ରାଜ୍ୟ

ଶ୍ରୀଅଙ୍ଗକୁ ବିପଦ ସିଂହଦ୍ବାର ପିଚୁରାସ୍ତା

ପୁରୀ : ଶ୍ରୀଅଙ୍ଗ ପାଇଁ ବିପଦ ସାଜିବ ସିଂହଦ୍ବାର ପିଚୁରାସ୍ତା। ପହଣ୍ଡିବେଳେ ବି ଦଇତାପତି ସେବକମାନେ ବି ଆଘାତ ପାଇବାର ଆଶଙ୍କା ରହିଛି। ଖଣ୍ଡିଆ ଖାବରା ହୋଇ ରକ୍ତାକ୍ତ ପରିସ୍ଥିତି ବି ସୃଷ୍ଟି ହୋଇପାରେ। ସିଂହଦ୍ବାରରେ ପିଚୁରାସ୍ତାର ନିର୍ମାଣଶୈଳୀ ଦେଖିବା ପରେ ଏଭଳି ଆଶଙ୍କା କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ। ଏଣୁ ତୁରନ୍ତ ସିଂହଦ୍ବାର ପିଚୁରାସ୍ତା, ବିଶେଷକରି ପହଣ୍ଡି ସ୍ଥାନକୁ ସମତୁଲ କରିବାକୁ ଦାବି କରିବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଉପମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସେପଟେ ରଥ ଗଡ଼ିବାରେ ବି ଅସୁବିଧା ସୃଷ୍ଟି କରିବ ବୋଲି ଆଶଙ୍କା ବ୍ୟକ୍ତ କରି ଭୋଇ ସେବକମାନେ ବି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଭଳି ଅଭିଯୋଗ ଆସିବା ପରେ ସିଂହଦ୍ବାର ପିଚୁରାସ୍ତା ନିର୍ମାଣ ଶୈଳୀରେ ସାମାନ୍ୟ ପରିବର୍ତ୍ତନ ସହ ସମତୁଲ କରିବାକୁ ଠିକା ସଂସ୍ଥା ଓବିସିସିକୁ ନିର୍ଦ୍ଦେଶ ଦିଆଯାଇଛି।

ସିଂହଦ୍ବାର ସମ୍ମୁଖ ଚକଡ଼ାରେ ତିନି ରଥ ରହିବା ପରେ ରଥ ପ୍ରତିଷ୍ଠା ଓ ପରେ ଶ୍ରୀଜିଉଙ୍କ ବିଜେ ପର୍ବ ଅନୁଷ୍ଠିତ ହୋଇଥାଏ। ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହୋଇଥାନ୍ତି। କିନ୍ତୁ ଓବିସିସି ସିଂହଦ୍ବାରରେ ଯେଉଁ ପିଚୁ ରୋଡ୍‌ କରିଛି ସେଥିରେ ପିଚୁ ଉପରେ ବଡ଼ ବଡ଼ ଗୋଡ଼ି ସବୁ ଦିଆଯାଇଛି, ଯାହା ରାସ୍ତା ଉପରକୁ ବାହାରି ରହିଛି। ଶ୍ରୀମନ୍ଦିର ପରିଚାଳନା କମିଟି ବରିଷ୍ଠ ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ପିଚୁ ଉପରେ ଏଭଳି ‌ଗୋଡ଼ି ସବୁ ବାହାରିଲେ, ଶ୍ରୀଜିଉଙ୍କ ପହଣ୍ଡି ବେଳେ ଅସୁବିଧା ହେବ। ଶ୍ରୀଜିଉଙ୍କ ଅଙ୍ଗ ଆଘାତ ପାଇବ। ଯେଉଁ ସେବକମାନେ ପହଣ୍ଡିରେ ଶ୍ରୀଜିଉଙ୍କୁ ଆଣୁଥିବେ, ସେମାନେ ଝୁଣ୍ଟି ଆଘାତ ପାଇବେ। ଗୋଡ଼ ଖଣ୍ଡିଆଖାବରା ହେବ। ଅଯଥାରେ ପହଣ୍ଡି ବେଳେ ବିଘ୍ନ ଉପୁଜିବ। ଏହା ପୂର୍ବରୁ ସିଂହଦ୍ବାର ପହଣ୍ଡି ସ୍ଥାନ ପିଚୁକୁ ସମତୁଲ କରିବାକୁ ଠିକା ସଂସ୍ଥା ଓବିସିସିକୁ କୁହାଯାଇଛି। ସଂପୃକ୍ତ ଠିକାସଂସ୍ଥା ରାସ୍ତାକୁ ସମତୁଲ କରିବାକୁ ସହମତି ପ୍ରକାଶ କରିଛି। ଚଳିତ ମାସରେ ଏହି କାମ ସାରିଦେବାକୁ ଠିକା ସଂସ୍ଥାର ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଦାସମହାପାତ୍ର କହିଛନ୍ତି। ସେହିଭଳି ଅନ୍ୟାନ୍ୟ ଅସୁବିଧା ସଂପର୍କରେ ବି ଠିକା ସଂସ୍ଥାର ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।

ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି, ରଥ ଚକଡ଼ାକୁ ତିନି ରଥ ବିଜେ ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ତିନି ରଥର ଚକଡେରା ପରେ ବିଭିନ୍ନ ଅଂଶ ସଂଯୋଗ ହେବ। ଏହି ସ୍ଥାନରେ ବର୍ତ୍ତମାନ ପିଚୁ ରାସ୍ତା ଭଲ ନାହିଁ। ସମୟ ପାଖେଇ ଆସୁଥିବାରୁ ଏହି ଜାଗାର ପିଚୁ କାମ ସାରିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେପଟେ ଯେଉଁ ଶୈଳୀରେ ପିଚୁ ରାସ୍ତା କରାଯାଇଛି ତାହା ବି ରଥ ମୋଡ଼ ନେବାରେ ଅସୁବିଧା କରିବ ବୋଲି ଶ୍ରୀ ଭୋଇ କହିଛନ୍ତି। ସେ କହିଛନ୍ତି, ପିଚୁ ଉପରେ ଏଭଳି ‌ବଡ଼ ବଡ଼ ଗୋଡ଼ି ବାହାରି ରହିଲେ, ରଥ ମୋଡ଼ ଦେବାକୁ ଅସୁବିଧା ହେବ। ରଥ ବାରମ୍ବାର ଅଟକିବ। ଏଣୁ ଏହା ସମତୁଲ ହେବା ଦରକାର ଓ ଜିଲ୍ଲାପାଳ ବି ଏଥିରେ ସହମତି ପ୍ରକାଶ କରିଥିବା ଶ୍ରୀ ଭୋଇ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।