ଖେଳ ଦେଶ ବିଦେଶ

ଶୁକ୍ରବାରଠୁ ଭାରତ-ଶ୍ରୀଲଙ୍କା ଟେଷ୍ଟ୍ ସିରିଜ : ନେଟରେ ଘଣ୍ଟା ଘଣ୍ଚା ଅଭ୍ୟାସ କରୁଛନ୍ତି କୋହଲି ଓ ରୋହିତ

ଚଣ୍ଡୀଗଡ଼,୦୩/୦୩: ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ଉଭୟ ଦଳ ଜୋରଦାର ପ୍ରସ୍ତୁତିରେ ବ୍ୟସ୍ତ । ଭାରତ ସବୁ ବିଭାଗକୁ ଗୁରୁତ୍ୱ ଦେବା ସହ ଏକ ସନ୍ତୁଳିତ ଏକାଦଶ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛି । ଏପଟେ ଦଳର ଦୁଇ ଷ୍ଟାର୍‌ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଏହି ଟେଷ୍ଟକୁ ସ୍ମରଣୀୟ କରିବା ପାଇଁ ପ୍ରତଶ୍ରୁତିବଦ୍ଧ । ଉଭୟଙ୍କ ପ୍ରସ୍ତୁତି ସମ୍ପ୍ରତି ଦଳର ସାଥୀ ଖେଳାଳି ଓ କୋଚିଂ ସଦସ୍ୟଙ୍କୁ ଚକିତ କରିଦେଇଛି ।

ବୁଧବାର ଥିଲା ଅଭ୍ୟାସ ଶିବିରର ଦ୍ୱିତୀୟ ଦିନ । କୋହଲି ଓ ରୋହିତ ଅଭ୍ୟାସ ବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ । ଉଭୟଙ୍କ ପ୍ରସ୍ତୁତି ମଧ୍ୟ ଭିନ୍ନ ଓ ସ୍ୱତନ୍ତ୍ର ରହିଥିଲା । ନେଟ୍ସରେ ବ୍ୟାଟିଂ ବେଳେ ଉଭୟ ପେସ୍‌ ବୋଲର, ସ୍ପିନର, ଥ୍ରୋ ଡାଉନ୍‌ ବିଶେଷଜ୍ଞ ଓ ନେଟ୍‌ ବୋଲରଙ୍କୁ ସାମ୍ନା କରିବାକୁ ପଛାଇ ନଥିଲେ । କୋହଲି ଦୀର୍ଘ ୧ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ । ଅଭ୍ୟାସ ବେଳେ ଉଭୟ ପରସ୍ପରକୁ ଉତ୍ସାହିତ କରିବାକୁ ମଧ୍ୟ ଭୁଲି ନଥିଲେ ।

ଉଭୟଙ୍କ ଜୋରଦାର ଅଭ୍ୟାସ ପଛର ମଧ୍ୟ କାରଣ ରହିଛି । କୋହଲି ବିଶ୍ୱର ୭୧ତମ ଖେଳାଳି ଭାବେ ୧୦୦ ଟେଷ୍ଟ ଖେଳିବାକୁ ଯାଉଛନ୍ତି । ଗତ ୭୦ଟି ଇନିଂସ (ସବୁ ଫର୍ମାଟ୍‌) ମଧ୍ୟରେ କୋହଲି ଶତକ ଅର୍ଜନ କରିପାରି ନାହାନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ୭୦ଟି ଶତକ ଅର୍ଜନ କରିସାରିଛନ୍ତି । ୧୦୦ତମ ଟେଷ୍ଟରେ ୭୧ତମ ଶତକ ଅର୍ଜନ କରି ମ୍ୟାଚକୁ ସ୍ମରଣୀୟ କରାଇବା ପାଇଁ କୋହଲି ମାନସିକ ସ୍ତରରେ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଅଭ୍ୟାସ ବେଳେ କୋହଲି ସମ୍ପୂର୍ଣ୍ଣ ଚାପମୁକ୍ତ ଥିବା ବାରି ହୋଇ ପଡ଼ିଥିଲା ।

