ଭୁବନେଶ୍ବର : ଯକ୍ଷ୍ମା ରୋଗୀମାନଙ୍କୁ ଗୋଷ୍ଠୀସ୍ତରରେ ସହାୟତା ଯୋଗାଇଦେବା ଲାଗି କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଡିଜିଟାଲ ପ୍ଲାଟଫର୍ମ ନି-କ୍ଷୟ। ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ(ଏନ୍ଟିଇପି) ଅଧୀନରେ ଏହା କାର୍ଯ୍ୟ କରୁଥିବା ବେଳେ ‘ନି-କ୍ଷୟ ମିତ୍ର’ ପଞ୍ଜୀକରଣରେ ଓଡ଼ିଶାରେ ସେତେଟା ଉତ୍ସାହ ଦେଖିବାକୁ ମିଳୁନାହିଁ। କର୍ପୋରେଟ୍ ସଂସ୍ଥା କି ରାଜନୈତିକ ବ୍ୟକ୍ତିବିଶେଷ ଏଥିପାଇଁ ନିଜଆଡ଼ୁ ଆଗ୍ରହ ଦେଖାଉ ନାହାନ୍ତି। ଗତ ଅକ୍ଟୋବର ୧୫ତାରିଖ ସୁଦ୍ଧା ରାଜ୍ୟରେ ୬୯ଜଣ ସଂସ୍ଥା/ବ୍ୟକ୍ତି ଯକ୍ଷ୍ମା ରୋଗୀଙ୍କୁ ସହାୟତା ଯୋଗାଇଦେବା ଲାଗି ପଞ୍ଜୀକରଣ କରିଛନ୍ତି। ଫଳରେ ଜାତୀୟସ୍ତରରେ ନି-କ୍ଷୟ ମିତ୍ର ପଞ୍ଜୀକରଣରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ପଡ଼ିଛି।
୨୦୨୫ସୁଦ୍ଧା ଦେଶକୁ ଯକ୍ଷ୍ମାମୁକ୍ତ କରିବା ଲାଗି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ନି-କ୍ଷୟ’ ୨.୦ ଆରମ୍ଭ କରାଯାଇଛି। ଏଥିରେ ଜଣେ ବ୍ୟକ୍ତି, ସମବାୟ ସଂସ୍ଥା, ଲୋକ ପ୍ରତିନିଧି, ଏନ୍ଜିଓ, ରାଜନୈତିକ ବ୍ୟକ୍ତିବିଶେଷ ଓ ବିଭିନ୍ନ କର୍ପୋରେଟ୍ ସଂସ୍ଥା ଯକ୍ଷ୍ମା ରୋଗୀଙ୍କୁ ସହାୟତା ଯୋଗାଇଦେବାର ବ୍ୟବସ୍ଥା ରହିଛି। ଏହି ସହାୟତା ଅତିକମ୍ରେ ୬ମାସ, ୧ବର୍ଷ, ୨ବର୍ଷ ଓ ୩ବର୍ଷ ପାଇଁ ଦେଇପାରିବେ। ସହାୟତା ଭାବେ ଜଣେ ରୋଗୀଙ୍କୁ ଖାଦ୍ୟ, ଡାଏଗ୍ନୋଷ୍ଟିକ୍, ଅତିରିକ୍ତ ନ୍ୟୁଟ୍ରିସନ୍ ସପ୍ଲିମେଣ୍ଟ ଯୋଗାଇଦେବା ଭଳି ବ୍ୟବସ୍ଥା ରହିଛି। ଜଣେ ପଞ୍ଜୀକୃତ ନି-କ୍ଷୟ ମିତ୍ର ରାଜ୍ୟ, ଜିଲ୍ଲା, ବ୍ଲକ୍, କୌଣସି ନିଦ୍ଦିଷ୍ଟ ସ୍ବାସ୍ଥ୍ୟାନୁଷ୍ଠାନ ଅଧୀନରେ ଚିକିତ୍ସିତ ରୋଗୀ ଓ କିଛି ନିର୍ଦ୍ଦିଷ୍ଟ ସଂଖ୍ୟକ ରୋଗୀଙ୍କୁ ନିଜ ଅଧୀନକୁ ନେଇ ସହାୟତା ଦେଇପାରିବେ।
ନି-କ୍ଷୟ ମିତ୍ରରେ ଧର୍ମେନ୍ଦ୍ରଙ୍କ ୪ ଜିଲ୍ଲା, କିସ୍ ଫାଉଣ୍ଡେସନ୍ ଗୋଟିଏ ଜିଲ୍ଲା
ଅକ୍ଟୋବରସୁଦ୍ଧା ପଞ୍ଜୀକରଣ କରିଛନ୍ତି ୬୯ ନି-କ୍ଷୟ ମିତ୍ର
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୩୨,୮୧୫ ଯକ୍ଷ୍ମା ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି। ତହିଁରୁ ୨୦,୭୩୯ଜଣ ଏ ପ୍ରକାର ସହାୟତା ନେବା ଲାଗି ସହମତି ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ୩୯୨୩ ରୋଗୀଙ୍କ ମଧ୍ୟରୁ ୩୧୦୩ଜଣ ସହମତି ଦେଇଥିବା ବେଳେ ମାତ୍ର ଜଣେ ପ୍ରତ୍ୟାଖାନ କରିଛନ୍ତି। ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୧୪୭ଜଣ ରୋଗୀଙ୍କ ମଧ୍ୟରୁ ୧୦୯ଜଣ ସହମତି ଦେଇଛନ୍ତି। ସେହିପରି ରାଜ୍ୟରେ ମୋଟ୍ ଭାବେ ୧୪୧ଜଣ ରୋଗୀ ଏହି ଅତିରିକ୍ତ ସହାୟତା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି।
