ରାଜ୍ୟ ସ୍ପେଶାଲ ରିପୋର୍ଟ

ଠକ ତାନ୍ତ୍ରିକ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ: କୈଫି ଘରେ ପିଲାଦିନୁ ବଢ଼ିଛି ଗ୍ୟାଙ୍ଗଷ୍ଟର୍‌ ସକିଲ୍

କଟକ : କେଶରପୁରରେ ଠକ କୈଫ ଖାଁର ଘରେ ପିଲାଦିନୁ ରହିଆସୁଥିଲା ଗ୍ୟାଙ୍ଗଷ୍ଟର୍‌ ମହମ୍ମଦ ସକିଲ୍। ସକିଲ୍‌ର ମାମୁ ପୁଅ ଭାଇ ଥିଲା କୈଫି। ସେହି ସମ୍ପର୍କ ସୂତ୍ରରେ ସକିଲ ଗୋଟିଏ କୋଠାରେ ତା ବାପା, ମା, ଭାଇ ସହିତ ରହୁଥିଲା। ଚଳିତବର୍ଷ ସକିଲ ବିବାହ କରିବା ପରେ ପତ୍ନୀ ସହିତ ବି ସେଠାରେ ରହୁଥିଲା। କୈଫିର ଠକେଇର କାରବାର ସମ୍ପର୍କରେ ସକିଲ୍‌ ସମସ୍ତ କଥା ଜାଣିଥିଲା। ସକିଲକୁ କଟକ କମିସନରେଟ୍ ପୁଲିସ ତଡ଼ିପାର୍ କରିବା ପରଠାରୁ କୈଫିର ଘର ଛାଡ଼ିଦେଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସକିଲ୍‌ର ମାମୁ ଥିଲେ କୈଫିର ବାପା। ପିଲାଦିନୁ ସକିଲ୍‌ ମଙ୍ଗଳାବାଗ ଥାନା କେଶରପୁର ଘରେ ରହି ବଢ଼ିବା ପରେ ସମସ୍ତ ଅପରାଧିକ କାର୍ଯ୍ୟକଳାପ ଏହିଠାରେ ରହି ଚଳାଉଥିଲା। ତେବେ କୈଫିର ଠକେଇ ମାମଲାରେ ମଙ୍ଗଳାବାଗ ଥାନା ପୁଲିସ ସକିଲ୍‌କୁ ବି ସ୍କାନର୍‌କୁ ଆଣିଛି। ସଦର ଥାନାରେ କୈଫି ବିରୋଧରେ ୨୦୧୯ ରେ ରୁଜୁ ହୋଇଥିବା ପ୍ରଥମ ମାମଲା ସଂକ୍ରାନ୍ତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏବେ ସାମ୍‌ନାକୁ ଆସିଛି। ସଦର ଥାନା ପୁଲିସ ଗ୍ୟାଙ୍ଗଷ୍ଟର୍‌ ସେକ୍ ସକିଲ୍‌ ସମେତ ମାମୁ ପୁଅ ଭାଇ ଠକ କୈଫି ଖାଁ, ସେକ୍ ବାବୁ, ଶିବ ଖୁଣ୍ଟିଆ, ମହମ୍ମଦ ହାପିଜ୍ ଓରଫ ପପୁ, ଅଭିଷେକ ସାହୁ ବିରୋଧରେ ମାମଲା ରୁଜୁ କରିଥିଲା। ମଧୁପାଟଣା ନେତାଜୀନଗର ଅଞ୍ଚଳର କାଳୀପ୍ରସାଦ ଦାସଙ୍କୁ ଏହି ଗୋଷ୍ଠୀ ଆକ୍ରମଣ ସହିତ ଦାଦାବଟି ଆଦାୟ, ଧମକ ଚମକ ଦେବା ଭଳି ଅଭିଯୋଗ ରହିଥିଲା। ପୁଲିସ କାଳୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ କୈଫିର ଭୂମିକା ଥିବା କୁହାଯାଉଛି। ସକିଲ ସହିତ ମିଶି ଅପରାଧିକ କାର୍ଯ୍ୟକଳାପରେ ବି କୈଫି ଧୀରେ ଧୀରେ ସାମିଲ ହୋଇଯାଇଥିଲା। ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ତନ୍ତ୍ର ବିଦ୍ୟା ଶିଖିବା ପରେ କୈଫି କଟକ ଆସି ଠକେଇ କାରବାର ଆରମ୍ଭ କରିଦେଇଥିଲା। କୈଫି ନକଲି ସୁନା ଇଟା, ହୀରା ଅଳଙ୍କାର କଲିକତାରୁ ଆଣିଥିବା ପୁଲିସକୁ ସୂଚନା ଦେଇଛି। ପୁଲିସ କଲିକତାର ଜଣେ ବ୍ୟବସାୟୀଙ୍କୁ ବି ଘଟଣା ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି।

