ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଉଚ୍ଚାଭିଳାଷୀ ଚନ୍ଦ୍ର ମିସନ ଚନ୍ଦ୍ରଯାନ-୩ ପୃଥିବୀର ଚାରିପଟେ ଏହାର କକ୍ଷଭ୍ରମଣ ସମାପ୍ତ କରି ମଙ୍ଗଳବାର ଚନ୍ଦ୍ରର ନିକଟତର ହୋଇଥଛି। ଏହି ମିସନଟି ଚନ୍ଦ୍ରପୃଷ୍ଠରେ ଏକ ନରମ ଅବତରଣ କରିବାକୁ ଲକ୍ଷ୍ୟ ରଖିଛି। ଚନ୍ଦ୍ରଯାନ-୨ ଯେଉଁ କାର୍ଯ୍ୟ କରିବାରେ ବିଫଳ ହୋଇଥିଲା, ସେଥିରେ ସଫଳତା ପାଇବା ହେଉଛି ଏହି ପରବର୍ତ୍ତୀ ମିସନର ଲକ୍ଷ୍ୟ। ଏହି ମହାକାଶଯାନରେ ସ୍ୱଦେଶୀ ପ୍ରପଲ୍ସନ ମଡ୍ୟୁଲ୍, ଲ୍ୟାଣ୍ଡର ମଡ୍ୟୁଲ୍ ଏବଂ ଏକ ରୋଭର ରହିଛି। ପ୍ରପଲ୍ସନ ସିଷ୍ଟମ୍ର ଲକ୍ଷ୍ୟ ହେଉଛି ଲଞ୍ଚ୍ ଭେହିକିଲ ଇଞ୍ଜେକ୍ସନ୍ ଅର୍ବିଟ୍ରୁ ଲ୍ୟାଣ୍ଡର ପୃଥକ୍ ହେବା ପର୍ଯ୍ୟନ୍ତ ଲ୍ୟାଣ୍ଡର୍ ମଡ୍ୟୁଲ୍କୁ ବହନ କରିବା। ଇସ୍ରୋ ଏହାର ମିସନକୁ ‘ଲ୍ୟାଣ୍ଡର୍ ମଡ୍ୟୁଲ୍ ଏବଂ ରୋଭରକୁ ୧୦୦ କିଲୋମିଟର ଚନ୍ଦ୍ର କକ୍ଷପଥ ପର୍ଯ୍ୟନ୍ତ ବହନ କରିବା’ ଭାବରେ ବର୍ଣ୍ଣନା କରିଛି। ତା’ପରେ ୩ରୁ ୬ ମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ପେଲୋଡ୍ ଅପରେସନ୍ ଜାରି ରହିବ। ପ୍ରପଲ୍ସନ ମଡ୍ୟୁଲ୍ ଚନ୍ଦ୍ରର କକ୍ଷପଥରେ ରହିବ ଏବଂ ଏକ ଯୋଗାଯୋଗ ପଏଣ୍ଟ ଭାବରେ କାର୍ଯ୍ୟ କରିବ।
ବିକ୍ରମ ଲ୍ୟାଣ୍ଡରର ଭୂମିକା: ଚନ୍ଦ୍ରଯାନ-୨ରେ ଲ୍ୟାଣ୍ଡର ଓ ରୋଭରର ନାମ ଯାହା ଥିଲା ଚନ୍ଦ୍ରଯାନ-୩ରେ ବି ନାମ ସେୟା ରହିଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡ ବିକ୍ରମ ଏ ସାରଭାଇଙ୍କ ନାମାନୁସାରେ ଲ୍ୟାଣ୍ଡରର ନାମକରଣ କରାଯାଇଛି। ଏହା ଗୋଟିଏ ଚନ୍ଦ୍ର ଦିବସ ପାଇଁ କାର୍ଯ୍ୟ କରିବାକୁ ଡିଜାଇନ୍ ହୋଇଛି, ଯାହା ପୃଥିବୀରେ ୧୪ ଦିନ ସହ ସମାନ ଏବଂ ଏକ ସୁରକ୍ଷିତ ଅବତରଣକୁ ସୁନିଶ୍ଚିତ କରିବା ପାଇଁ ଏଥିରେ ଅନେକ ସେନ୍ସର ରହିଛି। ରୋଭର ସହିତ ଏହାର ଓଜନ ପ୍ରାୟ ୧,୭୪୯ କିଲୋଗ୍ରାମ୍। ଏହା ପାର୍ଶ୍ୱରେ ସୌର ପ୍ୟାନେଲଗୁଡିକ ଖଞ୍ଜାଯାଇଛି, ଯାହା ୭୩୮ ୱାଟ୍ ଶକ୍ତି ଉତ୍ପାଦନ କରିପାରିବ ଏବଂ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ ହେବ। ଇସ୍ରୋର କହିବା ଅନୁଯାୟୀ, ବିକ୍ରମ ଲ୍ୟାଣ୍ଡରରେ ତିନୋଟି ପେଲୋଡ୍ ରହିଛି: ରମ୍ଭା-ଏଲ୍ପି – ଯାହା ନିକଟ ପୃଷ୍ଠଭୂମି ପ୍ଲାଜ୍ମା (ଆୟନ୍ ଓ ଇଲେକ୍ଟ୍ରନ୍)ର ଘନତା ଏବଂ ସମୟ ସହିତ ଏହାର ପରିବର୍ତ୍ତନର ପରିମାପ କରିବ; ଚେଷ୍ଟ ବା ‘ଚନ୍ଦ୍ରର ସର୍ଫେସ୍ ଥର୍ମୋଫିଜିକାଲ୍ ଏକ୍ସପେରିମେଣ୍ଟ’ – ଯାହା ମେରୁ ଅଞ୍ଚଳ ନିକଟରେ ଚନ୍ଦ୍ରପୃଷ୍ଠର ତାପଜ ଗୁଣର ପରିମାପ କରିବ; ଏବଂ ଆଇଏଲ୍ଏସ୍ଏ ବା ‘ଇନ୍ଷ୍ଟ୍ରୁମେଣ୍ଟ୍ ଫର୍ ଲୁନାର ସିସ୍ମିକ୍ ଆକ୍ଟିଭିଟି’ ଯାହା ଅବତରଣ ସ୍ଥାନ ଚାରିପାଖରେ ଭୂକମ୍ପକୁ ମାପିବା ସହ ଚନ୍ଦ୍ରର କ୍ରଷ୍ଟ ଏବଂ ମାଣ୍ଟଲ ସଂରଚନା ବିଷୟରେ ସୂଚନା ପ୍ରଦାନ କରିବ।
ପ୍ରଜ୍ଞା ରୋଭରର ଭୂମିକା: ଏହି ରୋବୋଟିକ୍ ଯାନର ନାମ ହେଉଛି ‘ପ୍ରଜ୍ଞା’, ସଂସ୍କୃତରେ ଯାହାର ଅର୍ଥ ‘ଜ୍ଞାନ’। ଏହା ବାୟୁମଣ୍ଡଳର ମୌଳିକ ରଚନା ଉପରେ ତଥ୍ୟ ସଂଗ୍ରହ କରିବ। ଏହାର ଓଜନ ୨୬ କିଲୋଗ୍ରାମ୍ ଏବଂ ଲ୍ୟାଣ୍ଡର୍ ପରି ଏହା ଗୋଟିଏ ଚନ୍ଦ୍ର ଦିନ ବା ପୃଥିବୀର ୧୪ ଦିନ ଯାଏ କାର୍ଯ୍ୟ କରିବ।
ରୋଭରରେ ଥିବା ଦୁଇଟି ପେଲୋଡ୍ ହେଉଛି ଏପିଏକ୍ସଏସ୍ ବା ‘ଆଲଫା ପାର୍ଟିକାଲ୍ ଏକ୍ସ-ରେ ସ୍ପେକ୍ଟ୍ରୋମିଟର’, ଯାହା ଚନ୍ଦ୍ରପୃଷ୍ଠର ମୌଳିକ ରଚନା ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ।