ନୂଆଦିଲ୍ଲୀ ୧୬।୧୨: କରୋନା ଭାଇରସର ଦୈନିକି ସଂକ୍ରମଣ ସଂଖ୍ୟା ବଢିବା ଓ କମିବାରେ ଲାଗିଛି । ମଙ୍ଗଳବାର ୨୨୦୬୫ କରୋନା ଆକ୍ରାନ୍ତି ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ଦିନ ୨୬,୩୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସକ୍ରିୟ କେସ୍ ଚାରି ଲକ୍ଷ ତଳେ ରହିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଳଣାୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ୨୬୩୮୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୮୭ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ଯାଏଁ ୯୯,୩୨,୫୪୮ଜଣ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧,୪୪,୦୯୬ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗତ ୨୪ଘଣ୍ଟାରେ ୩୩,୮୧୩ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଯାଏଁ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୪,୫୬,୪୪୯ ପହଞ୍ଚିଛି । କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକି ଏକ ଶୁଭ ସଙ୍କେତ ବୋଲି ବିଶେଷଜ୍ଞ କହୁଛନ୍ତି ।
ଦେଶରେ କରୋନା ଭାଇରସର ଆକ୍ଟିଭ କେସ୍ ଲଗାତର ଭାବେ ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ କରୋନା ଭାଇରସରେ ଆକ୍ଟିଭ୍ କେସ୍ ସଂଖ୍ୟା ୩,୩୨,୦୦୨ରେ ପହଞ୍ଚିଛି । ଦେଶରେ କରୋନାରୁ ସୁସ୍ଥ ଓ ଆକ୍ଟିଭ୍ କେସ୍ ସଂଖ୍ୟା ମଧ୍ୟରେ ବଡ ଧରଣର ଅନ୍ତ ରହିଛି । କରୋନା ବିରୋଧରେ ଲଢେଇରେ ଭାରତ ଜିତିବାର ଲାଗିଛି ।