ନୂଆଦିଲ୍ଲୀ ୧୬/୧୧: ଗଭୀର ପାଣି ଭିତରେ ୬ ଦିନ ରହିବାର ନୂଆ ବିଶ୍ବ ରେକର୍ଡ। ସମୂଦ୍ର ଭିତରେ ୧୪୫ ଘଣ୍ଟା ରହି ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍ରେ ସାମିଲ ହେବାକୁ ଯାଉଛନ୍ତି ଜଣେ ସ୍କୁବା ଡାଇଭର। ଇଜିପ୍ଟର ସ୍କୁବା ଡାଇଭର ୨୬ ବର୍ଷୀୟ ସଦାମ ଅଲ କିଲାନି ଏବେ ଏହି ବିରଳ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି।

ତେବେ ସଦାମଙ୍କ ସମସ୍ତ ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ଗିନିଜ୍ ବୁକ୍ ଅଫ ରେକର୍ଡସକୁ ପଠାଯାଇଛି। ଏହାର ଯାଞ୍ଚ ପରେ ତାଙ୍କୁ ଟାଇଟଲ୍ ମିଳିବାକୁ ଥିବା ବେଳେ ସଂଗଠନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସଦାମ ଦାହାବ ଉପକୂଳରେ ରେଡ୍ ସି ମଧ୍ୟରେ ନଭେମ୍ବର ୫ରୁ ୧୪୫ ଘଣ୍ଟା ୩୦ ମିନିଟ୍ ପାଣି ଭିତରେ ରହିଥିଲେ। ତେବେ ସଦାମ ନିଜର ଏକ ପୂରୁଣା ରେକର୍ଡକୁ ନିଜେ କାଟିଛନ୍ତି। ୨୦୧୭ରେ ସଦାମ ୧୨୧ ଘଣ୍ଟା ରହି ରେକର୍ଡ କରିଥିଲେ।

ତେବେ ଏଭଳି ଏକ ବିଶ୍ବ ରେକର୍ଡ କରିବା ପଛରେ ମେଡିକାଲ ଏକ୍ସପର୍ଟ ଓ ସାଥି ସ୍କୁବା ଡାଇଭରମାନଙ୍କ ସହଯୋଗ ରହିଥିବା ସଦାମ କହିଛନ୍ତି। ଏହା ସହ ସେ ପାଣି ଭିତରେ ୧୫୦ ଘଣ୍ଟା ରହବିକୁ ଯୋଜନା କରିଥିଲେ ହେଁ ୧୪୫ ଘଣ୍ଟା ୩୦ ମିନିଟ୍ ରହିପାରିଥିଲେ ବୋଲି କହିଛନ୍ତି।
ପାଣି ଭିତରେ ରହିବାର ବିଶ୍ବ ରେକର୍ଡ ପୂର୍ବରୁ ସଦାମ ଚର୍ଚ୍ଚାରେ ଥିଲେ। ନିଜର ଭାବି ପତ୍ନୀ ପିଆ ଲେଗୋରାଙ୍କ ସହ ନିର୍ବନ୍ଧ ପାଣି ଭିତରେ ହିଁ କରିଥିଲେ ସଦାମ ଅଲି କିଲାନି।