ଭୁବନେଶ୍ବର : ରାଜ୍ୟରେ ବେଆଇନ ଲିଙ୍ଗ ନିରୂପଣ ମାମଲା ଆଶାଜନକ ନୁହେଁ। ଗତ ୧୦ବର୍ଷରେ ରାଜ୍ୟରେ ୭୬ଟି ମାମଲା ପଞ୍ଜିକୃତ ହୋଇଛି। ଏଥିରେ ଡାକ୍ତର ଓ କ୍ଲିନିକ୍-ହସ୍ପିଟାଲର ମାଲିକଙ୍କ ସଂପୃକ୍ତି ଅଭିଯୋଗ ବି ରହିଛି। ହେଲେ ବର୍ତ୍ତମାନସୁଦ୍ଧା ମାତ୍ର ୧୪ଜଣଙ୍କୁ ଦଣ୍ଡାଦେଶ ହୋଇଛି।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନ୍ଏଫ୍ଏଚ୍ଏସ୍)-୫ ଅନୁଯାୟୀ ଓଡ଼ିଶାରେ ପ୍ରତି ୧ହଜାର ଶିଶୁପୁତ୍ରଙ୍କ ତୁଳନାରେ ୮୯୪ ଶିଶୁକନ୍ୟା ରହିଛନ୍ତି। ଦିନକୁ ଦିନ ଶିଶୁକନ୍ୟାଙ୍କ ସଂଖ୍ୟାରେ ହ୍ରାସ ହେଉଛି। ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର କରି ଭ୍ରୁଣହତ୍ୟା କରାଯାଉଛି। ୧୯୯୪ ମସିହାରେ ପିସି ଏଣ୍ଡ ପିଏନ୍ଡିଟି ଆଇନ ଆସିବା ସମୟରେ ରାଜ୍ୟରେ ୧୧୯୦ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ ରହିଥିଲା। ତହିଁରୁ ୨୫ ପ୍ରତିଶତ କ୍ଲିନିକ୍ ଏବେ ବନ୍ଦ ହୋଇଗଲାଣି। ତଥାପି ଯେଉଁ କ୍ଲିନିକ୍ ଏବେ କାର୍ଯ୍ୟକ୍ଷମ ରହିଛି ତହିଁରେ ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଛି କି ନାହିଁ ତାହା ସଂପର୍କରେ ସୂଚନା ପାଇବା ଓ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ସରକାର ସୂଚନାଦାତା ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟରେ ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ୍/ହସ୍ପିଟାଲ ସଂପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ତିନିଟି କିସ୍ତିରେ ୨୫ହଜାର ଟଙ୍କା ମିଳିବ। ସୂଚନା ଦେଇଥିବା ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ଗୋପନ ରଖାଯିବ। ବେଆଇନ କ୍ଲିନିକ୍ ସଂପର୍କରେ ସୂଚନା ଠିକ୍ ରହିଥିଲେ ୧୦ହଜାର, କ୍ଲିନିକ୍ ମାଲିକ/ଡାକ୍ତରଙ୍କ ବିରୋଧରେ ଚାର୍ଜଫ୍ରେମ୍ ହେଲେ ଆଉ ୧୦ହଜାର ଓ ଦଣ୍ଡବିଧାନ ହେଲେ ଶେଷ ୫ହଜାର ଟଙ୍କା ଦିଆଯିବ। ଜାତୀୟ ସ୍ବାସ୍ଥ୍ୟ ମିସନ୍(ଏନ୍ଏଚ୍ଏମ୍) ପାଣ୍ଠିରୁ ସୂଚନାଦାତାଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ। ଗତବର୍ଷ ନଭେମ୍ବର ମାସରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କିତ ନିର୍ଦେଶାବଳୀ ଜାରି ହୋଇଥିଲା।

