ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକ ବାଲିଯାତ୍ରା ଉଦ୍‌ଯାପିତ

କଟକ : ବାଲିଯାତ୍ରାର ଇତିହାସ ଓ ପରମ୍ପରା ଅତି ପ୍ରାଚୀନ ଓ ଗୌରବମୟ। ଏଥିରୁ ପ୍ରେରଣା ସଂଗ୍ରହ କରି ଉଜ୍ଜ୍ବଳ ଭବିଷ୍ୟତ ଗଠନର ସଂକଳ୍ପ ‌ନେବା ଉଚିତ। ବାଲିଯାତ୍ରା ସଂସ୍କୃତି ଓ ପ୍ରଗତିର ମିଳନସ୍ଥଳ। ଏହା ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ। ମଣିଷ ସମୁଦ୍ରକୁ ଡରୁଥିବା ବେଳେ ଉତ୍କଳବାସୀ ସମୁଦ୍ରକୁ ଅଧିକାର କରିଥିଲେ। ଏଥିପାଇଁ ଓଡ଼ିଶାବାସୀ କଳିଙ୍ଗା ସାହାସିକା ଭାବେ ପରିଚିତ ‌ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।

କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଗଲା ୧୦ ଦିନ ଧରି ଚାଲିଥିବା ବାଲିଯାତ୍ରାର ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ୍ କହିଲେ‌ ଯେ ଯେଉଁ ଜାତିର ଇତିହାସ ଏତେ ଉଜ୍ଜ୍ବଳ, ସେ ଜାତିର ତୁଳନା ନାହିଁ। ତାହାର ଭବିଷ୍ୟତ ମଧ୍ୟ ଉଜ୍ଜ୍ବଳ। ଓଡ଼ିଶାର କନ୍ୟା ରାଷ୍ଟ୍ରର ସର୍ବୋଚ୍ଚ ପଦରେ ଅଧିଷ୍ଠିତ। ସ୍ଥଳ, ଜଳ, ଆକାଶ ବାହିନୀର ମୁଖ୍ୟ। ରିଜର୍ଭ ବ୍ୟାଙ୍କର ମୁଖ୍ୟ ଓଡ଼ିଶାର, ଜ୍ଞାନ ବା ଶିକ୍ଷା ବିଭାଗ ମୁଖ୍ୟ ଓଡ଼ିଶାର। ରେଲବାଇର ମୁଖ୍ୟ ଓଡ଼ିଶାର। ଅର୍ଥାତ୍‌ ଓଡ଼ିଶା ଭାରତ ବର୍ଷ ହୋଇଯାଇଛି ବୋଲି ରାଜ୍ୟପାଳ ପ୍ରଫେସର ଲାଲ୍ କହିଥିଲେ। ଓଡ଼ିଶା ବିଶ୍ବର ନେତୃତ୍ବ ନେବାକୁ ଯାଉଛି। ଓଡ଼ିଆମାନେ ୬୦ଟି ଦେଶରେ ସଂଗଠିତ ‌ହୋଇ ଓଡ଼ିଆ ସଂସ୍କୃତିର ପ୍ରଚାର କରୁଛନ୍ତି। ଯେଉଁ ମାଟି ଜଗନ୍ନାଥଙ୍କ ନିବାସ, ସେହି ମାଟିକୁ ସମସ୍ତେ ପ୍ରଣାମ କରିବାକୁ ବାଧ୍ୟ। ଓଡ଼ିଶାର ସେବା କରିବାକୁ ସୁଯୋଗ ପାଇଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଥିଲେ।

ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ବାଲିଯାତ୍ରା ଆୟୋଜନରେ ବି‌ଶେଷ ଅବଦାନ ଥିବା ପ୍ରଶାସନିକ ଅଧିକାରୀ, ବ୍ୟବସାୟ ପ୍ରତିଷ୍ଠାନର ମୁଖ୍ୟଙ୍କୁ ସମ୍ମାନିତ କରିଥିଲେ। ସଭା ପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବାଲିଯାତ୍ରାରେ ଆୟୋଜିତ ‘ଗୁଡ଼ି ଉତ୍ସବ‌’କୁ ଉଦ୍‌ଘାଟନ କରିବା ସହ ପିଲାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ପରେ ମହାନଦୀରେ ନୌକାବିହାର କରିବା ସହ ଛତିଆ ଉଦାସ ଆଶ୍ରମ ପକ୍ଷରୁ ଆୟୋଜିତ ମହାନଦୀ ମହାଆଳତୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ କଟକ ଇନ୍ କଟକ ପରିସରରେ ଥିବା ହାଇକୋର୍ଟ ମଡେଲ ତଥା ଅନ୍ୟ ମଡେଲ ଗୁଡିକୁ ବୁଲି ଦେଖିଥିଲେ। ହାଇକୋର୍ଟ ମଡେଲ ପରିସରରେ ବିଚାରପତିମାନେ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ।