କୈଫି ବିରୋଧରେ ମଙ୍ଗଳାବାଗ ଥାନାରେ ୫ଟି ଓ ସଦର ଥାନାରେ ଗୋଟିଏ ମିଶାଇ ମୋଟ ୬ଟି ଠକେଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ କୈଫି ମୋଟ ୧ କୋଟି ୧୩ ଲକ୍ଷ ୯୫ ହଜାର ଟଙ୍କାର ଠକିଥିବା ପ୍ରମାଣ ମିଳିଛି। କୈଫି ମୋଟ ୧ କୋଟି ୬୨ ଲକ୍ଷ ୬ ହଜାର ଟଙ୍କା ଖର୍ଚ୍ଚ କରିଥିଲା। ଏଥିରେ ସାହାରା ଇଣ୍ଡିଆରେ ୯୫ଟି ଏଫ୍‌ଡି ଓ ଆର୍‌ଡି ଆକାଉଣ୍ଟ ଅଚଳ ହୋଇଛି। ଏଥିରେ ୨୯ ଲକ୍ଷ ୫୬ ହଜାର ଟଙ୍କା ଥିବା ଜଣାପଡ଼ିଛି। ଏଲ୍‌ଆଇସିରେ ୫ଟି ଜୀବନ ବୀମା ରହିଛି। ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ଟଙ୍କା ମାସିକ କିସ୍ତି ପୈଠ କରିଥିଲା। କଲିକତାରେ ସେୟାର୍‌ ମାର୍କେଟରେ ୧୧ ଲକ୍ଷ ଓ ହାଇଦ୍ରାବାଦ୍‌ରେ ୧୨ ଲକ୍ଷ ଟଙ୍କା ନିବେଶ କରିଛି। ପୁରୁଣା କାର୍ କିଣାରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ନୂଆ କାର୍ ଓ ବାଇକ୍ କିଣାରେ ୨୧ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରିଛି। ତା ହେପାଜତରୁ ଦୁଇଟି ଭର୍‌ନା, ବ୍ରିଜା କାର୍, ଵାଗନର୍‌, ଆର୍‌୧୫ ୟାମହା, ଆକ୍ଟିଭା ସ୍କୁଟି ଜବତ ହୋଇଛି। ଦିଓ୍ୱାନବଜାରରେ ସୁନା ଅଳଙ୍କାର ଦୋକାନ, ଘଣ୍ଟା ଓ ମୋବାଇଲ ଦୋକାନ ଖୋଲିଥିଲା। ସେଠି ସେ ୪୦ ଲକ୍ଷ ଟଙ୍କା ନିବେଶ କରିଥିଲା। ଏହି ଦୋକାନ ଘର ଭିତର ଅତ୍ୟାଧୁନିକ ଢଙ୍ଗରେ ସାଜସଜ୍ଜା ପାଇଁ ୫ ଲକ୍ଷ ଟଙ୍କା ନିବେଶ କରିଥିଲା। ବିମାନରେ ସେ ବେଙ୍ଗାଲୁରୁ, ଆଜମେର୍‌, ଦିଲ୍ଲୀ ଯିବା ବାବଦରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। କୈଫି ନିକଟରୁ ମୋଟ ୮୯ ଲକ୍ଷ ୬ ହଜାର ଟଙ୍କାର ସମ୍ପତ୍ତି ଓ ନଗଦ ୨ ଲକ୍ଷ ୭୬ ହଜାର ଟଙ୍କା ଜବତ ହୋଇଛି। ସମ୍ପତ୍ତି ଭିତରେ ସାଲେପୁର ପୀରବଜାର ଅଞ୍ଚଳର ଏକ ଗୁଣ୍ଠ ମୂଲ୍ୟବାନ ଜମି ପୁଲିସ ଜବତ କରିଛି। ମୋଟ ଜବତ ସମ୍ପତ୍ତି ୯୧ ଲକ୍ଷ ୮୨ ହଜାର ଟଙ୍କା ହେବ ବୋଲି ମଙ୍ଗଳାବାଗ ଥାନା ପୁଲିସ ଆକଳନ କରୁଥିବା ନେଇ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ଠକ କୈଫିକୁ ପୁଲିସ ଗଲା ୩ ତାରିଖରୁ ଚାରିଦିନିଆ ରିମାଣ୍ଡରେ ୬ ତାରିଖ ଶନିବାର ଯାଏ ଆଣିଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ଶନିବାର ପୁଲିସ ସୁରକ୍ଷା ବଳୟ ମଧ୍ୟରେ ତାକୁ ଜେଏମ୍‌ଏଫ୍‌ସି ସିଟି କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ତାକୁ ଚୌଦ୍ବାର ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହି ରିମାଣ୍ଡରେ ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନାଙ୍କ ନେତୃତ୍ବରେ ଏକ ଟିମ୍ ତାକୁ ଜେରା କରିଆସୁଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।