ଅନୁଗୁଳ: ପାଖାପାଖି ୨୪ ବର୍ଷ ହେଲା ଓଡ଼ିଶା ମୁଖ୍ୟମନ୍ତ୍ରୀ ବଦଳିନାହାନ୍ତି। ଅନୁଗୁଳରେ ୧୯ ବର୍ଷ ହେଲା ରଜନୀକାନ୍ତ ସିଂହ ଜିତି ଆସୁଛନ୍ତି। ତାଳଚେରରେ ୨୦୦୯ରୁ ବିଧାୟକ ଅଛନ୍ତି ବ୍ରଜ କିଶୋର ପ୍ରଧାନ। ଗତ ଦୁଇପାଳି ହେଲା ଛେଣ୍ଡିପଦାରେ ସୁଶାନ୍ତ ବେହେରା ଜିତୁଥିଲାବେଳେ ହାଟ୍ରିକ୍ ଅପେକ୍ଷାରେ ଅଛନ୍ତି। ନିଜ ନିର୍ବାଚନମଣ୍ଡଳୀରେ ନେତାମାନଙ୍କ ଏହି ପ୍ରଭାବ ଭିତରେ ପାଳଲହଡ଼ାରେ କିନ୍ତୁ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଛି। ୧୯୯୦ ପରଠାରୁ ଏଠାରେ କୌଣସି ବ୍ୟକ୍ତି ଲଗାତାର ଦୁଇଥର ବିଧାୟକ ହୋଇନାହାନ୍ତି। ବିଧାୟକ ଜିତିଥିବା ନେତାଙ୍କୁ ତାଙ୍କ ଦଳ ଦ୍ବିତୀୟ ଥର ପାଇଁ ଭରସା କରିପାରୁନି। ଯାହାକୁ ବି ଟିକଟ୍ ଦେଇଛି, ନିରାଶ ହୋଇଛି। ତେଣୁ ୧୯୯୦ ପରଠାରୁ ୬ ଅଲଗା ଅଲଗା ନେତାଙ୍କୁ ବିଧାୟକ ଭାବେ ପଠାଇଛି ପାଳଲହଡ଼ା। ବଡ଼ କଥା ହେଲା, ଏହି ବିଧାୟକଙ୍କ ଭିତରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନେତା ଅଛନ୍ତି।
ଅନୁଗୁଳ ଜିଲ୍ଲାର ପାଳଲହଡ଼ା ବିଧାନସଭା ଆସନରୁ ୨୦୧୯ରେ ବିଜେଡିର ମୁକେଶ ପାଳ ବିଜୟୀ ହୋଇ ପ୍ରଥମ ଥର ପାଇଁ ବିଧାନସଭାକୁ ଯାଇଛନ୍ତି। ତାଙ୍କ ପୂର୍ବରୁ ବିଜେଡି ମହେଶ ସାହୁଙ୍କୁ ଏଠାରୁ ଟିକଟ୍ ଦେଇଥିଲା। ସେ ମଧ୍ୟ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ରେ ତାଙ୍କୁ ଭରସା ନ କରି ଯୁବନେତାଙ୍କୁ ଦଳ ପସନ୍ଦ କରିଥିଲା। ଏହା ପୂର୍ବରୁ ମଧ୍ୟ ସମାନ ଦଶା ଭୋଗିଥିଲେ ରବିନାରାୟଣ ପାଣି। ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ବିଜେଡି ରବିନାରାୟଣ ପାଣିଙ୍କୁ ଟିକଟ୍ ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହରାଇ ପ୍ରଥମ ଥର ପାଇଁ ବିଧାନସଭାକୁ ଯାଇଥିଲେ। ଦଳ ତାଙ୍କୁ ବିଧାନସଭାର ମୁଖ୍ୟ ସଚେତକ ପଦ ଦେଇଥିଲା। ହେଲେ ୨୦୧୪ରେ ତାଙ୍କ ଟିକେଟ୍ କାଟି ମହେଶ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ୩ଟି ଯାକ ନିର୍ବାଚନରେ ପ୍ରାର୍ଥୀ ବଦଳାଇବାର ଧାରା ଜାରି ରଖିଛି ବିଜେଡି। କୌଣସି ବିଧାୟକଙ୍କୁ ଦଳ ପୁଣି ଥରେ ଟିକେଟ୍ ନ ଦେଇ ରିସ୍କ୍ ନେଇ ସଫଳ ହେଉଛି।
୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ କରି ନିର୍ବାଚନକୁ ଓହ୍ଲାଇଥିବାରୁ ଏହି ପାଳଲହଡ଼ା ଆସନ ବିଜେପି ଭାଗରେ ପଡ଼ିଥିଲା। ସେତେବେଳେ ଏହି ଆସନରୁ ବିଜେପିର ଯୁବନେତା ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୦୪ରେ କିନ୍ତୁ ସେ ଆସନ ବଦଳାଇ ଦେବଗଡ଼ ଲୋକସଭା ଆସନରୁ ଲଢ଼ିଥିଲେ। ଏଠାରେ ଦଳ ବରିଷ୍ଠ ନେତା ଦେବେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା। ହେଲେ କଂଗ୍ରେସରୁ ପ୍ରାର୍ଥୀ ହୋଇ ନୃସିଂହ ସାହୁ ଏହି ଆସନରୁ ଜିତିଥିଲେ। ୨୦୦୦ରୁ ୨୦୧୯ ଭିତରେ ପାଳଲହଡ଼ା ଆସନରୁ ବିଜେପି ଓ କଂଗ୍ରେସ ଥରେ ଲେଖାଏଁ ବିଜୟୀ ହୋଇଥିଲାବେଳେ ବିଜେଡି ୩ ଥର ବିଜୟୀ ହୋଇଛି। ୫ଟି ଯାକ ନିର୍ବାଚନରେ ନୂଆ ନେତା ବିଧାନସଭାକୁ ଯାଇଛନ୍ତି। ୧୯୯୦ରେ ପାଳଲହଡ଼ା ଆସନରୁ କଂଗ୍ରେସକୁ ହରାଇ ଜନତା ଦଳର ପ୍ରାର୍ଥୀ ନୃସିଂହ ସାହୁ ବିଧାନସଭାକୁ ଯାଇଥିଲେ। ସେତେବେଳେ ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଜନତା ଦଳ ରାଜ୍ୟରେ ସରକାର ଗଠନ କରିଥିଲା। ୧୯୯୫ରେ ସରକାର ପରିବର୍ତ୍ତନ ହେବା ସହ ପାଳଲହଡ଼ା ବିଧାୟକ ମଧ୍ୟ ବଦଳିଥିଲେ। କଂଗ୍ରେସର ବିଭୁଧେନ୍ଦ୍ର ପ୍ରତାପ ଦାସଙ୍କୁ ଲୋକେ ବିଧାୟକ ଭାବେ ନିର୍ବାଚିତ କରିଥିଲେ। ଏହା ପୂର୍ବରୁ ୧୯୮୫ରେ ମଧ୍ୟ ବିଭୁଧେନ୍ଦ୍ର ବିଜୟୀ ହୋଇଥିଲେ।