ରାଜ୍ୟ ସ୍ପେଶାଲ ରିପୋର୍ଟ

ତମାଣ୍ଡୋରେ ‘ଡିଭାଇନ୍‌ ଲାଇଟ୍‌ ହାଉସ୍‌’ ଶିଳାନ୍ୟାସ କଲେ ରାଷ୍ଟ୍ରପତି: ‘ଆଧ୍ୟାତ୍ମିକ ମାର୍ଗରୁ ହିଁ ମିଳେ ମାନସିକ ଶାନ୍ତି’

ଭୁବନେଶ୍ବର : ମାନବ ସମାଜ ପାଇଁ ଉଭୟ ବସ୍ତୁବାଦ ଓ ଆଧ୍ୟାତ୍ମବାଦର ବିକାଶ ଜରୁରି। ବୈଷୟିକ ଜ୍ଞାନକୌଶଳର ବିକାଶ ମଣିଷର ଆବଶ୍ୟକତା, ଅଭାବ ପୂରଣ କରିଥାଏ। ଏହାର ବିକାଶ ଅନିବାର୍ଯ୍ୟ। ଏହାକୁ ଏଡ଼ାଇଦେଇ ହେବନାହିଁ। ବସ୍ତୁବାଦୀ ଚିନ୍ତାଧାରା ମଣିଷର ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ନିହାତି ଆବଶ୍ୟକ। କିନ୍ତୁ ପ୍ରକୃତ ଶାନ୍ତି ଥାଏ ଆଧ୍ୟାତ୍ମିକ ମାର୍ଗରେ। ମାନସିକ ଶାନ୍ତି ଆଧ୍ୟାତ୍ମିକ ମାର୍ଗରୁ ହିଁ ମିଳିଥାଏ। ଆତ୍ମଚିନ୍ତନ ବଳରେ ନକାରାତ୍ମକ ଚିନ୍ତାଧାରାକୁ ପ୍ରତିହତ କରାଯାଇପାରେ। ଆଜି ଭୁବନେଶ୍ବର ଉପକଣ୍ଠ ତମାଣ୍ଡୋ ଦଶବାଟିଆଠାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ‘ଡିଭାଇନ୍ ଲାଇଟ୍‌ ହାଉସ’ ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହି ଅବସରରେ ଆୟୋଜିତ ‘ସକାରାତ୍ମକ ପରିବର୍ତ୍ତନର ବର୍ଷ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ରାଷ୍ଟ୍ରପତି ଆହୁରି କହିଲେ ଯେ ସବୁବେଳେ ପରିବର୍ତ୍ତନ ଅବଶ୍ୟମ୍ଭାବୀ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୋଗୁ ଆଜି ପୃଥିବୀ ଗୋଟିଏ ଗ୍ରାମରେ ପରିବର୍ତ୍ତନ ହୋଇଛି। ପରିବର୍ତ୍ତନର ବାହକ ହେଉଛି ବୈଷୟିକ ଜ୍ଞାନ। ତେବେ ମାନସିକ ଶାନ୍ତି ବିନା ଜୀବନ, ଜୀବନ ନୁହେଁ। ଏହି ଅବସରରେ ରାଷ୍ଟ୍ରପତି ଭଗବତ ଗୀତାବାଣୀ ଉଦ୍ଧାର କରିଥିଲେ। ଶ୍ରୀମତୀ ମୁର୍ମୁ କହିଥିଲେ, ଈଶ୍ବରଙ୍କ ସହ ସଂଯୁକ୍ତ ନ ହୋଇ କେହି ଶାନ୍ତି ପାଇନାହିଁ। ଧନ, ସମ୍ପତ୍ତି ସବୁ ସୁଖର ଉପାଦାନ,‌ କିନ୍ତୁ ମାନସିକ ଶାନ୍ତି ବିନା ମଣିଷ ପ୍ରକୃତ ସୁଖ ପାଇ ପାରିବ ନାହିଁ। ସେଥିପାଇଁ କେବଳ ଆଧ୍ୟାତ୍ମିକ ମାର୍ଗରେ ହିଁ ଗତି କରିବାକୁ ହେବ। ଆଜିକାଲି ସୋସିଆଲ ମିଡିଆର ପ୍ରଭାବ ମଣିଷକୁ କୂପମଣ୍ଡୁକ ସଜାଇଛି। ଆତ୍ମଚିନ୍ତନ ଅଭାବରୁ ମଣିଷ ନକାରାତ୍ମକ ଚିନ୍ତାଧାରାର ଶିକାର ହେଉଛି। ମଣିଷ ଭିତରେ ମଣିଷ ପ୍ରତି ଘୃଣା, ଅସହିଷ୍ଣୁତା, ଈର୍ଷାପରାୟଣତା ବଢ଼ିବାରେ ଲାଗିଛି। ଏସବୁରୁ ନ ମୁକୁଳିବା ପର୍ଯ୍ୟନ୍ତ ମଣିଷ ଶାନ୍ତି ପାଇବ ନାହିଁ। ତେଣୁ ଆତ୍ମଚିନ୍ତନ ଶିଖିବା ଜରୁରି।

