ଭୁବନେଶ୍ୱର: ଭଗବାନଙ୍କ ଅଂଶ ବୋଲି ବିଶ୍ୱାସ କରାଯାଉଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ବୈଶାଖ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ କେରଳର କାଲଡୀ ଗାଁରେ ହୋଇଥିଲା | ଶିବଙ୍କ ଭକ୍ତ ଭଟ୍ଟ ବ୍ରାହ୍ମଣ ପରିବାରରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ହୋଇଥିଲା | ତାଙ୍କ ପିତା ଶିବଗୁରୁ ନାମପୁଦ୍ରି ଏବଂ ମାତା ବିଶିଷ୍ଟାଦେବୀ ଶିବଙ୍କ ପରମ ଭକ୍ତ ଥିଲେ | ବିବାହର ଅନେକ ବର୍ଷ ପରେ ମଧ୍ୟ ସନ୍ତାନ ପ୍ରାପ୍ତି ନ ହେବାରୁ ଉଭୟ ସ୍ୱାମୀ -ସ୍ତ୍ରୀ କଠୋର ତପସ୍ୟା କରି ମହାଦେବଙ୍କୁ ପ୍ରସନ୍ନ କରିଥିଲେ | ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ମହାଦେବ ଶିବଗୁରୁଙ୍କୁ ସ୍ୱପ୍ନରେ ଦେଖା ଦେଇଥିଲେ ଏବଂ ବର ମାଗିବାକୁ କହିଥିଲେ | ଶିଵଗୁରୁ ମହାଦେବଙ୍କୁ ସର୍ବଜ୍ଞ ପୁତ୍ର ପ୍ରାପ୍ତିର ବର ମାଗିଥିଲେ | ଭଗବାନ ଶିବ କହିଥିଲେ, ଯିଏ ସର୍ବଜ୍ଞ ପୁତ୍ର ଦୀର୍ଘାୟୁ ହେବନାହିଁ ଏବଂ ଯିଏ ଦୀର୍ଘାୟୁ ହେବ ସେ ସର୍ବଜ୍ଞ ହେବନାହିଁ | ମହାଦେବଙ୍କ କଥା ଶୁଣିବା ପରେ ଶିବଗୁରୁ ସର୍ବଜ୍ଞ ପୁତ୍ରର କାମନା କରିଥିଲେ | ଶିବଗୁରୁଙ୍କ କଥା ଶୁଣି ଶିବ ଅତି ପ୍ରସନ୍ନ ହୋଇଥିଲେ ଏବଂ କହିଥିଲେ ‘ମୁଁ ନିଜେ ତୁମର ପୁତ୍ର ହୋଇ ଜନ୍ମ ନେବି |’ କିଛି ସମୟ ପରେ ବୈଶାଖ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ମଧ୍ୟକାଳରେ ବିଶିଷ୍ଟାଦେବୀ ପରମ ପ୍ରକାଶରୂପ, ଅତି ସୁନ୍ଦର, ଦିବ୍ୟ କାନ୍ତିଯୁକ୍ତ ତେଜସ୍ୱୀ ପୁତ୍ରକୁ ଜନ୍ମ ଦେଇଥିଲେ |
ତତ୍କାଳୀନ ପ୍ରସିଦ୍ଧ ଜ୍ୟୋତିଷ ବିଦ୍ୱାନ ଶିଶୁର ମସ୍ତକରେ ଚିହ୍ନ, ଲଲାଟ, ନେତ୍ର ତଥା ସ୍କନ୍ଧରେ ତ୍ରିଶୂଳ ଚିହ୍ନ ଦେଖି ତାଙ୍କୁ ଭଗବାନ ଶିବଙ୍କ ଅବତାର ମାନି ତାଙ୍କ ନାଁ ଶଙ୍କର ରଖିଥିଲେ | ଶଙ୍କରଙ୍କୁ ୩ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଥିଲା | ପିଲାବେଳୁ ହିଁ ସେ ଅତ୍ୟନ୍ତ ମେଧାବୀ ଓ ପ୍ରତିଭାଶାଳୀ ଥିଲେ | ୬ ବର୍ଷ ବୟସରେ ସେ ପଣ୍ଡିତ ହୋଇଯାଇଥିଲେ ଏବଂ ୮ ବର୍ଷ ବୟସରେ ସେ ସନ୍ୟାସ ଗ୍ରହଣ କରିଥିଲେ |
