ରାଜ୍ୟ

ସାମ୍ବାଦିକ ଆଳୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ସାମ୍ବାଦିକ ତଥା ଜଣାଶୁଣା ସିନେ ପ୍ରଯୋଜକ ଆଳୟ ମହାନ୍ତି ଆଉ ନାହାନ୍ତି। ଭୁବନେଶ୍ବର କ୍ୟାପିଟାଲ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୬୫ ବର୍ଷ ହୋଇଥିଲା। ପାର୍ଥିବ ଶରୀରକୁ ହସ୍‌ପିଟାଲ୍‌ରୁ ପ୍ରଥମେ ୟୁନିଟ୍‌-୬ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଅଣାଯିବା ପରେ ସେଠାରେ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ଶେଷ ଦର୍ଶନ କରିଥିଲେ। ଏହାପରେ ମର ଶରୀରକୁ ତାଙ୍କ ଜନ୍ମମାଟି ଜଟଣୀ ବ୍ଲକର ପଦନପୁର ଗ୍ରାମକୁ ନିଆଯାଇଥିଲା। ସେଠାରୁ ପୁରୀ ନିଆଯାଇ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୃତ୍ୟୁଶଯ୍ୟା ନିକଟରେ ଦୁଇ ଝିଅ ଦୀପ୍ତି ମହାନ୍ତି ଓ ତୃପ୍ତି ମହାନ୍ତି, ବୋହୂ ଇତିଶ୍ରୀ ମହାନ୍ତି, ଦୁଇ ଜାମାତା ତରୁଣ ନାୟକ ଓ ସୁନୀଲ ରଥଙ୍କ ସମେତ ଦୁଇ ନାତି ଅଙ୍କିତ ମହାନ୍ତି ଓ ଆଶିଷ ମହାନ୍ତି ଉପସ୍ଥିତ ଥିଲେ। ଏକମାତ୍ର ପୁଅ ଦୀପକ ମହାନ୍ତି ମୁଖାଗ୍ନି ଦେଇଥିଲେ।

ସ୍ବର୍ଗତ ମହାନ୍ତିଙ୍କ ପ୍ରଯୋଜିତ କଳାତ୍ମକ ଚଳଚ୍ଚିତ୍ର ‘ଶୂନ୍ୟ ସ୍ବରୂପ’ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ମାଇଲଖୁଣ୍ଟ। ଏହି ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା। ଏଥିସହ କଳାତ୍ମକ ଚଳଚ୍ଚିତ୍ର ‘ଆଶା’, ‘ଭୁଲ ବୁଝିବନି ମତେ’ ଆଦି ଚଳଚ୍ଚିତ୍ର ସହ ‘ବାଲିଘର’ ଓ ମରୀଚିକା’ ଭଳି ଧାରାବାହିକର ପ୍ରଯୋଜନା ଦାୟିତ୍ବ ସେ ତୁଲାଇଥିଲେ। ସ୍ବର୍ଗତ ମହାନ୍ତିଙ୍କ ବିୟୋଗରେ ଉଭୟ ଚଳଚ୍ଚିତ୍ର ଓ ସା‌ମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ଗୀତାଞ୍ଜଳି ମହାନ୍ତିଙ୍କର କୋଭିଡ୍‌ରେ ପରଲୋକ ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ଶୋକ
ବିଶିଷ୍ଟ ସାମ୍ବାଦିକ ଆଳୟ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତ ମହାନ୍ତି ଜଣେ ବରିଷ୍ଠ ସାମ୍ବାଦିକ ଭାବରେ ଭୁବନେଶ୍ୱର ଓ ସାରା ଓଡ଼ିଶାରେ ଜଣାଶୁଣା ଥିଲେ। ସାମ୍ବାଦିକମାନଙ୍କ ସମସ୍ୟା ସମାଧାନ ପାଇଁ ସେ ସବୁବେଳେ ଯତ୍ନବାନ ଥିଲେ। ଏହାସହ ସମାଜସେବା ଓ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ସେ ଅନେକ କାମ କରିଛନ୍ତି। ରୋଗୀ ଓ ଗରିବ ଲୋକଙ୍କୁ ସହାୟତା କ୍ଷେତ୍ରରେ ସେ ସବୁ ସମୟରେ ଆଗୁଆ ଥିଲେ। ତାଙ୍କ ବିୟୋଗ ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି କରିଛି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଆଳୟ ମହାନ୍ତିଙ୍କ ଦେହାନ୍ତ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଟ୍ବିଟ୍‌ରେ ସେ ଉଲ୍ଲେଖ କରିଛନ୍ତି, ଆଳୟଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ସାମ୍ବାଦିକତା ସହିତ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ।

ପିସିସି ସଭାପତିଙ୍କ ଶୋକ
ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ବିୟୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସ୍ବର୍ଗତ ମହାନ୍ତି ଜଣେ ବରିଷ୍ଠ ସାମ୍ବାଦିକ ଭାବେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିବା ସହିତ ରାଜ୍ୟବ୍ୟାପୀ ଖ୍ୟାତି ଅର୍ଜନ କରିଥିଲେ। ସେ ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହି ରୋଗୀ ଓ ଗରିବଙ୍କ ସହାୟତା କରୁଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।