ରାଜ୍ୟ ସ୍ପେଶାଲ ରିପୋର୍ଟ

ସଫଳ ପତ୍ନୀଙ୍କ ସହଯୋଗୀ ବନିଲେ ସ୍ବାମୀ, ଛାଡ଼ିଲେ ମିସ୍ତ୍ରି କାମ

ଶ୍ରୀନିବାସ ପାଇକରାୟ
ହରିଚନ୍ଦନପୁର: ସ୍ବାମୀ ରାଜମିସ୍ତ୍ରି ଥିଲେ। ସ୍ବଳ୍ପ ରୋଜଗାରରେ ପରିବାର ପ୍ରତିପୋଷଣ କରିବା ସମସ୍ୟା ହେଉଥିଲା। ସ୍ବାମୀଙ୍କୁ ସହଯୋଗ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ସ୍ତ୍ରୀ ଦମୟନ୍ତୀ। ଆରମ୍ଭ କରିଥିଲେ ପରିବା ଚାଷ। ଏହା ତାଙ୍କ ପରିବାରର ଭାଗ୍ୟ ବଦଳାଇଦେଲା। ପରିବା ଚାଷରୁ ଦୟମନ୍ତୀ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ଏହା ତାଙ୍କୁ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେଇଛି।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଧୁରୁଡ଼ିଆମ୍ବ ପଞ୍ଚାୟତ ଜାମଦା ଗ୍ରାମର ଗୋବିନ୍ଦ ନାୟକଙ୍କ ପତ୍ନୀ ଦମୟନ୍ତୀ ୨୦୧୮-୧୯ରେ ଗ୍ରାମର ୧୦ଜଣ ମହିଳାଙ୍କୁ ନେଇ ଭାଗ୍ୟଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ। ଦମୟନ୍ତୀ ଏହାର ସଭାପତି। ଏହି ଗୋଷ୍ଠୀର ମହିଳାମାନେ ନିଜନିଜ ଜମିରେ ପରିବା‌ ଚାଷ ଆରମ୍ଭ କରିଥିଲେ। ଦମୟନ୍ତୀ ମଧ୍ୟ ନିଜ ବାଡ଼ିରେ ୮୦ ଡିସିମିଲ ଜମିରେ କଲରା, ବାଇଗଣ, ଫୁଲକୋବି, ଟମାଟୋ ଆଦି ଚାଷ କରିଥିଲେ। ଏଥିରୁ ଭଲ ଦୁଇ ପଇସା ରୋଜଗାର କଲେ। ୨୦୨୦ରେ ସେ ୪ଲକ୍ଷ ଟଙ୍କା ଆୟ କରିଥିବା ବେଳେ ୨୦୨୧ରେ ୧.୮୦ଲକ୍ଷ ଟଙ୍କା ଏବଂ ୨୦୨୨ରେ ୨.୩୦ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ପରିବା ଚାଷରୁ ଭଲ ରୋଜଗାର ହେବା ପରେ ସ୍ବାମୀ ଗୋବିନ୍ଦ ରାଜମିସ୍ତ୍ରି କାମ ଛାଡ଼ି ପତ୍ନୀଙ୍କୁ ଚାଷ କାମରେ ସହଯୋଗ କରୁଛନ୍ତି। ଚଳିତବର୍ଷ ଦମୟନ୍ତୀ ନିଜ ବାଡ଼ିରେ ୩ ହଜାର ବନ୍ଧାକୋବି ଓ ଫୁଲକୋବି ଚାଷ କରିବା ପାଇଁ ଚାରା ପକାଇଛନ୍ତି। ମିଠାମକା ଚାଷ କରିଛନ୍ତି। ବୁନ୍ଦା ଜଳସେଚନ ପ୍ରଣାଳୀରେ ଚାଷ କରିବା ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ତାଙ୍କୁ ସହାୟତା ମିଳିଛି।

ପରିବାରର ଭାଗ୍ୟ ବଦଳାଇ ଦେଲା ପରିବା ଚାଷ
ସଫଳ ମହିଳା ଚାଷୀ ଦମୟନ୍ତୀ
୩୫୦ ମହିଳାଙ୍କୁ ଦେଇଛନ୍ତି କୃଷି ପରାମର୍ଶ
ଜିଲ୍ଲାର ଶ୍ରେଷ୍ଠ ମହିଳା ଚାଷୀ ରୂପେ ଦୁଇଥର ପୁରସ୍କୃତ

ସେହିପରି ୨୩ଟି ସ୍ୱୟଂସହାୟକ ଗୋଷ୍ଠୀର ୧୫୦ଜଣ ମହିଳାଙ୍କୁ ନେଇ ଗଠନ ହୋଇଥିବା ଶ୍ରୀଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀର ପରିଚାଳନା ଦାୟିତ୍ୱରେ ଅଛନ୍ତି ଦମୟନ୍ତୀ। ଏଥିରୁ ମଧ୍ୟ ସେ ଭଲ ରୋଜଗାର କରୁଥିବା କହିଛନ୍ତି। ଏହାଛଡ଼ା ସେ ନିଜ ଗ୍ରାମ ଓ ଆଖପାଖ ଗ୍ରାମର ମହିଳା ଚାଷୀଙ୍କୁ ପରିବା ଚାଷ କରିବା ପାଇଁ ପରାମର୍ଶ ଦେଉଛନ୍ତି। କେଉଁ ସମୟରେ କେଉଁ ପରିବା ଚାଷ କଲେ ଅଧିକ ଲାଭ ମିଳିବ, ପରିବା ଚାଷରେ ସାର ପ୍ରୟୋଗ, ରୋଗପୋକ ନ ଲାଗିବା ପାଇଁ କେଉଁ ଔଷଧ ସିଞ୍ଚନ କରାଯିବ, ସେ ସମ୍ପର୍କରେ ସେ ଚାଷୀମାନଙ୍କୁ ପରାମର୍ଶ ଦେଉଛନ୍ତି। ତାଙ୍କ ପରାମର୍ଶ କ୍ରମେ ବର୍ତ୍ତମାନ ସୁଦ୍ଧା ୩୫୦ରୁ ଊର୍ଦ୍ଧ୍ବ ମହିଳା ପରିବା ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ୨୦୨୧ରେ ରାଜ୍ୟସ୍ତରୀୟ କୃଷକ ମେଳାରେ ଦମୟନ୍ତୀଙ୍କୁ କେନ୍ଦୁଝର ଜିଲ୍ଲାର ଶ୍ରେଷ୍ଠ ମହିଳା ଚାଷୀ ଭାବେ ପୁରସ୍କୃତ କରାଯାଇଥିଲା। ତତ୍କାଳୀନ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅରୁଣ ସାହୁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଗତବର୍ଷ ସ୍ୱାଧୀନତା ଦିବସରେ ଅବସରରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ତାଙ୍କୁ ଶ୍ରେଷ୍ଠ ମହିଳା ଚାଷୀ ଭାବେ ସମ୍ମାନିତ କରିଥିଲେ। ଚଳିତବର୍ଷ ମହିଳା ଦିବସରେ ବ୍ଲକ୍‌ର ଶ୍ରେଷ୍ଠ ମହିଳା ଚାଷୀ ଭାବେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।