ଏହି ଯୋଜନାକୁ ୬ମାସ ବିତିବାକୁ ବସିଲାଣି, ଆର୍ଥିକ ପ୍ରୋତ୍ସାହନ ଘୋଷଣା ସତ୍ତ୍ବେ ମାମଲା ସଂଖ୍ୟା ବଢ଼ୁ ନ ଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ଏହି ଯୋଜନା ସଂପର୍କରେ ଜନସାଧାରଣ ଅବଗତ ନ ଥିବା କିମ୍ବା ନାମ ପ୍ରଘଟ ହୋଇଯିବା ଭୟରେ ଲୋକମାନେ ଆଗ୍ରହ ଦେଖାଉ ନ ଥିବା କୁହାଯାଉଛି। ବହୁବର୍ଷ ପୂର୍ବରୁ ରାଜ୍ୟ ସରକାର ବେଆଇନ ଲିଙ୍ଗ ନିରୂପଣ କ୍ଲିନିକ୍-ହସ୍ପିଟାଲ ସଂପର୍କରେ ଜାଣିବା ପାଇଁ ଅପରେସନ୍ ‘ଡିକୟ’ ଆରମ୍ଭ କରିଥିଲେ। ହେଲେ ଗୋଟିଏ ଚଢ଼ାଉ ପରେ ଏହା ବନ୍ଦ ହୋଇ ଯାଇଥିଲା। ଆବଶ୍ୟକ ଭିତ୍ତିଭୂମି ନ ଥାଇ ଏଭଳି ଅପରେସନ୍ ଆରମ୍ଭ କରିଥିବାରୁ ସଫଳତା ମିଳି ନ ଥିଲା। ତେଣୁ ରାଜ୍ୟ ସରକାରଙ୍କ ସୂଚନାଦାତା ପ୍ରୋତ୍ସାହନ ଯୋଜନାର ମଧ୍ୟ ‘ଡିକୟ’ ପରିସ୍ଥିତି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବେଆଇନ ଲିଙ୍ଗ ନିରୂପଣ ସଂପର୍କିତ ସୂଚନା ଜିଲ୍ଲାସ୍ତରରେ ଆସିଥାଏ। ସୂଚନାଦାତା ପ୍ରୋତ୍ସାହନ ଯୋଜନା ଘୋଷଣା ପରେ ଏଥିରେ ବିଶେଷ ପରିବର୍ତନ ଦେଖିବାକୁ ମିଳିନାହିଁ। ହୁଏତ ଲୋକମାନଙ୍କ ନିକଟରେ ଏହି ଯୋଜନା ପହଞ୍ଚିନାହିଁ। ତେଣୁ ଜିଲ୍ଲାସ୍ତରରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା ଲାଗି ଚିଠି ଜାରି ହୋଇଛି। ହୋର୍ଡିଂ, ଜନସଭା ଜରିଆରେ ଲୋକମାନଙ୍କୁ ସଚେତନ କରାଯିବ।
ଉଲ୍ଲେଖଯୋଗ୍ୟ, ୨୦୧୨ ମସିହାରୁ ୨୦୨୨ ମସିହା ଭିତରେ ମାମଲାଗୁଡିକ ପଞ୍ଜୀକୃତ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଖୋର୍ଧା, କଟକ, ବାଲେଶ୍ବର ସମେତ ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ବେଆଇନ ଲିଙ୍ଗ ନିରୂପଣ ମାମଲା କରାଯାଇଛି। ବେଆଇନ ଲିଙ୍ଗ ନିରୂପଣ ସଂପର୍କିତ ମାମଲାର ଯାଞ୍ଚ ପାଇଁ ଜିଲ୍ଲାସ୍ତରରେ ଏକ କମିଟି ଗଠନ କରାଯାଇଛି। ଗତବର୍ଷ କେବଳ ୩ଜଣ ଡାକ୍ତରଙ୍କୁ ବେଆଇନ ଲିଙ୍ଗ ନିରୂପଣ ମାମଲାରେ ଦଣ୍ଡାଦେଶ ହୋଇଥିଲା। ଅନ୍ୟ ମାମଲାଗୁଡ଼ିକରେ ଯେପରି ଦଣ୍ଡାଦେଶ ହେବ ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।