ତିରୁଅନନ୍ତପୁରମ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତିରୁଅନନ୍ତପୁରମ୍ଠାରେ ବିକ୍ରମ ସରାଭାଇ ସ୍ପେସ ସେଣ୍ଟର (ଭିଏସ୍ଏସ୍ସି) ପରିଦର୍ଶନ କରି ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର ଏସ୍ଏଲ୍ଭି ଇଣ୍ଟିଗ୍ରେସନ୍ ଫାସିଲିଟି (ପିଆଇଏଫ୍), ମହେନ୍ଦ୍ରଗିରିସ୍ଥିତ ଇସ୍ରୋ ପ୍ରପଲସନ୍ କମ୍ପ୍ଲେକ୍ସରେ ନୂତନ ‘ସେମି-କ୍ରାୟୋଜେନିକ୍ସ ଇଣ୍ଟିଗ୍ରେଟେଡ୍ ଇଞ୍ଜିନ୍ ଆଣ୍ଡ ଷ୍ଟେଜ୍ ଟେଷ୍ଟ୍ ଫାସିଲିଟି’; ଏବଂ ତିରୁଅନନ୍ତପୁରମ୍ର ଭିଏସ୍ଏସ୍ସିଠାରେ ‘ଟ୍ରାଇସୋନିକ୍ ୱିଣ୍ଡ ଟନେଲ୍’ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଗଗନଯାନ ମିସନର ଅଗ୍ରଗତି ସମୀକ୍ଷା କରିବା ସହ ୪ ଜଣ ମହାକାଶଚାରୀଙ୍କୁ ‘ମହାକାଶଚାରୀ ୱିଙ୍ଗ୍’ ପ୍ରଦାନ କରିଥିଲେ। ସେମାନେ ହେଉଛନ୍ତି- ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟାର, ଗ୍ରୁପ୍ କ୍ୟାପ୍ଟେନ୍ ଅଜିତ କ୍ରିଷ୍ଣନ୍, ଗ୍ରୁପ୍ କ୍ୟାପ୍ଟେନ୍ ଅଙ୍ଗଦ ପ୍ରତାପ ଓ ୱିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଳା। ପ୍ରତ୍ୟେକ ଦେଶର ବିକାଶ ଯାତ୍ରାର ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ଥାଏ ଯାହା କେବଳ ବର୍ତମାନ ନୁହେଁ ବରଂ ଭବିଷ୍ୟତ ପିଢ଼ିକୁ ପରିଭାଷିତ କରିଥାଏ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଭାରତ ପାଇଁ ଏପରି ଏକ ଅବସର ଆସିଛି ଯେତେବେଳେ ବର୍ତ୍ତମାନର ପିଢ଼ି ସ୍ଥଳ, ବାୟୁ, ଜଳ ଏବଂ ମହାକାଶରେ ରାଷ୍ଟ୍ରର ଐତିହାସିକ ସଫଳତା ପାଇଁ ଗର୍ବ କରିପାରିବେ।
ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ପ୍ରଥମ ରାଷ୍ଟ୍ର ହୋଇଥିବାରୁ ଭାରତର ଚନ୍ଦ୍ରଯାନ ସଫଳତାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ଆଜି ଶିବ-ଶକ୍ତି ପଏଣ୍ଟ ସମଗ୍ର ବିଶ୍ୱକୁ ଭାରତୀୟ ଦକ୍ଷତା ସହିତ ପରିଚିତ କରୁଛି ବୋଲି ସେ କହିଛନ୍ତି। ମହାକାଶଚାରୀ ଭାବେ ମନୋନୀତ ୪ ଜଣ ଗଗନଯାନ ଯାତ୍ରୀଙ୍କ ପରିଚୟ ଏକ ଐତିହାସିକ ଅବସର ବୋଲି ସେ କହିଛନ୍ତି। ସେମାନେ କେବଳ ଚାରିଟି ନାମ କିମ୍ବା ବ୍ୟକ୍ତି ନୁହନ୍ତି, ସେମାନେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାକୁ ମହାକାଶକୁ ନେବାର ଚାରିଟି ‘ଶକ୍ତି’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ ଜଣେ ଭାରତୀୟ ୪୦ ବର୍ଷ ପରେ ମହାକାଶକୁ ଯାଉଛନ୍ତି। କିନ୍ତୁ ଏବେ ସମୟ, କାଉଣ୍ଟଡାଉନ୍ ଓ ରକେଟ୍ ଆମ ପାଖରେ ରହିଛି। ମହାକାଶଚାରୀମାନଙ୍କୁ ଭେଟି ବା ପରିଚିତ କରାଇବାରେ ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ ସମଗ୍ର ଦେଶ ତରଫରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ମହାକାଶଚାରୀମାନଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ନାମ ଭାରତର ସଫଳତା ସହିତ ଯୋଡ଼ି ହୋଇଛି ଏବଂ ସେମାନେ ଆଜିର ଭାରତର ‘ବିଶ୍ୱାସ, ସାହସ, ବୀରତ୍ୱ ଓ ଶୃଙ୍ଖଳା’ର ପ୍ରତୀକ। ସେମାନେ ଭାରତର ଅମୃତ ପିଢ଼ିର ପ୍ରତିନିଧି ଯିଏ କେବେ ବି ହାର ମାନି ନ ଥାନ୍ତି ଏବଂ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମନା କରିବାର ଶକ୍ତି ପ୍ରଦର୍ଶନ କରନ୍ତି। ଏହି ଅଭିଯାନ ପାଇଁ ଏକ ସୁସ୍ଥ ଶରୀର ଏବଂ ସୁସ୍ଥ ମନର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରଶିକ୍ଷଣ ମଡ୍ୟୁଲର ଅଂଶ ଭାବରେ ଯୋଗର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ।
ଗଗନଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଗଗନଯାନର ଅଧିକାଂଶ ଉପକରଣ ‘ମେଡ୍ ଇନ୍ ଇଣ୍ଡିଆ’ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ଭାରତର ମହାକାଶ କାର୍ଯ୍ୟକ୍ରମରେ ନାରୀଶକ୍ତିର ଭୂମିକାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚନ୍ଦ୍ରଯାନ ହେଉ କିମ୍ବା ଗଗନଯାନ, ମହିଳା ବୈଜ୍ଞାନିକଙ୍କ ବିନା ଏଭଳି ପ୍ରକଳ୍ପର କଳ୍ପନା କରାଯାଇପାରିବ ନାହିଁ। ଇସ୍ରୋରେ ୫୦୦ରୁ ଅଧିକ ମହିଳା ଗୁରୁତ୍ବପୂର୍ଣ୍ଣ ପଦବୀରେ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରୋ ଟିମ୍କୁ କହିଛନ୍ତି, ଆପଣମାନେ ସମସ୍ତେ ଭବିଷ୍ୟତର ସମ୍ଭାବନାର ନୂଆ ଦ୍ୱାର ଖୋଲୁଛନ୍ତି। ଆକଳନ ଅନୁଯାୟୀ ଭାରତର ମହାକାଶ ଅର୍ଥନୀତି ପାଞ୍ଚଗୁଣ ବୃଦ୍ଧି ପାଇବ ଏବଂ ଆଗାମୀ ୧୦ ବର୍ଷ ମଧ୍ୟରେ ୪୪ ବିଲିୟନ ଡଲାର ଛୁଇଁବ। ମହାକାଶ କ୍ଷେତ୍ରରେ ଭାରତ ଏକ ବିଶ୍ବ ବ୍ୟବସାୟିକ କେନ୍ଦ୍ରରେ ପରିଣତ ହେଉଛି। ଆଗାମୀ ଦିନରେ ଭାରତ ପୁଣି ଥରେ ଚନ୍ଦ୍ରକୁ ଯିବ। ଶୁକ୍ର ମଧ୍ୟ ରାଡାରରେ ଅଛି। ୨୦୩୫ ସୁଦ୍ଧା ଭାରତର ନିଜସ୍ୱ ମହାକାଶ ଷ୍ଟେସନ ରହିବ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହି ଅମୃତ କାଳରେ ଜଣେ ଭାରତୀୟ ମହାକାଶଚାରୀ ଭାରତୀୟ ରକେଟରେ ଚନ୍ଦ୍ରରେ ଅବତରଣ କରିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ଏବଂ ମହାକାଶ ବିଭାଗ ସଚିବ ତଥା ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ଉପସ୍ଥିତ ଥିଲେ।