ରାଜ୍ୟ

ମାସକୁ ଅଧିକ ୧୦ ଲକ୍ଷ ବିଲ୍‌ ଗଣୁଛି ପୌର ପରିଷଦ

ବାରିପଦା: ବାରିପଦା ସହରରେ ଦିନ ରାତି ୨୪ ଘଣ୍ଟା ଜଳୁଛି ଷ୍ଟ୍ରିଟ୍ ଲାଇଟ। ଗତ ୬ ମାସ ହେଲା ଦିନ ସାରା ଷ୍ଟ୍ରିଟ୍ ଲାଇଟ୍ ଜଳି ରହୁଛି। ହେଲେ ଏପଟେ ବଞ୍ଚାଇବାକୁ ଯାଇ ମଝିରେ ମଝିରେ ମନଇଛା ବିଦ୍ୟୁତ୍‌ କାଟ୍ କରୁଛି ଟାଟା ପାୱାର। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୌଣସି କାରଣରୁ ସହରରେ ବିଦ୍ୟୁତ୍‌ ପରିଚାଳନା ସଂସ୍ଥା ‘ଇଇଏସଏଲ୍’ ନିଜ ଦାୟିତ୍ବରୁ ଓହରି ଯାଇଛି। ବିଦ୍ୟୁତ୍‌ ବିତରଣ ସଂସ୍ଥା ଟାଟା ପାୱାର ଦିନବେଳା ଷ୍ଟ୍ରିଟ୍ ଲାଇଟ୍ କିଭଳି ବନ୍ଦ ହେବ ସେ ନେଇ ଉଦ୍ୟମ କରୁନାହିଁ। ତେଣୁ ପୌର ପରିଷଦ କର୍ତ୍ତୃପକ୍ଷ କାନମୁଣ୍ଡ ଆଉଁଷି ବିଦ୍ୟୁତ୍‌ ସଂଯୋଗକୁ ଡାଇରେକ୍ଟ କରିଦେଇଛି। ଫଳରେ ଦିନରାତି ଷ୍ଟ୍ରିଟ୍ ଲାଇଟ୍ ଜଳୁଛି। ଆଉ ଏଥି ନିମନ୍ତେ ପୌର ପରିଷଦ ମାସକୁ ଅଯଥା ଅଧିକ ୧୦ ଲକ୍ଷ ଟଙ୍କା ବିଲ୍ ଗଣିବାକୁ ପଡ଼ୁଛି।

ବାରିପଦା ସହରର ମୁଖ୍ୟ ଜନଗହଳିପୂର୍ଣ୍ଣ ରାସ୍ତା ଓ ସବୁ ୱାର୍ଡରେ ଷ୍ଟ୍ରିଟ୍ ଲାଇଟ୍ ଜଳିବାର ବ୍ୟବସ୍ଥା ହୋଇଛି। ନିରବଛିନ୍ନ ବିଦ୍ୟୁତସେବା ଯୋଗାଇବା ଲକ୍ଷ୍ୟରେ ୩ ବର୍ଷ ପୂର୍ବେ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ଦିଲ୍ଲୀର ‘ଇଇଏସ୍‌ଏଲ୍‌’ ସଂସ୍ଥାକୁ ନଗର ଉନ୍ନୟନ ବିଭାଗ ଦେଇଥିଲା। ଏହି ସଂସ୍ଥା ବାରିପଦା ପୌର ପରିଷଦ ସହ ରାଜ୍ୟର ପ୍ରାୟତଃ ଅଧିକାଂଶ ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦର ବିଦ୍ୟୁତ ପରିଚାଳନା ଦାୟିତ୍ବରେ ରହିଛି। ଅଢେଇ ବର୍ଷ ପର୍ଯ୍ୟନ୍ତ ସବୁ କିଛି ଠିକଠାକ୍ ଥିଲା। ସଂସ୍ଥାର କର୍ମଚାରୀ ସବୁ କଥା ବୁଝାବୁଝି କରୁଥିଲେ। ଫଳରେ ଷ୍ଟ୍ରିଟ୍ ଲାଇଟ୍ କେବଳ ରାତିରେ ଜଳୁଥିଲା ଓ ସକାଳେ ହେଲେ ବନ୍ଦ ହେଉଥିଲା।

