ପୁରୀ ୧।୪: ପୁରୀରେ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ମନ୍ଦିର । କିଛି ଦିନ ତଳେ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ହେବା ପରେ ଗୁରୁବାର ବଡଦାଣ୍ଡ ବଳଗଣ୍ଡି ନିକଟରେ ଥିବା ମାଉସୀ ମା’ ମନ୍ଦିରରୁ ଚୋରି ହୋଇଛି । ମୁଖ୍ୟ ପ୍ରବେଶ ଦ୍ବାର ଲୁହା ଗେଟର ତାଲା କାଟି ଲୁଟେରାମାନେ ମନ୍ଦିର ଭିତରେ ପସିଥିଲେ । ତାପରେ ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରିଥିଲେ ।
ମନ୍ଦିରର ହୁଣ୍ଡି ଭାଙ୍ଗି ପ୍ରାୟ ୩୦ ହଜାର ଟଙ୍କା ଲୁଟ୍ ହୋଇଥିବା ଆଶଙ୍କା କରାଯାଇଛି । ସେପଟେ ଭିତର ଗଡ଼ରେଜ ଭାଙ୍ଗି ମା’ଙ୍କ ରୂପା ଅଳଙ୍କାର ଓ ଦାତା ଦେଇଥିବା ଶାଢୀ ସବୁକୁ ଚୋରି କରି ନେଇଯାଇଛନ୍ତି । ଖବର ପାଇ କୁମ୍ଭାରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
