ଧର୍ମ

ମହାମିଳନର ପର୍ବ ଶୀତଳ ଷଷ୍ଠୀ

ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଷଷ୍ଠୀ ଶିବ ଓ ପାର୍ବତୀଙ୍କର ବିବାହ ତିଥି। ଏ ଦୃଷ୍ଟିରୁ ଏହା ଏକ ମହାମିଳନର ପର୍ବ। ସାରା ଓଡ଼ିଶାରେ ଏହା ଉତ୍ସବ ରୂପେ ମହା ସମାରୋହରେ ପାଳିତ ହୁଏ। ବିଶେଷ କରି ସମ୍ବଲପୁରର ଏହା ଏକ ଆଡ଼ମ୍ବରପୂର୍ଣ୍ଣ ଲୋକପର୍ବ। ପୁରୀର ଷୋହଳ ଶାସନରେ ମଧ୍ୟ ଶୀତଳଷଷ୍ଠୀ ଏକ ପ୍ରମୁଖ ପର୍ବ।

ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ଓଡ଼ିଶାର ପ୍ରମୁଖ ଶିବମନ୍ଦିର। ଏହି ମନ୍ଦିରରେ, ଜଗମୋହନର ଦକ୍ଷିଣଦ୍ୱାରଠାରେ ଶିବ ଓ ପାର୍ବତୀଙ୍କ ବିବାହଉତ୍ସବର ଏକ ସୁନ୍ଦର ଦୃଶ୍ୟ ଖୋଦିତ ହୋଇଛି। ଏହି ଉତ୍ସବରେ ବ୍ରହ୍ମା, ବିଷ୍ଣୁ, ଇନ୍ଦ୍ର ଓ ଅନ୍ୟାନ୍ୟ ଦେବତା ଏବଂ ମୁନି, ଋଷିମାନେ ଯୋଗ ଦେଇଛନ୍ତି। ଶିବଗଣଙ୍କର ଓ ମୁନିଋଷିମାନଙ୍କର ଜଟା ବିଭିନ୍ନ ଛଟାରେ ବନ୍ଧା ହୋଇଥିବା ସେଥିରେ ପରିଲକ୍ଷିତ। ଚତୁର୍ମୁଖ ବ୍ରହ୍ମା ହୋମାଗ୍ନିରେ ଆହୁତି ଦେଉଛନ୍ତି ଏବଂ ହୋମର ଶିଖା ଭିତରେ ଅଗ୍ନି ଆବିର୍ଭୂତ ହୋଇଛନ୍ତି। ଇନ୍ଦ୍ର ନିଜର ବାହନ ଐରାବତ ହସ୍ତୀ ଉପରେ ବିରାଜିତ। ଦେବୀ ପାର୍ବତୀ ନାନା ଅଳଙ୍କାରରେ ବିଭୂଷିତା।

ପୌରାଣିକ ଉପାଖ୍ୟାନ ଅନୁସାରେ, ଶିବ-ପାର୍ବତୀଙ୍କର ଏହି ବିବାହ ଅତ୍ୟନ୍ତ ବିଶେଷତ୍ୱପୂର୍ଣ୍ଣ। କାରଣ, ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀଙ୍କ ସହିତ ତାଙ୍କର ବିବାହ ବେଦି ଉପରେ ସଂପନ୍ନ ହୋଇନଥିଲା। ପାର୍ବତୀଙ୍କ ସହିତ ବିବାହ ହିଁ ବେଦି ଉପରେ ହୋଇଥିଲା। ସେଥିରେ ବ୍ରହ୍ମା ଉପସ୍ଥିତ ଥିଲେ। ବ୍ରହ୍ମା ଓ ଅନ୍ୟ ଦେବତାମାନେ ଅଭ୍ୟୁଦୟ କର୍ମ ସଂପାଦନ କରିଥିଲେ। ମଙ୍ଗଳ ବିଧାନମାନ ହୋଇଥିଲା। ଶିବଙ୍କ ଶରୀରରୁ କନ୍ଦର୍ପ ଓ ପନ୍ନଗମାନେ ଅଷ୍ଟ ଅଳଙ୍କାରରେ ବିମଣ୍ଡିତ ହୋଇ ବାହାରିଥିଲେ। ଚଣ୍ଡିକା ତୀର୍ଥଜଳପୂର୍ଣ୍ଣ କଳସ ଧରି ସାଙ୍ଗରେ ଯାଇଥିଲେ। ଚଣ୍ଡିକା ଯିବାରୁ ପିଶାଚ ଓ ଭୂତଗଣ ମଧ୍ୟ ତାଙ୍କର ଅନୁଗମନ କରିଥିଲେ। ତାଙ୍କ ପରେ ଦେବତାମାନେ, ତାଙ୍କ ପଛରେ ଋଷିମାନେ ଏବଂ ସବା ପଛରେ ପାରିଷଦଙ୍କ ଗହଣରେ ଶିବ ବରବେଶରେ ଯାଇଥିଲେ। ବିବାହ ଶୋଭାଯାତ୍ରାରେ ଉପସ୍ଥିତ ଥିଲେ ନାରାୟଣ ଓ ବ୍ରହ୍ମା। ନାରଦ ଓ ଅନ୍ୟ ଋଷିମାନଙ୍କର ପରାମର୍ଶରେ, ବର ଓ କନ୍ୟାଙ୍କ ମଧ୍ୟରେ ପାରସ୍ପରିକ ପୂଜାର ବିନିମୟ ହୋଇଥିଲା। ପରିଶେଷରେ ସାବିତ୍ରୀ, ଲକ୍ଷ୍ମୀ ଓ ଅରୁନ୍ଧତୀ ବରକନ୍ୟାଙ୍କୁ ବନ୍ଦାପନା କରିଥିଲେ।

ଏଣୁ ଏହା ହିଁ ହେଉଛି କାରଣ, ଯେଉଁଥିପାଇଁ ବେଦିବିବାହକୁ ସମାଜରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଦେବବିବାହର ଏହି ମହାମିଳନ ହିଁ ସାମାଜିକ ବିବାହ ବିଧିରେ ପ୍ରତିଫଳିତ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