ବାନ୍ଧିଛି।
ପଦ୍ମପୁର ନିର୍ବାଚନ ଦାୟିତ୍ବରେ ଥିବା ନେତାମାନଙ୍କୁ ଗୁରୁବାର ଦିନ ନବୀନ ନିବାସ ଡକାଯାଇଛି। ପଞ୍ଚାୟତ ସ୍ତରରେ ଦାୟିତ୍ବରେ ଥିବା ନେତାମାନେ ସେମାନଙ୍କ ଅଭିଜ୍ଞତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କହିବେ। ଲୋକଙ୍କ ଆଶା ଆକାଂକ୍ଷା, ସରକାରଙ୍କ କେଉଁ ଯୋଜନାର ଗ୍ରହଣୀୟତା କେତେ, ସରକାରୀ ଯୋଜନା ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚୁଛି କି ନାହିଁ, ଏସବୁ ଉପରେ ନେତାମାନେ ସଭାପତିଙ୍କୁ ଜଣାଇବେ। ତୃଣମୂଳ ସ୍ତରରେ ନିର୍ବାଚନ ପରିଚାଳନା କଲା ବେଳେ କି କି ଅସୁବିଧାର ସାମ୍ନା କରିବାକୁ ପଡ଼ିଲା, ତାହାର ଏକ ଚିତ୍ର ମଧ୍ୟ ଉପସ୍ଥାପନ କରାଯିବ। ଏହି ଅଭିଜ୍ଞତାକୁ ଆଧାର କରି ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବ ବିଜେଡି। ତେଣୁ କାଲିର ବୈଠକ ଦଳ ପାଇଁ ବେଶ୍ ଗୁରୁତ୍ବ ବହନ କରୁଛି।
ପଦ୍ମପୁର ଉପନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ୨୦୨୪ ପାଇଁ ବିଜେପିର ରଣନୀତି କ’ଣ ହେବ ସେନେଇ ପ୍ରସ୍ତୁତି କରିବାକୁ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ଆସନ୍ତା ୧୭ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ୧୭ ଓ ୧୮ତାରିଖ ଦୁଇ ଦିନ ଧରି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏଥିରେ ବିଜେପିର କୋର୍ କମିଟି ସଦସ୍ୟ, ରାଜ୍ୟ ପଦାଧିକାରୀମାନଙ୍କ ସହ ଆଲୋଚନା କରିବେ। ଏହି ବୈଠକକୁ ଜିଲ୍ଲା ସଭାପତିମାନଙ୍କୁ ଡକାଯିବ କି ନାହିଁ ସେନେଇ ନିଷ୍ପତ୍ତି ହୋଇନି। ଅପରପକ୍ଷେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପଦ୍ମପୁର ଗସ୍ତରେ ଯାଇ ବିଜେପି ପ୍ରାର୍ଥୀଙ୍କ ପରାଜୟର ସମୀକ୍ଷା କରୁଛନ୍ତି। ସେ ତାଙ୍କ ରିପୋର୍ଟ କ୍ଷେତ୍ରୀୟ ପ୍ରଭାରୀଙ୍କୁ ପ୍ରଦାନ କରିବେ।
ଆସନ୍ତା ୧୮ତାରିଖରେ ରାଜ୍ୟ କଂଗ୍ରେସର ବି ଏକ ପ୍ରସ୍ତୁତି ବୈଠକ ବସିବ। ଏଥିରେ ଓଡ଼ିଶା ପ୍ରଭାରୀ ଏ.ଚେଲାକୁମାରଙ୍କ ସମେତ ରାଜ୍ୟ କଂ ଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ ନେତୃବନ୍ଦ ଯୋଗଦେବେ। ଦେଶବ୍ୟାପୀ କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରା ପରେ ଏବେ ‘ହାଥ୍ ସେ ହାଥ୍ ଯୋଡ଼ୋ’ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଅଭିଯାନ ଓଡ଼ିଶାରେ କିଭଳି କାର୍ଯ୍ୟକାରୀ ହେବ ତାହା ବିଷୟରେ ଆଲୋଚନା ହେବ ବୋଲି କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି। ତେବେ ନିକଟରେ ପଦ୍ମପୁର ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ନେଇ ସମୀକ୍ଷା ହେବ କି ନାହିଁ ତାହା ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ।
ନିକଟରେ ଛତିଶଗଡ଼ର ରାୟପୁରଠାରେ ଜାତୀୟ କଂଗ୍ରେସର ଏକ ୩ ଦିନିଆ ଅଧିବେଶନ ଆୟୋଜିତ ହୋଇଥିଲା। ଏଥିରେ ଜାନୁଆରି ୨୬ତାରିଖରୁ ୨ମାସ ବ୍ୟାପୀ ‘ହାଥ୍ ସେ ହାଥ୍ ଯୋଡ଼ୋ’ ଅଭିଯାନ ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ବୁଥସ୍ତରରେ ଏହି କାର୍ଯ୍ୟକ୍ରମ କରାଯିବ। ପ୍ରଥମ ପର୍ଯ୍ୟାୟରେ ଗ୍ରାମ ଓ ବ୍ଲକ୍ସ୍ତରରେ, ଦ୍ବିତୀୟରେ ଜିଲ୍ଲାରେ କାର୍ଯ୍ୟକର୍ତାଙ୍କ ମେଳା ଓ ରାଜ୍ୟସ୍ତରରେ କାର୍ଯ୍ୟକର୍ତା ମହାସଙ୍ଗମ ଆୟୋଜିତ ହେବ। ତେଣୁ ଏହି ଅଭିଯାନ ସଂପର୍କରେ ବିଶେଷଭାବେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏହି ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ଚଳିତମାସ ୨୯ତାରିଖ ସୁଦ୍ଧା ଶେଷ କରିବା ଲାଗି ନିର୍ଦେଶ ରହିଛି।