କୌଣସି କାରଣରୁ ୬ ମାସ ହେଲା ଏହି ସଂସ୍ଥା ଦାୟିତ୍ବରୁ ଓହରି ଯାଇଛି। ସଂସ୍ଥାର କର୍ମଚାରୀ ଆଉ ଆସୁ ନାହାନ୍ତି କି କିଛି ବୁଝାବୁଝି କରୁ ନାହାନ୍ତି। ଆଉ ଏହାରି ମଧ୍ୟରେ ସିସିଏମ୍‌ଏକ୍ସ ବକ୍ସଗୁଡ଼ିକ ପୋଡ଼ିଯାଇଛି। ତାକୁ ସଜଡ଼ା ଯାଇ ପାରୁନାହିଁ କି ଅରରେଟ୍ କରିବାକୁ କେହି ନାହାନ୍ତି। ଏନେଇ ଟାଟା ପାୱାରକୁ ଅନୁରୋଧ କରାଯାଇଥିଲା। ତେବେ ବିଦ୍ୟୁତ ବିତରଣ କରିବା ସେମାନଙ୍କ ଦାୟିତ୍ବ ବୋଲି କହି କର୍ତ୍ତୃପକ୍ଷ ଏଥିରେ ମୁଣ୍ଡ ପୁରାଇ ନଥିଲେ। ଏହି କାରଣରୁ ବାରିପଦା ସହରରେ ଦିନରାତି ଷ୍ଟ୍ରିଟ୍ ଲାଇଟ୍ ଜଳୁଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଦିନବେଳା ଷ୍ଟ୍ରିଟ୍ ଲାଇଟ୍ ବନ୍ଦ ହେବା ନେଇ ଜିଲ୍ଲାପାଳ କାଳେ ୩-୪ ଥର ନଗର ଉନ୍ନୟନ ବିଭାଗକୁ ଅବଗତ କରିଛନ୍ତି। ଆଉ ପୌର ପରିଷଦ କର୍ତ୍ତୃପକ୍ଷ ବି ଏ ନେଇ ଜଣାଇଛନ୍ତି। ପୂର୍ବରୁ ଷ୍ଟ୍ରିଟ୍ ଲାଇଟ ଜଳିବା ନେଇ ପୌର ପରିଷଦ ପକ୍ଷରୁ ମାସକୁ ଟାଟା ପାୱାରକୁ ୫ରୁ ୬ ଲକ୍ଷ ଟଙ୍କା ବିଲ୍ ପ୍ରଦାନ କରାଯାଉଥିଲା। ୬ ମାସ ହେଲା ଚାଲିଥିବା ଏହି ଅବ୍ୟବସ୍ଥା ଯୋଗୁ ବିଲ୍ ବୃଦ୍ଧି ହୋଇ ମାସକୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଦେବାକୁ ପଡୁଛି। କହିବାକୁ ଗଲେ ଦିନବେଳା ଷ୍ଟ୍ରିଟ୍ ଲାଇଟ ଗୁଡିକ ଜଳିବା ଯୋଗୁ ମାସକୁ ଅଧିକ ୧୦ ଲକ୍ଷ ଟଙ୍କା ବିଲ୍ ଗଣିବାକୁ ପଡୁଛି ବୋଲି କହିଛନ୍ତି ନଗରପାଳ କୃଷ୍ଣାନନ୍ଦ ମହାନ୍ତି। ତୁରନ୍ତ ଏହାର ସମାଧାନର ବାଟ ବ‌ାହାର କରି ଆବଶ୍ୟକ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।

ତେବେ ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଇଇଏସଏଲ ସଂସ୍ଥାର ଚୁକ୍ତନାମାକୁ ବାତିଲ କରିବାକୁ ନଗର ଉନ୍ନୟନ ବିଭାଗ ଚିନ୍ତା କରିଥିବା ବେଳେ ଏ ନେଇ ସଂସ୍ଥା ହାଇକୋର୍ଟର ଦ୍ବାରସ୍ତ ହୋଇଥିବା ଜଣାପଡ଼ିଛି। ତେଣୁ ଲାଗି ରହିଥିବା ଏହି ଅବ୍ୟବସ୍ଥା ନିକଟ ଭବିଷ୍ୟତରେ ସୁଧୁରିବା ନେଇ ଅନିଶ୍ଚିତତା ଦେଖା ଦେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।