ରାଜ୍ୟ ସ୍ପେଶାଲ ରିପୋର୍ଟ

ମୃତ୍ୟୁ ମୁହଁରେ ‘କାଞ୍ଚି’: ଜୀବନରେଖା ଥିଲା, ଏବେ ଅଲୋଡ଼ା

ପୁରୀ: ଭାର୍ଗବୀର ଅନ୍ୟତମ ପ୍ରମୁଖ ଶାଖା ନଦୀ ହେଉଛି ‘କାଞ୍ଚି’ ନଦୀ। ୧୦ ବର୍ଷ ତଳେ ଯେଉଁ କାଞ୍ଚି ନଦୀର କାଚକେନ୍ଦୁ ଭଳି ପାଣି ହଜାର ହଜାର ଗ୍ରାମବାସୀଙ୍କ ଜୀବନରେଖା ସାଜିଥିଲା, ସେ ଆଜି ମୃତପ୍ରାୟ। ଯେଉଁ ନଦୀର ପାଣି ଯୋଗୁ ହଜାର ହଜାର ଚାଷୀଙ୍କ ମୁହଁରେ ହସ ଫୁଟୁଥିଲା, ତାହା ଆଜି ଶୁଖିଲା ପଡ଼ିଛି। ଯେଉଁ ନଦୀ ୧୫୦ ଫୁଟ ଓସାର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା, ଆଜି ତାହା ୪୦ ଫୁଟକୁ ସଙ୍କୁଚିତ ହୋଇଯାଇଛି। ସମ୍ପୂର୍ଣ୍ଣ ନଦୀ ପୋତି ହୋଇ ପଡ଼ିଲାଣି। ବିଡ଼ମ୍ବନା ଏହି ଯେ ଏହି ନଦୀକୁ ଲୋକେ ପୂଜୁଥିଲେ, ସମୟ ସୁଅରେ ତାହାର ଐତିହ୍ୟ ଓ ଅସ୍ତିତ୍ବ ହଜିଯିବାକୁ ବସିଛି।

ଚନ୍ଦନପୁର ଜାନକାଦେଇପୁରଠାରେ ତିବେଣୀ ସଙ୍ଗମର ପରିଚୟ ଲାଭ କରିଥିବା ସ୍ଥଳଠାରୁ କାଞ୍ଚି ନଦୀର ସୃଷ୍ଟି। ଭାର୍ଗବୀର ଏହି ଶାଖା ନଦୀ ଚାଳିଶବାଟିଆ, ଜଗନ୍ନାଥବଲ୍ଲଭ, କାଠପୋଲ ଦେଇ ଗୋଟିଏ ପାର୍ଶ୍ବରେ ମଙ୍ଗଳା ନଦୀରେ ମିଶିଛି। ଅନ୍ୟପାର୍ଶ୍ବରେ ବୀରହରେକୃଷ୍ଣପୁର ପଞ୍ଚାୟତର ରେଣ୍ଡୁଆ ଗାଁ’ ଦେଇ ଆସି ଅଠରନଳାଠାରେ ମୂଷା ନଈରେ ପଡ଼ିଛି। ମାତ୍ର ପ୍ରଶାସନିକ ଆନ୍ତରିକତା ଅଭାବରୁ ଏହି ନଦୀ ଏବେ ମୃତ୍ୟୁ ମୁହଁରେ। ଏହି ନଦୀର ଐତିହାସିକ ପୃଷ୍ଠଭୂମି ସଂପର୍କରେ ଜଗନ୍ନାଥବଲ୍ଲଭ ଗ୍ରାମର ନବଘନ ସାହୁ କହିଛନ୍ତି, ଏହି ନଦୀ ଦିନେ ପୂଜା ପାଉଥିଲା। ନଦୀ ମଧ୍ୟରେ ଶହେ ଫୁଟିଆ ଭେଳାରେ ମହାପ୍ରଭୁଙ୍କ ଦାରୁ ଆସିବା ବେଳେ ଖଣ୍ଡମଣ୍ଡଳ ହରିବୋଲ ହୁଳହୁଳି ଓ ଘଣ୍ଟନାଦରେ ଫାଟି ପଡ଼ୁଥିଲା। ତେଣୁ ଗ୍ରାମବାସୀ କେବଳ ଦାରୁ ଯାତ୍ରାକୁ ପ୍ରତ୍ୟକ୍ଷ କରୁନଥିଲେ, ବରଂ ନଦୀକୁ ପୂଜା କରୁଥିଲେ। କାଞ୍ଚି ନଦୀ ଦେଇ ଗଜପତି ଡଙ୍ଗାରେ ଯା’ଆସ କରୁଥିଲେ। କିନ୍ତୁ ଧୀରେ ଧୀରେ ଭାର୍ଗବୀର ଜଳପ୍ରବାହ କମିବା ଓ ବିଭିନ୍ନ ସ୍ଥାନରେ ବନ୍ଧ ଯୋଗୁ ନଦୀର ପ୍ରବାହ ବନ୍ଦ ହୋଇଗଲା। ଏଣୁ ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ଚାଷୀ ପରିବାର ଚାଷ ଛାଡ଼ିଦେଇ ମୂଲମଜୁରି କରିବାକୁ ବାଧ୍ୟ ହୋଇଛନ୍ତି। ଚାଷ ଜମିକୁ ଜଳସେଚନ ପାଇଁ ଏହା ଥିଲା ସମଗ୍ର ଅଞ୍ଚଳ ପାଇଁ ମୁଖ୍ୟ ସ୍ରୋତ। ଜଗନ୍ନାଥବଲ୍ଲଭଠୁ ନେଇ ଧାଉଡ଼ିଆ, ପଞ୍ଚୁଗାଁ, ରେଣ୍ଡୁଅ, ପଡ଼ା, ବାଲିଗୁଆଳି, ଉର, ନାଗାପାଟଣା ଆଦି ଗ୍ରାମର ଗ୍ରାମବାସୀମାନେ ଚାଷ ପାଇଁ ଏହି ନଦୀ ଉପରେ ନିର୍ଭରଶୀଳ ଥିଲେ। ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପୁନରୁଦ୍ଧାର ପାଇଁ ଆଗେଇ ଆସିଲେ, ପୁଣି ଲୋକେ ଚାଷବାସକୁ ଫେରିପାରନ୍ତେ ବୋଲି ସେ କହିଛନ୍ତି।

