ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଶ୍ୱର ସର୍ବବୃହତ୍‌ ରଥ ପାଇଁ କାଠ ନାହିଁ

କେନ୍ଦୁଝର : ବିଶ୍ବର ସବୁଠାରୁ ବଡ଼ ରଥର ମାନ୍ୟତା ପାଇଛି କେନ୍ଦୁଝର ବଳଦେବଜିଉଙ୍କ ରଥ। ଏଇ କିଛିଦିନ ତଳେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ମିଳିଛି। ମାତ୍ର ଏଠାରେ ଏକ ସୁନ୍ଦର ଓ ସୁରକ୍ଷିତ ରଥ ନିର୍ମାଣ ପାଇଁ ଯେତିକି କାଠ ଦରକାର, ତାହା ଆଜିଯାଏ ମିଳୁନାହିଁ। ଆଉ ଦିନ କେଇଟା ପରେ ରଥଯାତ୍ରା ଥିବାରୁ ଏଥିନେଇ ରଥ ନିର୍ମାଣର ମୁଖ୍ୟ ମହାରଣା ଅସନ୍ତୋଷ ପ୍ରକାଶ କରିଛନ୍ତି।

କେନ୍ଦୁଝର ବଳଦେବଜିଉଙ୍କ ରଥର ଉଚ୍ଚତା ୭୨ ଫୁଟ ଥିବା ବେ‌ଳେ ୪୫ ଫୁଟ ଓସାର । ଏହି ରଥ ପ୍ରତିବର୍ଷ ନୂତନ ଭାବେ ନିର୍ମାଣ ହେଉନଥିଲେ ମଧ୍ୟ ମରାମତି କରାଯାଇଥାଏ। ଗତ ଦୁଇବର୍ଷ ଧରି ରଥଯାତ୍ରା କରୋନା ପାଇଁ ବନ୍ଦ ଥିବାବେଳେ ଏଥର ହେବ। ତେଣୁ ରଥ ମରାମତି କାର୍ଯ୍ୟ ଆରମ୍ଭ ‌ହୋଇଛି। ତେବେ ଏହି ରଥର ଯେଉଁ ସବୁ ଅଂଶ ମରାମତି ହେବ ସେଥିପାଇଁ ଆବଶ୍ୟକ କାଠ ମିଳିନାହିଁ। ଫଳରେ ରଥ ନିର୍ମାଣର ମୁଖ୍ୟ ମହାରଣା ନୀଳମଣି ମହାରାଣା ଅସନ୍ତୋଷ ପ୍ରକାଶ କରିଛନ୍ତି।

ମୁଖ୍ୟ ମହାରଣା କହିଛନ୍ତି, ଦୁଇ ବର୍ଷ ହେଲା ରଥଯାତ୍ରା ହୋଇନି। ବଡ଼ଦାଣ୍ଡରେ ରହିଥିବା ରଥର ଅଧିକାଂଶ ଭାଗ ଖରାବର୍ଷାରେ ନଷ୍ଟ ହୋଇଯାଇଛି। ଚଳିତ ବର୍ଷର ରଥଯାତ୍ରା ପାଇଁ ଗତ ନଭେମ୍ବର ମାସରୁ ଉପଜିଲ୍ଲାପାଳଙ୍କୁ ଆବଶ୍ୟକ କାଠ ସଂପର୍କରେ ଅବଗତ କରାଇଥିଲି। ମାତ୍ର ଦୁର୍ଭାଗ୍ୟର କଥା ଆଜି ଯାଏ କାଠ ମିଳିଲା ନାହିଁ। ସେ କହିଛନ୍ତି, ରଥ ନିର୍ମାଣ ପାଇଁ ଭୂଇଁ ବା ତଳ ଅଂଶ ବେଶ ଜରୁରୀ। ଏଥିରେ ମୁଖ୍ୟ କାଠ ଭାବେ ୮ଟି ଅଖ ଥାଏ। ଏଥିପାଇଁ ଧଉରା କାଠ ଆବଶ୍ୟକ। ସେହିପରି ୯ଟି ବରାନ୍ଦ ଥାଏ। ଏହି ୯ଟି ବରାନ୍ଦ ଶାଳ କାଠରେ ହୋଇଥାଏ। ଏଥିରୁ ୫ଟି ବରାନ୍ଦ ୪୫ ଫୁଟ ଲମ୍ବର ହୋଇଥିବା ବେଳେ ୨ଟି ବରାନ୍ଦ ୪୩ ଫୁଟ ଏବଂ ଅନ୍ୟ ୨ଟି ବରାନ୍ଦ ୪୧ ଫୁଟର
ଆବଶ୍ୟକ ହେଇଥାଏ। ଏହି ବରାନ୍ଦ ଉପରେ ରଥର ଉପରି ଭାଗ ରହିଥାଏ। ଏହି ଅଖ ଏବଂ ବରାନ୍ଦ ନିଶ୍ଚିତ ଭାବେ ବଦଳାଇବା କଥା। ବର୍ତ୍ତମାନ ରଥର ୪ଟି ବରାନ୍ଦ ନଷ୍ଟ ହୋଇ ଯାଇଛି। ତେଣୁ ସଂପୂର୍ଣ୍ଣ ବରାନ୍ଦ ବଦଳାଇବାକୁ ମୁଖ୍ୟ ମହାରଣା ଦେବତ୍ତୋର ବିଭାଗକୁ କହିଥିଲେ। କିନ୍ତୁ ଏଯାଏ କାଠ ପହଞ୍ଚି ନାହିଁ।

