ରାଜ୍ୟ ସ୍ପେଶାଲ ରିପୋର୍ଟ

ଜଳ ସଂକଟ ଜଳଜଳ: ‘ରତ୍ନଚିରା’କୁ ମାରିଦେଲେ, ୧୪ ଶହ ଏକର ଚାଷଜମି ପଡ଼ିଆ

ପୁରୀ : ଭାର୍ଗବୀର ଦ୍ବିତୀୟ ପ୍ରମୁଖ ଶାଖା ନଦୀ ହେଉଛି ‘ରତ୍ନଚିରା’। ମହାନଦୀ ଜଳ ଭାର୍ଗବୀ ଦେଇ ଆସିବା ପରେ ‘ରତ୍ନଚିରା’ ଦେଇ ଜିଲ୍ଲାର ୪ ବ୍ଲକ୍‌ରେ ପ୍ରବାହିତ ହେଉଛି। ଏହା ଚାଷୀଙ୍କ ଜୀବନରେଖା। କିନ୍ତୁ ସରକାରଙ୍କ ଦୂରଦୃଷ୍ଟିର ଅଭାବ ଓ ପରିଚାଳନାଗତ ତ୍ରୁଟି ପାଇଁ ‘ରତ୍ନଚିରା’ ମୃତ୍ୟୁମୁଖରେ ପଡ଼ିଛି। ୧୦ ବର୍ଷ ତଳେ ଏଥିରେ ଯେଉଁ ଅକାତକାତ ପାଣି ଆସୁଥିଲା, ଏବେ ଆଉ ସେ ଦୃଶ୍ୟ ଦେଖିବାକୁ ମିଳୁନି। କେବଳ ଶ୍ରାବଣର ମାସେ ଦୁଇମାସକୁ ଛାଡ଼ିଦେଲେ, ବର୍ଷତମାମ ଏହା ଶୁଖିଲା ପଡ଼ୁଛି। ଏହି ନଈ ଏବେ ପଙ୍କକାଦୁଅରେ ପୋତି ହୋଇଯାଇଥିବାବେଳେ ଚାରିଆଡ଼େ କେବଳ ବିଲାତି ଦଳ ଦୃଶ୍ୟମାନ ହେଉଛି।

ପୁରୀ ଜଳସେଚନ ବିଭାଗ ତଥ୍ୟ ମୁତାବକ, ରତ୍ନଚିରା ନଦୀର ଉଭୟ ବାମ ଓ ଡାହାଣ ପାର୍ଶ୍ବ ନଦୀବନ୍ଧ ପ୍ରାୟ ୨୨ କିଲୋମିଟର ଲମ୍ବ। ପିପିଲି ବ୍ଲକ୍‌ ପଟ୍ଟନାୟିକିଆଠାରୁ ଭାର୍ଗବୀ ନଦୀରୁ ବାହାରିଥିବା ରତ୍ନଚିରା ସତ୍ୟବାଦୀ, ପୁରୀ ସଦର ବ୍ଲକ୍‌ ଦେଇ ବ୍ରହ୍ମଗିରିର ଘଟକୁଡ଼ି ବ୍ରିଜଠାରେ ପୁଣି ଭାର୍ଗବୀରେ ମିଶିଛି। ରତ୍ନଚିରା ନଦୀ କଡ଼େକଡ଼େ ବୃଦ୍ଧଙ୍ଗ କେନାଲ୍‌ର ଶାଖା କେନାଲ୍‌ ରତ୍ନଚିରା କେନାଲ୍‌ ବି ରହିଛି, ଯାହାର ଲମ୍ବ ୧୨.୧୭ କିଲୋମିଟର। ଏହା ବି ରତ୍ନଚିରା ପାଣି ଉପରେ ନିର୍ଭରଶୀଳ। ଏହା ୫୪୬.୭୭ ହେକ୍ଟର ଅର୍ଥାତ୍‌ ପ୍ରାୟ ଦେଢ଼ହଜାର ଏକର ଚାଷ ଜମିକୁ ଜଳସେଚିତ କରିବାର କ୍ଷମତା ରଖିଛି। ସତ୍ୟବାଦୀଠାରୁ ବ୍ରହ୍ମଗିରି ବ୍ଲକ୍‌ର ଘଟକୁଡ଼ି ପର୍ଯ୍ୟନ୍ତ ୫୦ରୁ ଅଧିକ ମୌଜାର ଚାଷ ଜମିକୁ ଏହା ଜଳସେଚିତ କରି ଆସୁଥିଲା। କୁଣ୍ଡଗହୀର ଭଳି ଅନେକ ବଡ଼ବଡ଼ ମୌଜାର ଚାଷବାସକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରୁଥିଲା। କିନ୍ତୁ ରତ୍ନଚିରା ଏବେ ଶୁଖିଲା ପଡ଼ିଛି। ଚାଷୀ ଜନାର୍ଦ୍ଦନ ପ୍ରଧାନଙ୍କ କହିବା ମୁତାବକ, ୧୦ ବର୍ଷ ତଳେ ରତ୍ନଚିରାରେ ବର୍ଷତମାମ ପାଣି ରହୁଥିଲା। ଯଦି କେନାଲରେ ପାଣି ଆସୁନଥିଲା, ଲୋକେ ରତ୍ନଚିରାରୁ ପମ୍ପ ଲଗାଇ ପାଣି ମଡ଼ାଇ ଚାଷବାସ କରୁଥିଲେ। ୧୦ ବର୍ଷ ତଳେ ବର୍ଷକୁ ଉଭୟ ରବି ଓ ଖରିଫ ଧାନ ଚାଷ ସହ ବିରି, ମୁଗ ଆଦି ଚାଷବାସ ହେଉଥିଲା। ଚାଷ ପାଇଁ ପାଣିର ଅଭାବ ନ ଥିଲା। କିନ୍ତୁ ଏବେ ରତ୍ନଚିରାରେ ପାଣି ଦେଖିବା ସ୍ବପ୍ନ ପାଲଟିଛି। ବର୍ଷାଦିନରେ ପାଣି ଆସୁଛି ସତ, କିନ୍ତୁ ମାସେ ଭିତରେ ଶୁଖିଯାଉଛି।

