ରାଜ୍ୟ

ଆଜି ମାତୃ ଦିବସ: ଜରାଶ୍ରମରେ ଲୁହ ଝରାଉଛି ମା’

ଭୁବନେଶ୍ବର(‌ଦେବାଶିଷ ପଣ୍ଡା): ଦୁଇ ଦୁଇଟା ପୁଅ ଜନ୍ମ କରିବା ପରେ ରୁକ୍ମିଣୀଙ୍କ ଆଉ ବେଶି କିଛି ଚିନ୍ତା ନଥିଲା। ଯେତେ କଷ୍ଟ ପଡ଼ିଲେ ବି ପିଲା ଦୁହିଁଙ୍କୁ କାଖେଇ, କୋଳେଇ ମଣିଷ କରିବାରେ କେବେ କିଛି ଊଣା କରି ନଥିଲେ। ଅଭାବ, ଅସୁବିଧାର ରୂପ କେମିତି; କେବେ ସେମାନଙ୍କୁ ଅନୁଭବ କରାଇ ଦେଇନଥିଲେ। କିନ୍ତୁ ପରିଣତ ବୟସରେ ତାଙ୍କ ଉପରେ ଯେ ଏମିତି ଦୁଃଖର ବାଦଲ ଅଜାଡ଼ି ହୋଇପଡ଼ିବ, ସେ କଳ୍ପନା ସୁଦ୍ଧା କରି ନଥିଲେ। ଦୁଇ ଦୁଇଜଣ ଭେଣ୍ଡିଆ ପୁଅ ଥାଉଥାଉ ପରିଣତ ବୟସରେ ସେ ବୃଦ୍ଧାଶ୍ରମରେ ଦିନ କଟାଉଛନ୍ତି। ପୁଅ ଦୁହିଁଙ୍କ ଯେ ଆର୍ଥିକ ଅବସ୍ଥା ଖରାପ, ତା’ ନୁହେଁ। ବୋହୂ ସହ ବଡ଼ପୁଅ ବେଙ୍ଗାଲୁରୁରେ ଓ ସାନପୁଅ-ବୋହୂ ଗାଁରେ ରହୁଛନ୍ତି। କିନ୍ତୁ ୧୦ ମାସ ୧୦ ଦିନ ଗର୍ଭରେ ରଖିଥିବା ମା’କୁ ପାଖରେ ରଖିବାକୁ ଦୁହେଁ ନାରାଜ। ରୁକ୍ମିଣୀ ବି ତାଙ୍କଠାରୁ ଆଉ ବେଶି କିଛି ଆଶା ରଖିନାହାନ୍ତି କି ସେମାନଙ୍କୁ ମନେମନେ ଅଭିଶାପ ବି ଦେଇନାହାନ୍ତି।

ଖାଲି ଗୋଟିଏ ଇଚ୍ଛା, ଶେଷ ସମୟ ବେଳେ ନାତି-ନାତୁଣୀଙ୍କ ମୁହଁ ଟିକେ ଦେଖିବେ। ପାଣ୍ଡରାସ୍ଥିତ ଉତ୍କଳମଣି ଗୋପବନ୍ଧୁ ବୃଦ୍ଧାଶ୍ରମରେ ରହୁଥିବା ରୁକ୍ମିଣୀ ଏଇ କେଇ ପଦ କଥା କହୁ କହୁ ତାଙ୍କ ଆଖିଲୁହ ବୋଲ ମାନି ନଥିଲା।
ଜଗତ୍‌ସିଂହପୁର ଜିଲ୍ଲା ବାଲିପାଟଣା ଅଞ୍ଚଳର ରକ୍ମିଣୀ କୁଣ୍ଡୁଙ୍କୁ ବୟସ ୭୫ ଛୁଇଁଲାଣି। ଏ ପରିଣତ ବୟସରେ ବି ସେ ନିଜ ନିତ୍ୟକର୍ମ ନିଜେ କରୁଥିଲେ ହେଁ ବିଭିନ୍ନ ରୋଗ ତାଙ୍କୁ ମାଡ଼ି ବସିଛି। ଆଣ୍ଠୁଗଣ୍ଠି ଯନ୍ତ୍ରଣା ତାଙ୍କୁ ଅଥୟ କରୁଛି। ବୃଦ୍ଧାଶ୍ରମକୁ ଆସିବା ପୂର୍ବରୁ ବି ତାଙ୍କର ଏ ରୋଗ ଥିଲା। ସେତେବେ‌ଳେ ସେ ଗାଁରେ ସାନପୁଅ ପାଖରେ ରହୁଥିଲେ। କିନ୍ତୁ ତାଙ୍କୁ ଔଷଧ ଦେବା ତ ଦୂରର କଥା, ପୁଅ-ବୋହୂ ଖାଇବାକୁ ମୁଠେ ଦେବାରେ ବି ହେଳା କଲେ। ଦିନଦିନ ଧରି ଭୋକ ଉପାସରେ ପକାଇ ରଖିଲେ। ଭୋକ ଯନ୍ତ୍ରଣାଠୁ ଅବହେଳାର ଯନ୍ତ୍ରଣା ତାଙ୍କୁ ଭିତରୁ ଭିତରୁ ଦୁର୍ବଳ କରିଦେଲା। ତେଣୁ ସ୍ବାଭିମାନୀ ରୁକ୍ମିଣୀ ଦିନେ ଏକମୁହାଁ ହୋଇ ଭୁବନେଶ୍ବର ଚାଲି ଆସିଲେ। କିଛି ଦିନ ଏଠି ରାସ୍ତାକଡ଼ରେ ଆଶ୍ରା ନେବା ପରେ ଜଣେ ବାବୁ ତାଙ୍କୁ ଏଇ ଆଶ୍ରମର ଠିକଣା ଦେଇ ବାଟେଇ ଦେଇଥିଲେ। ଦୁଇ ମାସ ହେବ ସେ ଏଇଠି ଅଛନ୍ତି।

