ଭୁବନେଶ୍ବର : ଆସନ୍ତା ୨୪ଘଣ୍ଟା ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। ଅନ୍ୟ ଜିଲ୍ଲାଗୁଡ଼ିକରେ ସେଭଳି କୌଣସି ପରିବର୍ତ୍ତନ ଦେଖାଦେବ ନାହିଁ। ପରବର୍ତ୍ତୀ ଦୁଇ ଦିନ ମଧ୍ୟ ଏହିଭଳି ସ୍ଥିତି ଜାରି ରହିବ। ମାତ୍ର ଏହା ପରେ ଅର୍ଥାତ୍ ୧୮ ତାରିଖ ବେଳକୁ ରାତି ତାପମାତ୍ରା ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ଏବଂ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଗତ ୨୪ଘଣ୍ଟା ମଧ୍ୟରେ ଗଜପତି, କନ୍ଧମାଳ ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ରାଜ୍ୟର ଅନ୍ୟ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିଥିଲା। ଉତ୍ତର ଉପକୂଳ ଓଡ଼ିଶା ସମେତ କଟକ ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଏବଂ ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିଥିବା ଦେଖାଯାଇଥିଲା।