ଭୁବନେଶ୍ବର ମହାନଗର ନିଗମରେ ସର୍ବାଧିକ ୮୭ଜଣ ରୋଗୀ ପ୍ରତ୍ୟାଖାନ କରିଛନ୍ତି। ଅକ୍ଟୋବର ମାସ ୧୫ସୁଦ୍ଧା ରାଜ୍ୟରେ ୬୯ଜଣ ‘ନି-କ୍ଷୟ ମିତ୍ର’ ସହାୟତା ଦେବା ଲାଗି ପଞ୍ଜୀକରଣ/ସହମତି ଦେଇଛନ୍ତି। ଗଞ୍ଜାମରେ ସର୍ବାଧିକ ୨୭ ବ୍ୟକ୍ତି/ସଂସ୍ଥା, ଭୁବନେଶ୍ବର ମହାନଗର ନିଗମ, କଟକ ୬ଜଣ ଲେଖାଏ ନି-କ୍ଷୟ ମିତ୍ର ପଞ୍ଜୀକରଣ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୪ଟି ଜିଲ୍ଲା ଓ କିସ୍ ଫାଉଣ୍ଡେସନ୍ ପକ୍ଷରୁ ଗୋଟିଏ ଜିଲ୍ଲା ପାଇଁ ନି-କ୍ଷୟ ମିତ୍ର ଭାବେ ସହାୟତା ତାଲିକାରେ ରହିଛନ୍ତି। ତେବେ ବଲାଙ୍ଗୀର, ବରଗଡ଼, ଭଦ୍ରକ, ଗଜପତି, ଜଗତସିଂହପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନୟାଗଡ଼, ନୂଆପଡ଼ା ଓ ରାୟଗଡ଼ା ଭଳି ଜିଲ୍ଲାରେ ଜଣେ ହେଲେ ବି ନି-କ୍ଷୟ ମିତ୍ର ପାଇଁ ଆଗ୍ରହ ଦେଖାଇ ନାହାନ୍ତି।
ସହାୟତା ପାଇଁ ସହମତି ଦେଇଥିବା ୨୦,୭୩୯ଜଣ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ୭୨୦୮ଜଣ ‘ନି-କ୍ଷୟ ମିତ୍ର’ ସହିତ ଯୋଡ଼ି ହୋଇପାରିଛନ୍ତି। ଆଉ ୧୩,୫୩୧ଜଣ ଯୋଡ଼ି ହେବା ଅପେକ୍ଷାରେ ରହିଛନ୍ତି। ଯାହାକି ସହମତି ଦେଇଥିବା ରୋଗୀଙ୍କ ୬୫ ପ୍ରତିଶତ। ଜାତୀୟସ୍ତରରେ ୧୦,୩୫,୮୬୭ଜଣ ଏହି ଯୋଜନାରେ ସାମିଲ ହେବାକୁ ସହମତି ପ୍ରକାଶ କରିଥିବା ବେଳେ ମାତ୍ର ୧୭ ପ୍ରତିଶତ ବାକି ରହିଛନ୍ତି। ତେବେ ଓଡ଼ିଶା ତୁଳନାରେ ଗୁଜରାଟ, ମଣିପୁର, ଦିଲ୍ଲୀ, ଛତିଶଗଡ଼, ହିମାଚଳପ୍ରଦେଶ ଭଳି ରାଜ୍ୟ ‘ନି-କ୍ଷୟ ମିତ୍ର’ ପଞ୍ଚୀକରଣରେ ଭଲ ପ୍ରଦର୍ଶନ କରିଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବାନୁଯାୟୀ, ଏନ୍ଜିଓ, କର୍ପୋରେଟ୍ ସଂସ୍ଥା ‘ନି-କ୍ଷୟ ମିତ୍ର’ରେ ଯୋଡ଼ି ହେବା ଲାଗି ଆଗ୍ରହ ଦେଖାଇବା ଆବଶ୍ୟକ। ବିଭାଗ ପକ୍ଷରୁ ବିଭିନ୍ନ ସଂସ୍ଥା/ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରାଯାଉଛି। ଯେଉଁ ଯକ୍ଷ୍ମାରୋଗୀମାନେ ଆଗ୍ରହ ଦେଖାଇବେ କେବଳ ସେମାନଙ୍କୁ ହିଁ ନି-କ୍ଷୟ ମିତ୍ରରେ ସାମିଲ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।