କୋରାପୁଟ: କୋରାପୁଟ ଜିଲ୍ଲାରେ ଗୁରୁତର ଭାବେ ହ୍ରାସ ପାଉଛି ଭୂତଳ ଜଳସ୍ତର । ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ ଜଳ ସଂକଟ ଦେଖାଦେବା ନେଇ ଆଶଙ୍କା ପ୍ରକାଶ ପାଇଥିବାବେଳେ କୋଲାବ ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ଜୟପୁର, କୋରାପୁଟ, ଦାମନଯୋଡି, ସେମିଳିଗୁଡା ଓ ସୁନାବେଢାରେ ଦେଖାଦେବ ସଂଘାତିକ ପାନୀୟ ଜଳ ସମସ୍ୟା।
ଏନେଇ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପକ୍ଷରୁ ଜିଲ୍ଲାବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଅଭିଯାନ ଆରମ୍ଭ କରିବା ସହ ଜଳସ୍ତର କିପରି ବୃଦ୍ଧି ପାଇବ ସେ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ମନେ ହେଉଛି। କୋରାପୁଟ ଜିଲ୍ଲାରେ ୨୦୦୨ରେ ବର୍ଷାଦିନେ ଭୂତଳ ଜଳ ୨୦ରୁ ୩୦ ଫୁଟରେ ବାହାରୁଥିବାବେଳେ ୨୦୨୨ରେ ଏହା ୭୦ ଫୁଟରେ ପହଞ୍ଚିଲାଣି। ଖରାଦିନେ ଭୂତଳ ଜଳ ୨୫୦ ଫୁଟରେ ବାହାରୁଥିବା ମେ ମାସରେ ଏହା ୩୨୦ ଫୁଟରେ ପହଞ୍ଚିଥିବା ଜଣାପଡିଛି।
କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ ୪ଟି ସହରାଞ୍ଚଳରେ ଖରାଦିନେ ପାଣି ପାଇଁ ଡହଳ ବିକଳ ହୋଇଥାନ୍ତି ଲୋକେ । ସହରରେ ଯେମିତିସେମିତି ଚଳି ଯାଉଥିଲାବେଳେ ମଫସଲରେ ମାଇଲ ମାଇଲ ବାଟ ଯାଇଥାନ୍ତି ପାଣି ପାଇଁ । ଏପରିକି ଚୁଆ କରି ପାଣି ସଂଗ୍ରହ କରିଥାନ୍ତି ଲୋକେ । ଏଭଳି ପରିସ୍ଥିତିରେ ଆଗକୁ କଣ ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି ତନାଘନା । ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟର ସବୁଠୁ ଧନୀ ଜିଲ୍ଲା ଭାବେ ପରିଚିତ ଆଗକୁ ମିଳିବନି ମୁନ୍ଦାଏ ପାଣି । ପାଣି ପାଇଁ ଏଠି ଜନତାଙ୍କ ମଧ୍ୟରେ ଲାଗିବ ମାରପିଟ । କୋରାପୁଟ ଜିଲ୍ଲାରେ ଖଣି ଖାଦାନ ଯୋଗୁଁ ଭୁତଳ ଜଳସ୍ତର ହ୍ରାସ ପାଉ ଥିବା ବେଳେ ଜିଲ୍ଲାରେ ଗଢି ଉଠିଥିବା ଶିଳ୍ପ ଗୁଡିକ ବେଆଇନ ଭାବେ ଭୁତଳ ଜଳକୁ ନିଜ ବ୍ୟବହାରରେ ଲଗାଉଥିବା ବେଳେ ଜନସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ଜଳ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ଭୁତଳ ଜଳର ବ୍ୟବହାର ଉପରେ ନିୟନ୍ତ୍ରଣ ନ ହେଲେ ଆଗାମୀ ଦିନରେ କୋରାପୁଟରେ କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଭଳି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଜିଲ୍ଲାର ଦଶମନ୍ତପୁର, ପଟାଙ୍ଗୀ, ନନ୍ଦପୁର, ବୈପାରିଗୁଡା, ବୋରିଗୁମ୍ମା, ଲକ୍ଷ୍ମୀପୁର, ସେମିଳିଗୁଡା, କୁନ୍ଦୁରାବ୍ଲକର କିଛି ଅଞ୍ଚଳ ସହ ନାରାୟଣପାଟଣା, ବନ୍ଧୁଗାଁ ବ୍ଲକ ଓ ଦାମନଯୋଡି ସହରାଞ୍ଚଳରେ ଜଳ ସଂକଟ ଉଦବେଗ ଜନକ ।