ଦୁଇ ପୁଅ ଓ ଦୁଇ ଝିଅଙ୍କୁ ନେଇ ରୁକ୍ମିଣୀଙ୍କ ସଂସାର। ଝିଅ ଦୁଇଟିଙ୍କୁ ବାହା ଦେଇସାରିଛନ୍ତି। ସ୍ବାମୀ ୨୦ ବର୍ଷ ହେଲା ଆରପାରିକୁ ଚାଲି ଯାଇଛନ୍ତି। ଦୁଇ ପୁଅଙ୍କ ପାଖରେ ଶେଷ ଜୀବନ ଖୁସିରେ କଟାଇବା ପାଇଁ ମନରେ ଅନେକ ଆଶା ବାନ୍ଧିଥିଲେ। ହେଲେ ବଡ଼ପୁଅ-ବୋହୂ ବେଙ୍ଗାଲୁରୁ ଚାଲିଯିବା ପରେ ସେ ସାନପୁଅ-ବୋହୂଙ୍କ ପାଖରେ ରହୁଥିଲେ। କିନ୍ତୁ ସେମାନଙ୍କ ହତାଦର, ଅତ୍ୟାଚାରରେ ଅତିଷ୍ଠ ହୋଇ ରୁକ୍ମିଣୀଙ୍କୁ ବାଧ୍ୟ ହୋଇ ଘର ଛାଡ଼ିବାକୁ ପଡ଼ିଛି।

କେବଳ ରୁକ୍ମିଣୀ ନୁହଁନ୍ତି, ଏହି ବୃଦ୍ଧା‌ଶ୍ରମରେ ରହୁଥିବା‌ ଅନ୍ୟ ଜଣେ ୮୦ ବର୍ଷୀୟ ଅନ୍ତେବାସୀ ମାଳି ଦାସଙ୍କର ମଧ୍ୟ ସମାନ ଅବସ୍ଥା। କାନକୁ ଶୁଭୁନି କି ଆଖିକୁ ଭଲ ଦେଖାଯାଉନି। ପୁଅ-ବୋହୂ ଘରୁ ତଡ଼ି ଦେବାରୁ ପୁରୀର ଏକ ଆଶ୍ରମରେ ଆଶ୍ରୟ ନେଇଥିଲେ। ସେ ଆଶ୍ରମ ବନ୍ଦ ହୋଇଯିବାରୁ ଏବେ ଏଠାରେ ମୁଣ୍ଡ ଗୁଞ୍ଜିଛନ୍ତି। ଜଗତସିଂହପୁର ଜିଲ୍ଲା ଯ‌ଶୋବନ୍ତପୁରର ମାଳି ଦାସଙ୍କ କହିବା କଥା, ସେ ୫ କେଜି ଚାଉଳ ଓ ୫ଶହ ଭତ୍ତା ଟଙ୍କ ପାଉଥିଲେ। ସେଇ ଟଙ୍କା ଓ ଚାଉଳ ପୁଅ-ବୋହୂ ନେଇ ଯାଉଥିଲେ। କିନ୍ତୁ ଖାଇବାକୁ ମୁଠେ ବି ଦେଉ ନଥିଲେ। ୟା ତା’ ଘର ବୁଲି ଖାଉଥିଲେ ବୋଲି କୋହଭରା କଣ୍ଠରେ କହିଛନ୍ତି। ବୃଦ୍ଧାଶ୍ରମର ପରିଚାଳକ ବିଚିତ୍ରାନନ୍ଦ ଖୁଣ୍ଟିଆଙ୍କ କହିବାନୁସାରେ, ଏଠି ୧୦ରୁ ଅଧିକ ବୃଦ୍ଧା ରହୁଛନ୍ତି। ସମସ୍ତେ ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଘର ଛାଡ଼ିଛନ୍ତି। ପିଲା-ଛୁଆଙ୍କୁ ଭାଳି ହୋଇ ଏମାନଙ୍କ ଆଖିଲୁହ ଆଖିରେ ଶୁଖିଯାଏ ସିନା, କିନ୍ତୁ କେବେ ତାଙ୍କ ପୁଅ-ବୋହୂ କି ଅନ୍ୟ ସଂପର୍କୀୟ ସେମାନଙ୍କୁ ଘରକୁ ଫେରାଇ ନେବାକୁ ଏଠାକୁ ଆସନ୍ତି ନାହିଁ। ଜଣେ ମା’ କିମ୍ବା ବାପା ପାଇଁ ୟା’ଠୁ ବଳି ଦୁଃଖ ଆଉ କ’ଣ ଥାଇପାରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।