ଏକମାତ୍ର ପୁତ୍ର ଥିବା ଯୋଗୁଁ ମାତା ବିଶିଷ୍ଟାଦେବୀ ତାଙ୍କୁ ସନ୍ୟାସୀ ହେବା ପାଇଁ ଅନୁମତି ଦେଉନଥିଲେ | ଦିନେ ନଦୀକୂଳରେ ସ୍ନାନ କଲାବେଳେ ଶଙ୍କରାଚାର୍ଯ୍ୟଏକ ମାୟା ରଚନା କରିଥିଲେ ଯେଉଁଥିରେ ଏକ କୁମ୍ଭୀର ଶଙ୍କରାଚାର୍ଯ୍ୟଙ୍କ ଗୋଡ କାମୁଡିଧରି ଦେଇଥିଲା | କୁମ୍ଭୀର ଶଙ୍କରାଚାର୍ଯ୍ୟଙ୍କ ଗୋଡ ଧରିବା ପରେ ସେ ପାଟି କରି ମା’ଙ୍କୁ କହିଥିଲେ , ମା ମୋତେ ସନ୍ୟାସ ନେବା ପାଇଁ ଅନୁମତି ଦିଅନ୍ତୁ ନଚେତ କୁମ୍ଭୀର ମୋତେ ଖାଇଦେବ | ଏହା ଦେଖି ମାତା ବିଶିଷ୍ଟାଦେବୀ ଭୟଭୀତ ହୋଇ ଶଙ୍କରାଚାର୍ଯ୍ୟଙ୍କୁ ସନ୍ୟାସ ନେବା ପାଇଁ ଅନୁମତି ଦେଇଥିଲେ | ଏହା ଶୁଣିବା ମାତ୍ରେ କୁମ୍ଭୀର ଶଙ୍କରାଚାର୍ଯ୍ୟଙ୍କୁ ଛାଡି ଦେଇଥିଲା |
ଯେତେବେଳେ ଶଙ୍କରାଚାର୍ଯ୍ୟଙ୍କ ଆବିର୍ଭାବ ହୋଇଥିଲା ସେତେବେଳେ ଭାରତରେ ବୈଦିକ ଧର୍ମାବଲମ୍ବୀ ଦୁର୍ବଳ ହେବାକୁ ଯାଉଥିଲା ଏବଂ ବୌଦ୍ଧ ଧର୍ମର ମହତ୍ୱ ବଢ଼ିବାରେ ଲାଗିଥିଲା | ଏତିକିବେଳେ ଶଙ୍କର ପ୍ରକାଶ ସ୍ତମ୍ଭ ହୋଇ ପ୍ରକଟ ହୋଇଥିଲେ ଏବଂ ୩୨ ବର୍ଷ ବୟସରେ ସନାତନ ଧର୍ମକୁ ସଶକ୍ତ ଓ ପ୍ରଭାବଶାଳୀ କରିଥିଲେ | ୩ ବର୍ଷ ବୟସରେ ଶଙ୍କର ମାଲାୟାଲାମ ଭାଷାରେ ଜ୍ଞାନ ପ୍ରାପ୍ତ କରିଥିଲେ | ସେତେବେଳେ ଶଙ୍କରଙ୍କ ପିତା ଶିବଗୁରୁ ଚାହୁଁଥିଲେ ଯେ ଶଙ୍କର ସଂସ୍କୃତରେ ସମ୍ପୂର୍ଣ ଜ୍ଞାନ ପ୍ରାପ୍ତ କରନ୍ତୁ | କିନ୍ତୁ ପିତାଙ୍କ ଅକାଳ ମୃତ୍ୟୁ ହୋଇଯାଇଥିଲା |
ପ୍ରାରମ୍ଭିକ ସନ୍ୟାସୀ ରୂପରେ ଦିନେ ସେ ଜଣେ ବ୍ରାହଣଙ୍କ ଘରକୁ ଭିକ୍ଷା ପାଇଁ ଯାଇଥିଲେ | କିନ୍ତୁ ବ୍ରାହ୍ମଣଙ୍କ ଘରେ ଭିକ୍ଷା ଦେବା ପାଇଁ ଗୋଟିଏ ଦାନା ଅନ୍ନ ମଧ୍ୟ ନଥିଲା | ବ୍ରାହ୍ମଣଙ୍କ ପତ୍ନୀ ଶଙ୍କରଙ୍କ ହାତରେ ଗୋଟିଏ ଅଁଳା ଦେଇଥିଲେ ଏବଂ କାନ୍ଦି କାନ୍ଦି ନିଜ ଦରିଦ୍ର ପରିସ୍ଥିତି କଥା କହିଥିଲେ | ବ୍ରାହ୍ମଣଙ୍କ ଏହିଭଳି ପରିସ୍ଥିତି ଦେଖି ଶଙ୍କର ଦୁଃଖିତ ହୋଇଯାଇଥିଲେ ଏବଂ ଅତ୍ୟନ୍ତ ଆର୍ତ୍ତ ସ୍ୱରରେ ମା’ ମହାଲକ୍ଷ୍ମୀଙ୍କ ‘କନକ ଧାରା’ ସ୍ତୋତ୍ର ରଚନା କରି ଗରିବ ବ୍ରାହ୍ମଣଙ୍କ ଦୁଃଖ ହରଣ କରିବା ପାଇଁ ପ୍ରାର୍ଥନା କରିଥିଲେ | କିଛି ସମୟରେ ମା’ମହାଲକ୍ଷ୍ମୀ ସେହି ବ୍ରାହ୍ମଣଙ୍କ ଘରେ ସୁନା ଅଁଳା ବର୍ଷା କରି ବ୍ରାହ୍ମଣ ପରିବାରର ଦୁଃଖ ଦୂର କରିଥିଲେ | ଏହି ବ୍ରହ୍ମଚାରୀ ବାଳକ ଶଙ୍କର ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନାଁରେ ପ୍ରସିଦ୍ଧ ହେଲେ |
୩୨ ବର୍ଷ ବୟସରେ ଶଙ୍କରାଚାର୍ଯ୍ୟ କେଦାରନାଥ ନିକଟରେ ଥିବା ଏକ ଗୁମ୍ଫାରେ ପ୍ରବେଶ କରିଥିଲେ | କିନ୍ତୁ ଗୁମ୍ଫାରେ ପ୍ରବେଶ କରିବା ପରେ ତାଙ୍କୁ କେବେ ଆଉ କେହି ଦେଖି ନାହାନ୍ତି | ସେହି ଗୁମ୍ଫା ଭିତରେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ବିଶ୍ୱାସ କରାଯାଏ |