ରତ୍ନଚିରା ପଙ୍କ କାଦୁଅରେ ପୋତି ହୋଇଯିବାରୁ ୪ ବର୍ଷ ତଳେ ଡ୍ରେନେଜ୍‌ ବିଭାଗ ପକ୍ଷରୁ ଏହାର ଖନନ କରାଯାଇଥିଲା। ଏ ବାବଦକୁ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ଯେଉଁ ଠିକାଦାର ଏହି କାମ ନେଲେ, ସେ ଠିକ୍‌ରେ ରତ୍ନଚିରା ନଦୀ ଖନନ କଲେନି। ଫଳରେ ଏବେ ବି ଏହି ନଦୀର ଜଳଧାରଣ କ୍ଷମତା ବୃଦ୍ଧି ପାଇପାରିନି। ବର୍ଷାଦିନେ ବର୍ଷା ପାଣି ଆସିଲେ ବି ସଂରକ୍ଷିତ ହୋଇ ରହିପାରୁନି। ଦୁର୍ଭାଗ୍ୟର ବିଷୟ, ପ୍ରତିବର୍ଷ ରତ୍ନଚିରା ନଦୀରୁ ବିଲାତି ଦଳ ସଫା ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଫଳଶୂନ। ପ୍ରତିବର୍ଷ ଦଳ ସଫା ହେଉଛି, ପୁଣି ପରବର୍ଷକୁ ସମାନ ଅବସ୍ଥା। ନଦୀ ଗର୍ଭ ବିଲାତି ଦଳରେ ଭର୍ତ୍ତି ହୋଇଯାଉଛି। ଯଦି ଏବେଠୁ ରତ୍ନଚିରା କଥା ଚିନ୍ତା କରାନଯାଏ, ଆଗକୁ ଜଳସଂକଟ ମାଡ଼ିଆସିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ଏ ସମ୍ପର୍କରେ ଡ୍ରେନେଜ୍‌ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଆଶିଷ ମିଶ୍ର କହିଛନ୍ତି, ପୁରୀ ଜିଲ୍ଲାରେ ନଦୀନାଳରେ ବିଲାତି ଦଳ ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ‌ ଯେଉଁଠି ରାଜ୍ୟ ସରକାର ଆମକୁ ଦଳ ସଫା ଖର୍ଚ୍ଚ ବର୍ଗ ମିଟର ପିଛା ପ୍ରାୟ ୯ ଟଙ୍କା ଦେଉଛନ୍ତି, ସେଠି ଏହି ରସାୟନ ବ୍ୟବହାର ବର୍ଗ ମିଟର ପିଛା ପ୍ରାୟ ୧୦ହଜାର ଟଙ୍କା ଖର୍ଚ୍ଚ ହେବ। ଏଭଳି ସ୍ଥିତିରେ ଆମେ ଅସହାୟ ବୋଲି ଇଂ. ମିଶ୍ର କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।