ରାଜ୍ୟ ସ୍ପେଶାଲ ରିପୋର୍ଟ

୧୫ରୁ ଖରା ତାଣ୍ଡବ, ୪୫ଂ ଉପରେ ରହିବ ପାରଦ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୋକା’ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଶୁକ୍ରବାର ଦିନ ଆକାଶ ମେଘୁଆ ରହିଥିଲା। ଆଜି(ଶନିବାର) ମଧ୍ୟ ପାଗରେ ବିଶେଷ ପରିବର୍ତ୍ତନ ଘଟିବ ନାହିଁ। ତେଣୁ ଶୁକ୍ରବାର ଭଳି ଶନିବାର ଦିନ ମଧ୍ୟ ରାଜ୍ୟକୁ ତାତିରୁ ଆଶ୍ବସ୍ତି ମିଳିବ। ହେଲେ ୧୪ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ୨ରୁ ୪ ଡିଗ୍ରି ଯାଏ ଦିନ ତାପମାତ୍ରା ବୃଦ୍ଧି ପାଇବ। ୧୫ ତାରିଖରୁ ନିସ୍ତାର ନାହିଁ। ରାଜ୍ୟରେ ପ୍ରଚଣ୍ଡ ଗ୍ରୀ‌ଷ୍ମ ପ୍ରବାହ ଅନୁଭୂତ ହେବ। ରାଜ୍ୟର ସର୍ବୋଚ୍ଚ ତାପମାତ୍ରା କିଛି କିଛି ସ୍ଥାନରେ ୪୫ ଡିଗ୍ରି ଅତିକ୍ରମ କରିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି ଯେ ୧୫ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଅନୁଗୁଳ ଆଦି ୪ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ଏଣୁ ଏହି ୪ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ୟେଲୋୱାର୍ଣ୍ଣିଂ ଜାରି କରିଛି। ଏଥିସହ ୧୬ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଜନିତ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଖରାକୁ ନ ବାହାରିବା, ଅଧିକ ପରିମାଣରେ ପାଣି ପିଇବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହ କୃଷକମାନଙ୍କୁ ଚାଷ ଜମିରେ ଜଳସେଚନ ଜାରି ରଖିବା ଓ ବିଶେଷକରି ଆଖୁ, ମକା, ମୁଗ ଓ ଡାଲିଜାତୀୟ ଫସଲ ତଥା ପନିପରିବା ଓ ଫସଲକୁ ଜଳସେଚନ ଚାଲୁ ରଖିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଶୁକ୍ରବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଝାରସୁଗୁଡ଼ାଠାରେ ୪୧.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୪୧.୨ଡିଗ୍ରି, ବୌଦ୍ଧରେ ୪୦.୬ ଡିଗ୍ରି, ରାଉରକେଲାରେ ୪୦.୪ ଡିଗ୍ରି ଓ ବଲାଙ୍ଗୀରରେ ୪୦ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ମେଘୁଆ ପାଗ ଯୋଗୁଁ ଆଜି ଭୁବନେଶ୍ବରର ସର୍ବୋ‌ଚ୍ଚ ତାପମାତ୍ରା ୩୭.୨ ଡିଗ୍ରି ଓ କଟକରେ ୩୭ଡିଗ୍ରି ରେକର୍ଡ ହୋଇଛି। କିନ୍ତୁ ପ୍ରବଳ ଗୁଳୁଗୁଳି ଉପକୂଳବାସୀଙ୍କୁ ହନ୍ତସନ୍ତ କରିଥିଲା। ଶନିବାର ଦିନ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ର‌ା ୩୭ ଡିଗ୍ରି ଓ ସର୍ବନିମ୍ନ ୨୭ ଡିଗ୍ରି ରହିବ।

ଇତିମଧ୍ୟରେ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ରହିଥିବା ଭୀଷଣ ବାତ୍ୟା ‘ମୋକା’ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ପୋର୍ଟବ୍ଲେୟାରର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ୫୩୦ କିମି, ବାଂଲାଦେଶର ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୯୫୦ କିମି ଓ ମିଆଁମାର୍‌ର ଦକ୍ଷିଣ-ଦକ୍ଷିଣ ପଶ୍ଚିମରୁ ୮୭୦ କିମି ଦୂରରେ ରହିଛି। ଏହା ଧୀରେ ଧୀରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ଭୀଷଣ ବା‌ତ୍ୟାର ରୂପ ନେବା ସହ ମୋକାର ଆଖି ମଧ୍ୟ ଆଜି ଦୃଶ୍ୟମାନ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଆଜି ରାତିରେ ଅତି ଭୀଷଣ ବାତ୍ୟା ରୂପ ନେବା ସହ ଏହାର ଗତି ଜାରି ରଖିଛି। ଏହି ସ୍ଥିତିରେ ୧୪ ତାରିଖ ମଧ୍ୟାହ୍ନ ସୁଦ୍ଧା ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର୍ ଉପକୂଳ ଅତିକ୍ରମ କରିବ ବାତ୍ୟା ମୋକା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୦ରୁ ୧୬୦ କିମି ତଥା ସ୍ଥଳବିଶେଷରେ ପବନର ବେଗ ୧୭୫କିମି ଛୁଇଁପାରେ। ଏହାର ସିଧାସଳଖ କୌଣସି ପ୍ରଭାବ ଓଡ଼ିଶା ଉପରେ ନ ରହିଲେ ମଧ୍ୟ ଅଧିକାଂଶ ଜିଲ୍ଲାର ପାଗ ଶୁକ୍ରବାର ଦିନ ମେଘୁଆ ରହିଥିଲା। ଆଜି ମଧ୍ୟ ମେଘୁଆ ରହିବ। କିନ୍ତୁ ବର୍ଷା କିମ୍ବା ପବନ ଅଧିକ ରହିବାର ସମ୍ଭାବନା ନାହିଁ। ତେବେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗର, କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ମତ୍ସ୍ୟଜୀବୀମାନଙ୍କ ପ୍ରବେଶ ନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।