ରୋହିତଙ୍କ ମଧ୍ୟ ଏହି ଟେଷ୍ଟ ସ୍ମରଣୀୟ ରହିବ । ୨୦୧୮ରେ ଟେଷ୍ଟ ଦଳରେ ଥାଇ ମଧ୍ୟ ଦ୍ୱାଦଶ ଖେଳାଳି ଭାବେ ଗ୍ରାଉଣ୍ଡ ଭିତରକୁ ପାଣି ବୁହାଉଥିବା ରୋହିତ ୪ବର୍ଷ ପରେ ଭାରତୀୟ ଦଳର ସବୁ ଫର୍ମାଟ୍‌ ଅଧିନାୟକ । ଟେଷ୍ଟ ଅଧିନାୟକ ଭାବେ ସେ ଶୁକ୍ରବାର ଦିନ ନୀଳ କୋଟ୍‌ ପିନ୍ଧି ଟସ୍‌ ପକାଇବାକୁ ଗ୍ରାଉଣ୍ଡ୍‌କୁ ଓହ୍ଲାଇବେ । କେବଳ ଟେଷ୍ଟ ଅଧିନାୟକ ଭାବେ ପଦାର୍ପଣ କରିବାକୁ ରୋହିତ ଆଗ୍ରହୀ ନୁହନ୍ତି । ଟେଷ୍ଟ ଅଧିନାୟକ ଭାବେ ବଡ ସ୍କୋର କରିବା ସହ ଦଳକୁ ବିଜୟୀ କରାଇବା ରୋହିତଙ୍କ ଲକ୍ଷ୍ୟ । ସାଧାରଣତଃ ନେଟ୍‌ସରେ ସ୍ୱଳ୍ପ ଅଭ୍ୟାସ କରୁଥିବା ରୋହିତ ୪୫ମିନିଟ୍‌ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ । ଏହି ସମୟ ମଧ୍ୟରେ ସେ ଦଳର ସବୁ ବୋଲରଙ୍କୁ ସାମ୍ନା କରିଥିଲେ । ଜଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କୁ ସାମ୍ନା କରିବା ବେଳେ ସେ ଧୈର୍ଯ୍ୟର ସହ ଅଫଷ୍ଟମ୍ପ ବାହାର ବଲ୍‌କୁ ଛାଡ଼ି ଚାଲିଥିଲେ । ନୂଆ ସ୍ପିନର ସୌରଭ କୁମାରଙ୍କୁ ପରଖିବାରେ ରୋହିତ ହେଳା କରିନଥିଲେ ।

କୋହଲି ନେଟ୍‌ସରେ ଅଭ୍ୟାସ କରୁଥିବାବେଳେ ମହମ୍ମଦ ସିରାଜଙ୍କ ଏକ ଇନ୍‌ ସୁଇଂ ବଲ୍‌ରେ ବୋଲ୍ଡ ହୋଇଥିଲେ । ୱିକେଟ୍‌ ଯାଇ କିଛି ଦୂରେ ପଡ଼ିଥିଲା । କୋହଲି ନିଜେ ଯାଇ ୱିକେଟ୍‌ ଆଣି ଯଥା ସ୍ଥାନରେ ପୋତିଥିଲେ । ଏହାପରେ କୋହଲିଙ୍କ ବ୍ୟାଟିଂ ସମସ୍ତଙ୍କ ଉତ୍ସାହ ବଢ଼ାଇ ଦେଇଥିଲା । ସିରାଜଙ୍କ ବଲ୍‌ରେ ଗୋଟିଏ ପରେ ଗୋଟିଏ କଭର ଡ୍ରାଇଭ ମାରି ଚାଲିଥିଲେ କୋହଲି । ଅନତି ଦୂରରେ ରୋହିତ ଛିଡ଼ା ହୋଇ କୋହଲିଙ୍କ ବ୍ୟାଟିଂ ଉପରେ ନଜର ରଖିଥିଲେ । କୋହଲି ଅଧାରୁ ବ୍ୟାଟିଂ ଛାଡ଼ି ବ୍ୟାଟିଂ କୋଚ ବିକ୍ରମ ରାଠୋରଙ୍କ ସହ ଆଲୋଚନା କରିଥିଲେ ଓ ରୋହିତ ପୁନର୍ବାର ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଦେଇଥିଲେ । ଅଭ୍ୟାସ ସମୟରେ ଉଭୟ ବିଭିନ୍ନ ନେଟ୍ସକୁ ଯାଇ ଯଥାକ୍ରମେ ଭିନ୍ନ ଭିନ୍ନ ବୋଲରଙ୍କୁ ସାମ୍ନା କରିଥିଲେ । ଅନ୍ୟ ଖେଳାଳିମାନେ ପରବର୍ତ୍ତୀ ସମୟରେ ବ୍ୟାଟିଂ ଅଭ୍ୟାସ କରିଥିଲେ ହେଁ ରୋହିତ ଓ କୋହଲିଙ୍କ ପ୍ରସ୍ତୁତି ସ୍ୱତନ୍ତ୍ର ରହିଥିଲା । ଦଳର ଦୁଇ ଷ୍ଟାର୍‌ ବ୍ୟାଟ୍ସମ୍ୟାନଙ୍କ ଅଭ୍ୟାସ ବାକି ଖେଳାଳି ମନୋବଳ ବଢ଼ାଇ ଦେଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