ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ରାଇପାହାଡ଼ ଫଇସଲା: ଦୁଇ ରାଜ୍ୟ ଅଧିକାରୀ କରିବେ ଆଲୋଚନା

କୋରାପୁଟ: ନନ୍ଦପୁର ବ୍ଲକ୍‌ ରାଇପାହାଡ଼ ଗାଁରେ ଆନ୍ଧ୍ରର ଅନୁପ୍ରବେଶ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ଆଗଭର ହୋଇଛି। ତେଣୁ ଆସନ୍ତାକାଲି ଗୁରୁତ୍ବପୂର୍ଣ୍ଣ ସମାଧାନ ବୈଠକରେ ନିଷ୍କର୍ଷ ବାହାର କରିବାକୁ ଦିନ ଧାର୍ଯ୍ୟ କରାଯାଇଛି। ରାଇପାହାଡ଼ ଗାଁରେ ଦୁଇ ରାଜ୍ୟର ବରିଷ୍ଠ ଅଧିକାରୀ ଏକାଠି ବସିବେ। ବିସ୍ତୃତ ଭାବେ ଆଲୋଚନା କରିବେ ବୋଲି ସୂଚନା ମିଳିଛି। କିନ୍ତୁ ଏହି ବୈଠକ ପାଇଁ ଆନ୍ଧ୍ର ଅଧିକାରୀଙ୍କ ଅସ୍ପଷ୍ଟ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଲାଣି।

ଆସନ୍ତାକାଲି ସକାଳେ ଆନ୍ଧ୍ର ପକ୍ଷରୁ ପଡେରୁ ତହସିଲଦାର, ଡୁମ୍ବୁରିଗୁଡା ମଣ୍ଡଳ ଅଧିକାରୀ ଓ ଉପଜିଲ୍ଲାପାଳ ବୈଠକରେ ଯୋଗଦେବାକୁ ଓଡ଼ିଶା ପକ୍ଷରୁ ଚିଠି କରାଯାଇଛି। ସେହିପରି ଓଡ଼ିଶା ପକ୍ଷରୁ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ନନ୍ଦପୁର ବିଡିଓ ସୁଜିତ କୁମାର ମିଶ୍ର, ନନ୍ଦପୁର ତହସିଲଦାର ନରସିଂହ ଗାଦବା, ରାଜସ୍ବ ନିରୀକ୍ଷକ ଅକ୍ଷୟ କ୍ଷତ୍ରି, ଅମିନ ଶଙ୍କର ବାବୁ ପ୍ରମୁଖ ଯୋଗଦେବେ ବୋଲି ସୂଚନା ମିଳିଛି। ବୈଠକରେ ବାଲଡ଼ା ବନାଞ୍ଚଳ ଅଧିକାରୀ ବାଦଲ ମହାନ୍ତିଙ୍କ ସହ ବନ ବିଭାଗ କର୍ମଚାରୀ ମଧ୍ୟ ଉପସ୍ଥିତ ରହିବେ। ଏଥିପାଇଁ ୭ଦିନ ପୂର୍ବରୁ ମୌଖିକ ଏବଂ ଲିଖିତ ଭାବେ ଆନ୍ଧ୍ର ପ୍ରଶାସନକୁ ଅବଗତ କରାଯାଥିଲା। ବୈଠକରେ ମୁଖ୍ୟତଃ ସୀମା ଚିହ୍ନଟ ଏବଂ ମାନଚିତ୍ରକୁ ଅନୁଧ୍ୟାନ କରାଯିବ। ଭୌଗଳିକ ଅବସ୍ଥିତି ସଂପର୍କରେ ବିସ୍ତୃତ ଆଲୋଚନା ହେବ ବୋଲି ଶୁଣିବାକୁ ମିଳିଛି।

ଓଡ଼ିଶାର ସୀମାନ୍ତ ଗାଁରେ ଆନ୍ଧ୍ରର ଅନୁପ୍ରବେଶ ଓଡ଼ିଶା ପାଇଁ ଆଦୌ ନୂଆ ଘଟଣା କିମ୍ବା ନୂଆ ବିବାଦ ନୁହେଁ। ପୂର୍ବରୁ ପଟାଙ୍ଗି ବ୍ଲକ୍‌ର କୋଟିଆ ପଞ୍ଚାୟତରେ ହକ୍‌ ଜାହିର କରିଥିବା ବେଳେ ଆପୋସ ଆଲୋଚନାରେ ସମାଧାନର ରାସ୍ତା ବାହାରିନାହିଁ। ତେଣୁ ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ସେହିପରି ପଟାଙ୍ଗି ବ୍ଲକ୍‌ ସମ୍ବାଇ ପଞ୍ଚାୟତ ଅନ୍ତର୍ଗତ ସୁନାବେଡ଼ା ଗାଁରେ ଜଙ୍ଗଲ ଜମିକୁ କେନ୍ଦ୍ର କରି ଦୁଇ ରାଜ୍ୟର ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଉତ୍ତେଜନା ବଢ଼ିବାରୁ ପଟାଙ୍ଗି ବ୍ଲକ୍‌ ପ୍ରଶାସନ ହସ୍ତକ୍ଷେପ କରିଥିଲା। ତେଣୁ ଆନ୍ଧ୍ର ଅଧିକାରୀଙ୍କୁ ଡକାଇ ଦୁଇ ରାଜ୍ୟର ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ବିବାଦର ସମାଧାନ ବଦଳରେ ଅଧିକ ବଢ଼ି ଯାଇଥିଲା। ଆନ୍ଧ୍ର ଅଧିକାରୀ ମଧ୍ୟ ସ୍ଥାୟୀ ସମାଧାନ ଚାହୁନଥିବା ସେହି ବୈଠକରେ ସ୍ପଷ୍ଟ ହୋଇଥିଲା। ପୂର୍ବ ଘଟଣାକୁ ବିଶ୍ଳେଷଣ କରି ଏଥର ମଧ୍ୟ ଆନ୍ଧ୍ର ଦୋମୁହାଁ ନୀତି ଆପଣାଇବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବରଙ୍କ କହିବା ହେଲା, ଅନେକ ଦିନ ପୂର୍ବରୁ ଆସନ୍ତାକାଲିର ବୈଠକ ସଂପର୍କରେ ଆନ୍ଧ୍ରର ଆଲ୍ଲୁରୀ ସୀତରାମ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଆସନ୍ତକାଲି ସକାଳ ୧୧ଟାରେ ବୈଠକ ହେବ ବୋଲି ସୂଚନା ଦିଆଯାଇଛି। ସୀମା ଚିହ୍ନଟ କରି ଅବଶ୍ୟ ସମସ୍ୟାର ସମାଧାନ କରାଯିବ। କିନ୍ତୁ ବୈଠକକୁ ନେଇ ପାଡେରୁ ଏମ୍‌ଆରଓ ତ୍ରିନାଥ ରାଓ ରାଇଡ଼ୁ ଭିନ୍ନ କଥା କହିଛନ୍ତି। ବୈଠକ ଏବଂ ସୀମା ସଂପର୍କରେ ଆଲୋଚନା ନେଇ କୌଣସି ଚିଠି ମିଳିନାହିଁ। ଯଦି ଉପରୁ ନିର୍ଦ୍ଦେଶ ଆସିବ ତେବେ ନିଶ୍ଚିତ ଆଲୋଚନା କରିବୁ ବୋଲି ଜଣାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।