୧୦ ଦିନରେ ୧୦୦ କୋଟିରୁ ଅଧିକ କାରବାର
୫୦ ଲକ୍ଷରୁ ଅଧିକ ଲୋକ ବୁଲିଲେ ମେଳା

ଶେଷରେ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ଯୋ‌ଗଦେଇ ଜଗତଗୁରୁ କୃପାଳୁ ଯୋଗ ଅନୁଷ୍ଠାନର ପ୍ରତି‌ଷ୍ଠାତା ସ୍ବାମୀ ମୁକୁନ୍ଦାନନ୍ଦ ମହାରାଜ କହିଲେ ଯେ ବାଲିଯାତ୍ରା ସହିତ ଉତ୍କଳର ଇତିହାସ ବିଷୟରେ ଜାଣିବା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶାର ବହୁ ବିକାଶ ହୋଇଛି। କିନ୍ତୁ ଭୌତିକ ବିକାଶ ସହ ଆଧ୍ୟାତ୍ମିକ ବିକାଶର ସମନ୍ବୟ ରହିବା ଉଚିତ। ପ୍ରାଚୀନ କାଳରୁ ରାଜଧାନୀ ଥିବା କଟକ ଏକ ପର୍ଯ୍ୟଟନ କ୍ଷେତ୍ର ହେବା ପାଇଁ ଗଣଆନ୍ଦୋଳନ କରିବାକୁ ସ୍ବାମୀଜୀ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ମେୟର ସୁବାସ ଚନ୍ଦ୍ର ସିଂହ, ବାଲିଯାତ୍ରାର ସଫଳ ଆୟୋଜନ ପଛରେ ଥିବା ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ଅବଦାନ ସଂପର୍କରେ କହିଥିଲେ। ଉଦ୍‌ଯାପନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସିଏମ୍‌ସି କମିସନର ନିଖିଲ ପୱନ କଲ୍ୟାଣ, ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ, ଡିସିପି ପିନାକ୍ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥାପିକା ସୁଲଗ୍ନା ରାଉତରାୟ ମଞ୍ଚ ସଂଯୋଜନା କରିଥିଲେ। ଜିଲ୍ଲା ମୁଖ୍ୟ ଉନୟନ ଅଧିକାରୀ ଅମ୍ବର କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଅନେକ ନୂଆ କଥାକୁ ନେଇ ଆୟୋଜିତ ବାଲିଯାତ୍ରା ୧୦ ଦିନ ଧରି ଚାଲିଥିବା ବେଳେ ୫୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଥିଲେ। ଏଥର କେବଳ ଓରମାସ ପରିସରରେ ୨୨ କୋଟି ଟଙ୍କାରୁ ଅଧିକ କାରବାର ହୋଇଥିବା ବେଳେ ଗାନ୍ଧୀଶିଳ୍ପ ବଜାରରେ ୩ କୋଟି ଟଙ୍କାରୁ ଅଧିକ ବେପାର ହୋଇଛି। ବାଲିଯାତ୍ରାରେ ମୋଟ ବେପାର ଶହେ କୋଟି ଟଙ୍କାରୁ ଅଧିକ ହୋଇଥିବା ଆକଳନ କରାଯାଉଛି। ଚଳିତ ବର୍ଷ ବାଲିଯାତ୍ରାରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ବାଲୁକା କଳା ଲିମ୍‌କା ରେକର୍ଡ ପାଇଁ ମନୋନୀତ ହୋଇଥିବା ବେଳେ କମ୍‌ ସମୟରେ ସର୍ବାଧିକ କାଗଜଡଙ୍ଗା ପ୍ରସ୍ତୁତ କରି କଟକର ଛାତ୍ରଛାତ୍ରୀମାନେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଅନ୍ୟପଟେ ବାଲିଯାତ୍ରା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ବର୍ଣ୍ଣନା କରି ଏହାକୁ ବିଶ୍ବ ମାନଚିତ୍ରରେ ସ୍ଥାନ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।