ନୂଆଦିଲ୍ଲୀ,୨୨/୦୨: ଟିମ୍ ଇଣ୍ଡିଆର ଓ୍ୱିକେଟ୍ କିପର ଋଦ୍ଧିମାନ ଶାହଙ୍କୁ ଶ୍ରୀଲଙ୍କା ସିରିଜ୍ ପାଇଁ ସ୍ଥାନ ମିଳିନାହିଁ । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି । ନିକଟରେ ଋଦ୍ଧିମାନ ଏକ ଟ୍ୱିଟ୍ କରି ତାଙ୍କୁ ଜଣେ ସାମ୍ବାଦିକ ଧମକାଉଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ତତ୍ପର ହୋଇ ଉଠିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ । ବିସିସିଆଇ ସମ୍ପାଦକ ଜୟ ଶାହ ଏହି ମାମଲାରେ ଋଦ୍ଧିମାନଙ୍କ ସହ କଥା ହେବେ ବୋଲି ସୂଚନା ମିଳିଛି ।
ବିସିସିଆଇ ବୋର୍ଡ ସେକ୍ରେଟେରୀ ଅରୁଣ ଧୁମଲ କହିଛନ୍ତି ଯେ, ସେମାନେ ଋଦ୍ଧିମାନଙ୍କ ଟ୍ୱିଟ୍ ଓପୁରା ଘଟଣା ବାବଦରେ ଅବଗତ ଅଛନ୍ତି । ସେମାନେ ଏବାବଦରେ ପୁରା କାହାଣୀ ଜାଣିବା ଜରୁରୀ । ତେଣୁ ସେ ଅଧିକ କିଛି ଏବେ କହିବେନି । ଜୟ ଶାହ ନିଶ୍ଚିତ ଋଦ୍ଧିମାନଙ୍କ ସହ କଥା ହେବେ ।
ସୂଚନାଯୋଗ୍ୟ, ଋଦ୍ଧିମାନ ଟ୍ୱିଟରେ ଏକ ସ୍କ୍ରିନସଟ୍ ସେୟାର କରିଥିଲେ । ଯେଉଁଥିରେ ଏକ ସାକ୍ଷାତକାର ପାଇଁ ତାଙ୍କୁ ଜଣେ ସାମ୍ବାଦିକ ଧମକ ଦେଉଥିବା ଦେଖିବାକୁ ମିଳିଥିଲା । ଦଳ ପାଇଁ ଏତେ ମ୍ୟାଚ୍ ଖେଳିବା ସତ୍ତ୍ୱେ ଜଣେ ସାମ୍ବାଦିକ ଏପରି କଥା କହିବା ନିନ୍ଦନୀୟ ବୋଲି ସେ କହିଥିଲେ ।
ଋଦ୍ଧିମାନଙ୍କ ଏହି ଟ୍ୱିଟ୍ ପରେ କ୍ରିକେଟ ଜଗତର ଅନେକ ସଦସ୍ୟ ତାଙ୍କୁ ସମର୍ଥନ କରିଥିଲେ । ପୂର୍ବତନ କୋଚ୍ ରବି ଶାସ୍ତ୍ରୀ, ବିରେନ୍ଦ୍ର ସେହ୍ୱାଗ ସମେତ ଅନେକ ଖେଳାଳି ଟ୍ୱିଟ୍ କରି ଶାହଙ୍କ ସମର୍ଥନରେ ବାହାରିଥିଲେ ।