ତଥ୍ୟ ଅନୁଯାୟୀ ୨୦୦୪ ମସିହାର ସର୍ଭେ ଅନୁସାରେ ବର୍ଷକୁ ୫୮୦୦ ହେକ୍ଟର ମିଟର ଡ୍ରପ ଭୁତଳ ଜଳ ବ୍ୟବହାର କରାଯାଉଥିବା ବେଳେ ୨୦୧୯ ମସିହାରେ ଏହା ବୃଦ୍ଧିପାଇ ୯୭୦୦ ହେକ୍ଟର ମିଟର ଡ୍ରପରେ ପହଞ୍ଚିଛି । ୨୦୫୦ ବେଳକୁ ରାଜ୍ୟରେ ଜଳ ସଙ୍କଟ ସଙ୍ଗିନ ହେବ ବୋଲି ଆକଳନ କରାଯାଇଛି। ଜଳସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୧୪ଟି ବ୍ଲକରୁ ୧୨ ଟି ବ୍ଲକରେ ଭୂତଳ ଜଳସ୍ତର ଭୟଙ୍କର ଭାବେ ହ୍ରାସ ପାଉଥିବା ବେଳେ ୪ଟି ବ୍ଲକରେ ପରିସ୍ଥିତି ସଙ୍ଗିନ ହେଲାଣି। କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ବର୍ଷା ହ୍ରାସ ପାଇବା ସହ ଭୂତଳ ଜଳ ଉପରେ ଚାପ ବଢିବାରେ ଲାଗିଛି । ରାଜ୍ୟ ସରକାର ରାଜ୍ୟରେ ଥିବା ବିଭିନ୍ନ ସରକାରୀ କୋଠା ଛାତ ଉପରେ ବର୍ଷା ଜଳ ସଂରକ୍ଷଣ(ରୁଫ ଟପ ଓ୍ବାଟର ହାର୍ଭେଷ୍ଟିଂ) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଫଳରେ ଭୂତଳ ଜଳସ୍ତର ସଙ୍କଟ କିଛି ମାତ୍ରାରେ ଟାଳିବା ସହ ବର୍ଷା ଜଳ ସଂରକ୍ଷଣ ହୋଇପାରିବ । ସହରାଞ୍ଚଳ ଗୁଡିକରେ ଉଭୟ ସରକାରୀ ଓ ବେସରକାରୀ ଗୃହ ଗୁଡିକୁ ଏଥିରେ ସାମିଲ କରାଯିବ। ସରକାରଙ୍କ ନିଷ୍ପତି ଅନୁସାରେ ଛାତ ଉପର ଜଳ ସଂରକ୍ଷଣ ଯୋଜନାରେ ଘରୋଇ ଲୋକଙ୍କୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ ବୋଲି ଯୋଜନା ହୋଇଥିଲା। ହେଲେ ଯୋଜନା ଯୋଜନା ବାଟରେ ପ୍ରଶାସନ ତା ବାଟରେ ରହିଥିବା ଦେଖିବାକୁ ମିଳିଛି।
ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ମୁଣ୍ଡପିଛା ଜଳ ପରିମାଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ୧୯୯୯ରେ ବାର୍ଷିକ ମୁଣ୍ଡପିଛା ୯୮୦୨.୮୪ ଘନ ମିଲି ମିଟର ଜଳ ଉପଲବ୍ଧ ହେଉଥିବା ବେଳେ ୨୦୦୧ରେ ୮୫୦୯.୧୭, ୨୦୧୧ରେ ୪୮୬୮.୩୫, ୨୦୧୯ରେ ୨୫୭୮.୦୯ ଘନ ମିଲି ମିଟର ଓ ୨୦୨୧ରେ ୨୨୦୦.୦୪କୁ ଖସି ଆସିଛି। ୨୦୩୦ ବେଳ ଏହା ମୁଣ୍ଡପିଛା ଜଳ ୧୩୨୯.୮୮ ଘନ ମିଲି ମିଟରକୁ ଖସିଯିବା ନେଇ ଆକଳନ କରାଯାଇଛି। ରାଜ୍ୟର ପ୍ରମୁଖ ଜଳଉତ୍ସ କୋଲାବ ସମେତ ଅନ୍ୟ ଛୋଟବଡ ନଦୀରେ ଦିନକୁ ଦିନ ଜଳସ୍ତର ମଧ୍ୟ ହ୍ରାସ ପାଇଛି।
ଏନେଇ କୋରାପୁଟ ଆରଡବ୍ଲୁଏସଏସର ନିର୍ବାହୀ ଯନ୍ତ୍ରୀ ନାରାୟଣ ପ୍ରସାଦ ଗାନ୍ଧି କହିଛନ୍ତି ଯେ କୋରାପୁଟ ଜିଲ୍ଲାରେ ୨୦୦୨ରେ ବର୍ଷାଦିନେ ଭୂତଳ ଜଳ ୨୦ରୁ ୩୦ ଫୁଟରେ ବାହାରୁଥିବାବେଳେ ୨୦୨୨ରେ ଏହା ୭୦ ଫୁଟରେ ପହଞ୍ଚିଲାଣି। ଖରାଦିନେ ଭୂତଳ ଜଳ ୨୫୦ ଫୁଟରେ ବାହାରୁଥିବା ମେ ମାସରେ ଏହା ୩୨୦ ଫୁଟରେ ପହଞ୍ଚିଥିବାରୁ ପୂର୍ବାରୁ ଖୋଳାଯାଇଥିବା ନଳକୂପରେ ପାଣି ବାହାରୁନାହିଁ। ଏଥିପାଇଁ ନୂଆ ନଳକୂପ ଖୋଳିବାକୁ ପଡୁଛି। ପରିସ୍ଥିତି ଏପରି ହୋଇଛି ଯେ ଯେଉଁ ଗାଁରେ ପୂର୍ବରୁ ୪ ନଳକୂପ ରହିଥିଲା ଏବେ ସେଠାରେ ଗୋଟିଏରେ ପାଣି ଆସୁଛି। ଲୋକଙ୍କ ଆବଶ୍ୟକତାକୁ ଦେଖି ନଳକୂପ ଖୋଳାଯାଉଛି ବୋଲି ସେ କହିଛନ୍ତି।