ରାଜ୍ୟ

ଶ୍ରୀଜଗନ୍ନାଥ ବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ର : ପ୍ରକଳ୍ପ ପୂର୍ଣ୍ଣ ରୂପ ନେବା ପୂର୍ବରୁ ଉଜୁଡ଼ିଯିବାକୁ ବସିଲାଣି

ପୁରୀ: ନବକଳେବରଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ନାନାଦି ବେଶ, ବିଶେଷ କରି ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ପର୍ଯ୍ୟଟକଙ୍କୁ ପ୍ରତ୍ୟକ୍ଷ ଜ୍ଞାନ ପରସିବା ଲକ୍ଷ୍ୟରେ ଶ୍ରୀଜଗନ୍ନାଥବଲ୍ଲଭ ମଠ ପରିସରରେ ଆରମ୍ଭ ହୋଇଥିଲା ଶ୍ରୀଜଗନ୍ନାଥ ବ୍ୟାଖ୍ୟାନ କେନ୍ଦ୍ର। ଏହି ପ୍ରକଳ୍ପକୁ ପୂର୍ଣ୍ଣ ରୂପ ଦେବାକୁ ଦାୟିତ୍ବ ମୁଣ୍ଡାଇଥିଲା ଓଟିଡିସି(ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ)। ଦାମୀ ଓ ବିରଳ ଖାଣ୍ଡେଲାଇଟ୍‌ ପଥରରେ ସମ୍ପୂର୍ଣ୍ଣ କାରୁକାର୍ଯ୍ୟ ଆରମ୍ଭ ହେଲା। କିନ୍ତୁ ଏହି ପ୍ରକଳ୍ପ ପୂର୍ଣ୍ଣ ରୂପ ନେବା ପୂର୍ବରୁ ଉଜୁଡ଼ିଯିବାକୁ ବସିଲାଣି। ବ୍ୟାଖ୍ୟାନ କେନ୍ଦ୍ର ପାଇଁ ନିର୍ମିତ ଖାଣ୍ଡେଲାଇଟ୍‌ ପଥର ଗୃହ ‌ଏବେ ଜବରଦଖଲକାରୀଙ୍କ କବଳରେ ଥିବାବେଳେ ଏଠାରେ ପଥରର ଯେଉଁ ଦାମୀ କାରୁକାର୍ଯ୍ୟ ସବୁ ଶୋଭା ବଢ଼ାଉଥିଲା, ତାହା କ୍ରମେ ନଷ୍ଟ ହେବାରେ ଲାଗିଲାଣି।

ରହିଥାନ୍ତା ଶ୍ରୀଜଗନ୍ନାଥଙ୍କ ବେଶ ଓ ସଂସ୍କୃତିର ଇତିବୃତ୍ତି
ଶୋଭା ବଢ଼ାଉଥିଲା ପଥରର ଦାମୀ କାରୁକାର୍ଯ୍ୟ
ଥଇଥାନ କେନ୍ଦ୍ର ପାଲଟିଛି

ଐତିହ୍ୟ ସହରର ବିକାଶ ପାଇଁ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଥିବା ହୃଦୟ(ନ୍ୟାସନାଲ୍‌ ହେରିଟେଜ୍‌ ସିଟି ଡେଭଲପମେଣ୍ଟ ଆଣ୍ଡ୍‌ ଅଗ୍‌ମେଣ୍ଟେସନ୍‌ ଯୋଜନା) ଯୋଜନାରେ ଶ୍ରୀଜଗନ୍ନାଥ ବ୍ୟାଖ୍ୟାନ କେନ୍ଦ୍ରର ପୂର୍ଣ୍ଣ ବିକାଶ ଲକ୍ଷ୍ୟ ରଖିଥିଲେ ସରକାର। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଅନୁଦାନରେ ଏହି ପ୍ରକଳ୍ପର ଶୁଭାରମ୍ଭ କରାଗଲା। ଓଟିଡିସି ଏହି ପ୍ରକଳ୍ପର ଟେଣ୍ଡର ନେବା ପରେ ପ୍ରକଳ୍ପ କାର୍ଯ୍ୟ ନବକଳେବରଠାରୁ କାମ ଆରମ୍ଭ ହୋଇଛି ସତ, କିନ୍ତୁ ଆଜି ପର୍ଯ୍ୟନ୍ତ ସମ୍ପର୍ଣ୍ଣ କରିପାରିନି। ସେପଟେ ଯେଉଁ ସବୁ ବିକାଶ ଅଧାଗଢ଼ା ରହିଛି, ତାହା ଉଜୁଡ଼ିଯିବାକୁ ବସିଲାଣି। ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପାର୍କିଂକୁ ଲାଗି ଗୋଲାକୃତିର ବ୍ୟାଖ୍ୟାନ କେନ୍ଦ୍ର ଗୃହ ନିର୍ମାଣ ହୋଇଥିଲା। ଯେଉଁଥିରେ ଛୋଟ ଛୋଟ କୋଠରି ସବୁ ନିର୍ମାଣ କରାଯାଇଥିଲା। ଯାହା ଖାଣ୍ଡେଲାଇଟ୍‌ ପଥରରେ ହୋଇଥିଲା।