ସେହିପରି ୪ଟି ସୁନା ମାଇକା, ୨ଟି ହାପୁଡା, ୧୬ଟି ଗଜକଣି ବଦଳାଇବା ଆବଶ୍ୟକ ଅଛି। ତେଣୁ ଏଥିପାଇଁ ଯେଉଁ କାଠ ଆବଶ୍ୟକ ତାହା ନାହିଁ। ଗତ ଅକ୍ଷୟତୃତୀୟାରୁ ରଥକାଠ ଅନୁକୂଳ ହୋଇ ମରାମତି କର୍ଯ୍ୟ ଚାଲିଥିଲେ ବି ଏଯାଏଁ ଆବଶ୍ୟକ କାଠ ପହଞ୍ଚି ନଥିବାରୁ କାମ ବିଳମ୍ବ ହେଉଛି।

ଏ ସଂପର୍କରେ ସ୍ଥାନୀୟ ବଡ଼ଦଣ୍ଡାର ବରିଷ୍ଠ ନାଗରିକ ତଥା ଘୁଙ୍ଗୁର କ୍ଲବର ସଭାପତି ନବ କିଶୋର ସାହୁ କହିଛନ୍ତି, କେନ୍ଦୁଝର ଜିଲ୍ଲାରେ ଜଙ୍ଗଲ ଅଛି। କିନ୍ତୁ ଜିଲ୍ଲାର ଆରାଧ୍ୟ ଦେବତା ବଳଦେବଜିଉଙ୍କ ରଥ ପାଇଁ କାଠ ଠିକ୍‌ ସମୟରେ ନ ମିଳିବା ଦୁର୍ଭାଗ୍ୟର ବିଷୟ। ତୁରନ୍ତ ପ୍ରଶାସନ କାଠ ଦେଇ ରଥ ନିର୍ମାଣରେ ସହାୟକ ହୁଅନ୍ତୁ ବୋଲି ସେ କହିଛନ୍ତି।

ଦେବୋତ୍ତର ବିଭାଗର ମୁଖ୍ୟ ତଥା ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁଙ୍କୁ ଯୋଗାଯୋଗ କରାଯିବାରୁ ରଥକାଠ ବିଷୟରେ ମୁଖ୍ୟ ମହାରଣା ନୀଳମଣି ମହାରଣାଙ୍କ ସହତ ଆଲୋଚନା ସରିଛି। ମୁଖ୍ୟ ମହାରଣା କାଠ ଚିହ୍ନଟ କରିଛନ୍ତି। ଯାହାକି ଖୁବଶୀଘ୍ର ତାଙ୍କୁ ମିଳିଯିବ ବୋଲି ଶ୍ରୀ କିସ୍କୁ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।