ଜଗନ୍ନାଥବଲ୍ଲଭ ଗ୍ରାମର ବାସିନ୍ଦା ଭାଗୁ ବାରିକି କୁହନ୍ତି, ଏହି ନଦୀର ୧୫୦ ଫୁଟ ଓସାର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲେ ହେଁ ଏବେ ସଙ୍କୁଚିତ ହୋଇଯାଇଛି। ନଦୀରେ ଦଳ ଭର୍ତ୍ତି ହୋଇ ରହିବା ଯୋଗୁ ଏହା ମଧ୍ୟରେ ଯିଏ ଯାହା ପାରୁଛି ଆଣି ପକାଉଛି। ତେଣୁ ସ୍ଥାନୀୟ ଜନସାଧାରଣ ସଚେତନ ହେବା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତେବେ ଭୋଟ୍‌ ବେଳେ ନେତାମାନେ ଆସୁଥିଲେ ହେଁ ସମସ୍ୟା ବେଳେ କେହି ଛିଡ଼ା ହେଉନାହାନ୍ତି। ନଦୀ ଅବବାହିକାକୁ ଦୃଷ୍ଟିରେ ରଖି ଏଠାରେ ବସତି ସ୍ଥାପନ କରିଥିବା ଚାଷୀକୂଳ ଏବେ ହତାଶ। କେନାଲଟିଏ ବି ନଥିବାରୁ ଲୋକେ ବର୍ଷ ତମାମ ଏହା ଉପରେ ନିର୍ଭର କରନ୍ତି। ଭଲ ଫସଲ ବି ଅମଳ ହୁଏ। କିନ୍ତୁ ଏବେ ଚାଷୀ ପାଇଁ କେବଳ ବର୍ଷା ଜଳ ହିଁ ଭରସା। ସବୁ ସମସ୍ୟାର ସମାଧାନ ହୋଇପାରୁଛି, କିନ୍ତୁ ଜୀବନରେଖା ସାଜିଥିବା ଏହି ନଦୀକୁ ଉଦ୍ଧାର କରିବା ପାଇଁ କେହି ଆନ୍ତରିକତା ଦେଖାଉନାହାନ୍ତି। ଏହାର ପୁନରୁଦ୍ଧାର ନିତାନ୍ତ ଆବଶ୍ୟକ ବୋଲି ‌ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।