ରାଜ୍ୟ

ହାତୀ, ବାଘକୁ ବିପଦ: ନୂଆପଡ଼ାରେ କଲରାପତରିଆର ମୃତ୍ୟୁ; କୁନୋରେ ଆଉ ଏକ ଚିତା ମଲା

ନୂଆପଡ଼ା: ନୂଆପଡ଼ା ବନ ବିଭାଗ ରେଞ୍ଜ ଅଫିସରେ ଗତ ୨୩ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛି ଚିକିତ୍ସାଧୀନ କଲରାପତରିଆ। ସୋମବାର ରାତି ୧୨ଟା ୧୫ ମିନିଟ ସମୟରେ ବାଘଟି ପ୍ରାଣ ହରାଇଥିବା ସୂଚନା ଦେଇଛନ୍ତି ଡିଏଫ୍‌ଓ। ପ୍ରାଣୀ ଚିକିତ୍ସା ବିଭାଗ ବିଶେଷଜ୍ଞଙ୍କ ବାରମ୍ବାର ପରାମର୍ଶ ପରେ ମଧ୍ୟ ବାଘକୁ ଅଧିକ ଚିକିତ୍ସା ପାଇଁ ବାହାରକୁ ନିଆଯାଇ ନଥିଲା। ବନ ବିଭାଗର ଅବହେଳା ଓ ଖାମ୍‌ଖିଆଲି ହେତୁ ଉତ୍ତମ ଚିକିତ୍ସା ନପାଇ ଶେଷରେ ବାଘଟି ମରିଥିବା ଅଭିଯୋଗ ହେଉଛି। ପ୍ରାଣୀ ଚିକିତ୍ସା ବିଭାଗ ଅଧିକାରୀ ବାଘଟିର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଦେଖି ଭୁବନେଶ୍ବର ନେଇ ଚିକିତ୍ସା କରିବାକୁ କହିଥିଲେ। ହେଲେ ଭୁବନେଶ୍ବରରୁ ଓୟୁଏଟି ବିଶେଷଜ୍ଞ ଦଳ ପହଞ୍ଚି ଚିକିତ୍ସା କରିଥିଲେ। ବାଘଟି ରୋଗାକ୍ରାନ୍ତ ଥିବାରୁ ତାକୁ ନନ୍ଦନକାନ୍ଦନ ନେଲେ ସେଠାରେ ଥିବା ଅନ୍ୟ ପ୍ରାଣୀମାନେ ସଂକ୍ରମିତ ହେବେ ବୋଲି ଆଶଙ୍କା କରି ସେମାନେ ନୂଆପଡ଼ାରେ ବାଘର ଚିକିତ୍ସା କରାଯିବ ବୋଲି କହି ଫେରିଯାଇଥିଲେ।

ଗତ ଏପ୍ରିଲ ୧୬ ତାରିଖ ଦିନ ନୂଆପଡ଼ା ରେଞ୍ଜ ଧରମବନ୍ଧା ସେକ୍ସନ ସିଲିଆରିବାହାରା ଗାଁ ଆମକୋନୀ ଜଙ୍ଗଲରୁ ଏହି କଲାରାପତରିଆ ବାଘକୁ ଗୁରୁତର ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଥିଲା। ପରେ ତାକୁ ନୂଆପଡ଼ା ରେଞ୍ଜ ଅଫିସ ପରିସରରେ ଯନ୍ତାରେ ରଖି ଚିକିତ୍ସା ଚାଲିଥିଲା। ବାଘକୁ ରେଞ୍ଜ ଅଫିସରେ  ଅନଭିଜ୍ଞ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଦ୍ବାରା ଚିକିତ୍ସା ଚାଲିଥିଲା। କିନ୍ତୁ, ବାଘର ସ୍ବାସ୍ଥ୍ୟାବସ୍ଥା ସୁଧୁରିବା ବଦଳରେ ଅଧିକ ବିଗିଡ଼ିଥିଲା। ଗତ ୪ରୁ ୫ ଦିନ ହେବ ବାଘ ଖାଇପାରୁ ନଥିଲା। ସୋମବାର ରାତିରେ ତାର ମୃତ୍ୟୁ ଘଟିଛି। ନୂଆପଡ଼ା ରେଞ୍ଜ ଅଫିସ ପରିସରରେ ଗତ ୨୩ ଦିନ ଧରି ଚକିତ୍ସାଧୀନ ଥିବା ବାଘର ମୃତ୍ୟୁ ପରେ ଏବେ ତାର ଅଙ୍ଗପ୍ରତ୍ୟଙ୍ଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମୃତ ବାଘର ୪ଟି ନିଶ ଗାଏବ ଥିବା ଜଣାପଡ଼ିଛି। ମୃତଦେହ ବ୍ୟବଚ୍ଛେଦ ସମୟରେ ୪ଟି ନିଶ ନଥିବା ଜଣାପଡ଼ିଥିଲା। ବାଘର ନିଶ ରୋଗରେ ଝଡ଼ିଯାଇଛି କି କିଏ ନେଇଯାଇଛି ସ୍ପଷ୍ଟ ଜଣାପଡ଼ି ନାହିଁ। ଏନେଇ ଏଡିଭିଓ କେ. ପଣ୍ଡାଙ୍କୁ ପଚାରିବାରୁ ରୋଗରେ ବାଘର ନିଶ ଝଡ଼ିଥିବା ଅନୁମାନ କରାଯାଉଛି, ଅନ୍ୟ ସବୁ ଅଙ୍ଗପ୍ରତ୍ୟଙ୍ଗ ସୁରକ୍ଷିତ ଅଛି ବୋଲି ସେ କହିଛନ୍ତି।