ମହାପ୍ରଭୁଙ୍କ ବିଭିନ୍ନ ବେଶ, ନର୍ତ୍ତକୀ ଓ ଧାର୍ମିକ କାରୁକାର୍ଯ୍ୟ ପୂର୍ଣ୍ଣ ବଡ଼ ବଡ଼ ପଥର ମୂର୍ତ୍ତି ସବୁ ସ୍ଥାନିତ କରାଯାଇଥିଲା। ଲକ୍ଷ୍ୟ ଥିଲା, ଯେଉଁ ପର୍ଯ୍ୟଟକମାନେ ଶ୍ରୀକ୍ଷେତ୍ର ବୁଲି ଆସୁଛନ୍ତି, ସେମାନଙ୍କୁ ଶ୍ରୀଜଗନ୍ନାଥଙ୍କ ନବକଳେବରଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିବା। ନାଗାର୍ଜୁନ ବେଶ, ପଦ୍ମବେଶଠାରୁ ଆରମ୍ଭ କରି ଶ୍ରୀମନ୍ଦିରରେ ଶ୍ରୀଜିଉ ଯେଉଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି, ତାହାର ଅବତାରଣା କରିବା। ରଥଯାତ୍ରା ସମ୍ପର୍କରେ ଜଣାଇବା। ବିଶେଷ କରି ଯେଉଁମାନେ ଶ୍ରୀମନ୍ଦିର ଯାଇ ପାରୁନାହାନ୍ତି, ଅଣହିନ୍ଦୁ ଓ ବିଦେଶୀ ପର୍ଯ୍ୟଟକମାନେ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଏଠାରୁ ଅଧିକ ଜ୍ଞାନ ଆହରଣ କରି ପାରିଥାନ୍ତେ। ରିସର୍ଚ୍ଚ ସ୍କଲାରମାନେ ବି ଉପକୃତ ହୋଇପାରିଥାନ୍ତେ।

କିନ୍ତୁ ଦୁର୍ଭାଗ୍ୟ ଦାମୀ ଖାଣ୍ଡେଲାଇଟ୍‌ ପଥରର ଏହି ବ୍ୟାଖ୍ୟାନ କେନ୍ଦ୍ର କୋଠରି ଭିତରେ ବିସ୍ଥାପିତଙ୍କୁ ଥଇଥାନ କରିଛି ଜିଲ୍ଲା ପ୍ରଶାସନ, ଯେଉଁମାନେ ପ୍ରଶାସନଠାରୁ ଉଭୟ ଜାଗା ଓ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ପାଇସାରିଛନ୍ତି। ପ୍ରତି କୋଠରିକୁ ନିର୍ଦ୍ଦିଷ୍ଟ ପରିବାରଙ୍କୁ ଆଲଟ୍‌ କରାଯାଇଛି। ରହୁଥିବା ଲୋକେ ଏହି ଘରକୁ ଆବର୍ଜନାରେ ଭରି ରଖିଛନ୍ତି। ଏହିଠାରେ ରୋଷେଇ ହେଉଛି, ଯାହାର କଳାଧୂଆଁ କାନ୍ଥ ସବୁକୁ କଳା ପକାଇ ସାରିଲାଣି। ପାହାଡ଼ ଉଚ୍ଚାରେ ଜାଳେଣି କାଠ ଏଠାରେ ଗଚ୍ଛିତ ରଖାଯାଇଛି। ଏହା ଭିତରେ ଇଟାର ପାଚେରି ଉଠାଇ ସାରିଲେଣି। ଯେଉଁ କାରୁକାର୍ଯ୍ୟ ସବୁ ରହିଥିଲା, ନଷ୍ଟ ହୋଇ ଝଡ଼ି ପଡ଼ିଲାଣି। ଯାହା ବଳିଛି, ତାହା କଳାଧୂଆଁରେ ଅସୁନ୍ଦର ହୋଇଗଲାଣି। ଏସମ୍ପର୍କରେ ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ କହିବା ଅନୁସାରେ ଓଟିଡିସି ହୃଦୟ ଯୋଜନାରେ ଏହି କାମ କରୁଥିଲା ସତ, କିନ୍ତୁ ଅଦ୍ୟାବଧି ଏହା ସମ୍ପୂର୍ଣ୍ଣ ହୋଇନି କି ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର ହୋଇନି। ଦୁଇବର୍ଷ ତଳେ ଶେଷଥର ଏହା ଉପରେ ଓଟିଡିସି ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ଓ ଶ୍ରୀସେତୁ କାମ ସରିବା ପରେ ଯାହା କିଛି କରାଯାଇ ପାରିବ ବୋଲି ଓଟିଡିସିର ଅଧିକାରୀମାନେ କହିଥିଲେ। ଏ ଦିଗରେ ଆମର କୌଣସି କର୍ତ୍ତୃତ୍ବ ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।