ରାଷ୍ଟ୍ରପତି କହିଥିଲେ ଯେ ନକାରାତ୍ମକ ଚିନ୍ତାଧାରାରୁ ବାହାରି ସକାରାତ୍ମକ ଦିଗରେ ଅଗ୍ରସର ହେବା ଏବେ ଆମ ପାଇଁ ବଡ଼ ଆହ୍ବାନ। ଏଥିପାଇଁ ଏକ ବଳିଷ୍ଠ ମାର୍ଗଦର୍ଶନ ଆବଶ୍ୟକ। ଲାଇଟ୍‌ ହାଉସ୍‌ ଯେମିତି ଅନ୍ଧାର ରାତିରେ ଦିଗହରା ନାବିକକୁ ମାର୍ଗ ଦେଖାଏ, ସେମିତି ବ୍ରହ୍ମାକୁମାରୀ ପରିବାରର ବତିଘର ଶାନ୍ତିର ଏକ ଦିଗ୍‌ବାରଣ ସାଜିବ। ନକାରାତ୍ମକ ଅନ୍ଧକାରରୁ ସକାରାତ୍ମକ ଆଲୋକ ଆଡ଼କୁ ବାଟ କଢ଼ାଇବ। ନିଜ ଜୀବନର ଏକ ଦୁଃଖଦ ସମୟକୁ ସେ କିଭଳି ବ୍ରହ୍ମାକୁମାରୀ ସଂସ୍ଥା ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହୋଇ ଅତିକ୍ରମ କରିଥିଲେ, ସେନେଇ ସମ୍ୟକ୍ ସୂଚନା ଦେଇଥିଲେ ରାଷ୍ଟ୍ରପତି। ଏଥିସହ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ କେବଳ ଏକ ସଂଗଠନ ନୁହେଁ, ଏହା ମହିଳାଙ୍କ ଦ୍ବାରା ପରିଚାଳିତ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅଭିଯାନ ବୋଲି ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଥିଲେ।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଥିଲେ ଯେ ଜଡ଼ ପଦାର୍ଥ, ସଂଖ୍ୟା ସବୁ ପରିବର୍ତ୍ତନଶୀଳ। ସେ ଏବେ ଓଡ଼ିଶାର ପ୍ରଥମ ନାଗରିକ ଅଛନ୍ତି, ତାଙ୍କ ଆଗରୁ ଆଉ କେହି ଥିଲେ ଏବଂ ପରେ ପୁଣି କେହି ଜଣେ ହେବେ। ହେଲେ ଏମିତି ବହୁତ କିଛି ଅଛି, ଯାହା କେବେ ବଦଳେନି। ‘ମୁଁ’ ଏବଂ ‘ଆଶା’କୁ ବାଦ୍‌ଦେଲେ, ମଣିଷ ସେହି ଅପରିବର୍ତ୍ତନୀୟ ରହସ୍ୟକୁ ଭେଦ କରିପାରିବ। କାର୍ଯ୍ୟକ୍ରମରେ ମଞ୍ଚରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଯୁଗ୍ମ ପ୍ରଶାସିକା ସନ୍ତୋଷ ଦିଦି, ଏକ୍‌ଜିକ୍ୟୁଟିଭ୍‌ ସେକ୍ରେଟାରି ମୃତ୍ୟୁଞ୍ଜୟ, ଭୁବନେଶ୍ବର ଜୋନ୍‌ ସଞ୍ଚାଳିକା ଲିନା, ନଥମଲ ଭାଇ, ଦୁର୍ଗେଶ ନନ୍ଦିନୀ ଓ ବ୍ରହ୍ମାକୁମାରୀ ଲିନା ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।