ତିନି ମାସରେ ୩ ଚିତା ଆଖି ବୁଜିଲେଣି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଜି ମାଈ ଚିତା ଦକ୍ଷାର ମୃତ୍ୟୁ ଘଟିଛି। ଦକ୍ଷାକୁ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାରୁ କୁନୋ ଅଣାଯାଇଥିଲା। ମୁଖ୍ୟ ବନ ସଂରକ୍ଷକ ଜିଏସ୍‌ ଚୌହାନ କହିଛନ୍ତି ଯେ ଦକ୍ଷା ସହ ମିଳନ ପାଇଁ ଏକ ଅଣ୍ଡିରା ଚିତାକୁ ପଠାଯାଇଥିଲା। ଉଭୟଙ୍କ ମଧ୍ୟରେ ହିଂସ୍ର ବ୍ୟବହାର ଦେଖିବାକୁ ମିଳିଥିବା ବେଳେ ଅଣ୍ଡିରା ଚିତାର ପଂଝା ଆକ୍ରମଣରେ ଦକ୍ଷା ଆହତ ହୋଇଥିଲା। ଏହାପରେ ତୁରନ୍ତ ଦକ୍ଷାକୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ତା’ର ମୃତ୍ୟୁ ହୋଇଛି। ଗତ ୩ ମାସରେ କୁନୋ ଜାତୀୟ ଉଦ୍ୟାନରେ ୩ଟି ଚିତାର ମୃତ୍ୟୁ ହେଲାଣି। ଏଠାରେ ଏବେ ୧୭ଟି ଚିତା ଅଛନ୍ତି।

ସୂଚନାଯୋଗ୍ୟ, ଭାରତରେ ଚିତାବାଘ ବିଲୁପ୍ତ ହୋଇଯାଇଥିବାରୁ ପୁଣି ଏମାନଙ୍କ ବଂଶବୃଦ୍ଧି ପାଇଁ ଅନ୍ତଃମହାଦେଶୀୟ ପ୍ରାଣୀ ସ୍ଥାନାନ୍ତର କାର୍ଯ୍ୟକ୍ରମ ଅଧୀନରେ ଭାରତକୁ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତାବାଘ ଅଣାଯାଇ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା। ସେମାନଙ୍କ
ମଧ୍ୟରୁ ଦୁଇଟି ଚିତାର ମୃତ୍ୟୁ ନିକଟରେ ହୋଇଥିବା ବେଳେ ଆଜି ତୃତୀୟ ଚିତାର ମୃତ୍ୟୁ ପ୍ରଶାସନକୁ ଚିନ୍ତାରେ ପକାଇଛି। ନିକଟରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଚିତାଙ୍କ ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ସେମାନଙ୍କ ସାମ୍ନା କରୁଥିବା ପ୍ରତିକୂଳ ସ୍ଥିତି ଉପରେ ନଜର ରଖିବାକୁ ଗୁରୁତ୍ବାରୋପ କରିଥିଲେ। ଆଫ୍ରିକା ମହାଦେଶରୁ ଆସିଥିବା ଚିତାଙ୍କ ପାଇଁ କୁନୋ ଜାତୀୟ ଉଦ୍ୟାନରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ। ଏହି ଜାତୀୟ ଉଦ୍ୟାନ ୭୪୮ ବର୍ଗ କିଲୋମିଟରରେ ପରିବ୍ୟାପ୍ତ। ସେଠାରେ ୪୮୭ ବର୍ଗ କିଲୋମିଟରର ବଫର ଜୋନ୍ ରହିଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ଚିତାଙ୍କ ବିଚରଣ ପାଇଁ ପ୍ରାୟ ୧୦୦ ବର୍ଗ କିଲୋମିଟରର ସ୍ଥାନ ଆବଶ୍ୟକ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।