ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ‘‘ଦଳିତ ବୋଲି ଆମ ଉପରେ ଅନ୍ୟାୟ କରାଯାଉଛି। ମା’ ସମଲେଶ୍ବରୀଙ୍କ ପାଖରେ ସମସ୍ତେ ସମାନ। କିନ୍ତୁ ତାଙ୍କରି ନାଁରେ ନିର୍ମାଣ ହେଉଥିବା ପ୍ରକଳ୍ପରେ ବିସ୍ଥାପିତଙ୍କୁ ଥଇଥାନ ଜାତିଭେଦ ଆଧାରରେ କରାଯାଉଛି। ସରକାର ନିଜେ ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା ତ ଭୁଲି ସାରିଛନ୍ତି, ହାଇକୋର୍ଟର ଆଦେଶକୁ ମଧ୍ୟ ଖାତିର୍ କରୁନାହାନ୍ତି।’’ ସମ୍ବଲପୁର ଜିଲ୍ଲା ପ୍ରଶାସନ ବିରୋଧରେ ଏଭଳି ଅଭିଯୋଗ କରି ନ୍ୟାୟ ପାଇଁ ଗତ ୮ ତାରିଖରୁ ଲୋୟର୍ ପିଏମ୍ଜିରେ ଘୁନଘୁଟିପଡ଼ା ଭୂମି ସୁରକ୍ଷା ସଂଘର୍ଷ ସମିତି ଅଧୀନରେ ଆନ୍ଦୋଳନ କରୁଥିବା ୭୨ ବିସ୍ଥାପିତ ପରିବାରଙ୍କ ଉପରେ ସରକାରଙ୍କ ଆଦୌ ଦୃଷ୍ଟି ପଡ଼ୁନାହିଁ। ସମଲେଶ୍ବରୀ ଯୋଜନାରେ ବିସ୍ଥାପିତ ହୋଇଥିବା ଏହି ପରିବାର ୧୩ ଦିନ ହେଲା ଦିନ-ରାତି ଆନ୍ଦୋଳନ ଚଳାଇଥିଲେ ହେଁ ସରକାରଙ୍କ ପକ୍ଷରୁ କୌଣସି ଅଧିକାରୀ ସେମାନଙ୍କ ସହ ପଦେ ଆଲୋଚନା କରିନାହାନ୍ତି। ଏହି ବିସ୍ଥାପିତଙ୍କ ଦୁଃଖ ସତେଯେମିତି ସରକାରଙ୍କ ପାଇଁ ମୂଲ୍ୟହୀନ। ଏହାକୁ ନେଇ ଏହି ବିସ୍ଥାପିତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଅଭିଯୋଗ ଅନୁଯାୟୀ, ସମଲେଶ୍ବରୀ ପ୍ରକଳ୍ପର ଥଇଥାନ ପ୍ୟାକେଜ୍ରେ ବିସ୍ଥାପିତ ହୋଇଥିବା ପୂଜକମାନଙ୍କୁ କ୍ଷତିପୂରଣ ବାବଦକୁ ୨୦ ଲକ୍ଷ, ପରିବହନ ଖର୍ଚ୍ଚ ୧ଲକ୍ଷ, ଘରଭଡ଼ା ବର୍ଷେ ପାଇଁ ୧୦ ହଜାର ଟଙ୍କା ଦିଆଯାଇଛି। କିନ୍ତୁ ଦଳିତ ପରିବାରଙ୍କୁ କ୍ଷତିପୂରଣ ବାବଦକୁ ୩ଲକ୍ଷ, ପରିବହନ ଖର୍ଚ୍ଚ ୧୦ ହଜାର ଏବଂ କେବଳ ୬ ମାସ ପାଇଁ ଘର ଭଡ଼ା ୨୫୦୦ଟଙ୍କା ଦିଆଯାଉଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏଭଳି ପାତରଅନ୍ତର ଆଦୌ ଗ୍ରହଣୀୟ ନୁହେଁ ବୋଲି ସେମାନେ କହିଛନ୍ତି। ସେମାନଙ୍କ କହିବା କଥା, ଖାଲି କ୍ଷତିପୂରଣ ନୁହେଁ, ସରକାରଙ୍କ ପକ୍ଷରୁ ଜମିପଟ୍ଟା ପ୍ରଦାନଠାରୁ ଥଇଥାନ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଏଭଳି ଅନ୍ୟାୟ କରାଯାଇଛି। ପୂଜକମାନଙ୍କୁ ସରକାର ନିଜେ ଡାକି ଘର ପଟ୍ଟା ଦେଇଛନ୍ତି। ସେମାନଙ୍କ ମନ୍ଦିର ପାଖ ଘର ମଧ୍ୟ ଭଙ୍ଗା ଯାଇନାହିଁ। କିନ୍ତୁ ଦଳିତ ଅଧିବାସୀଙ୍କ ୫୦୦ ମିଟର ଦୂରରେ ଥିବା ଘରକୁ ଭାଙ୍ଗି ଦିଆଯାଇଛି। ଥଇଥାନ ବ୍ୟବସ୍ଥା ବି ସର୍ବନିମ୍ନ ମୌଳିକ ସୁବିଧା ନଥିବା ୮ କିଲୋମିଟର ଦୂର ଅଞ୍ଚଳରେ କରାଯାଇଛି।
ସମ୍ବଲପୁରସ୍ଥିତ ଘୁନଘୁଟିପଡ଼ା ପ୍ରାୟ ୪୦୦ବର୍ଷର ପୁରୁଣା ବସ୍ତି। ମାତ୍ର ସରକାରଙ୍କ ପକ୍ଷରୁ ସେମାନଙ୍କୁ ଜମି ପଟ୍ଟା ପ୍ରଦାନରେ ଅବହେଳା କରାଯାଇଛି। ଏପରିକି ୨୦୦୦ ମସିହାରୁ ଘୁନଘୁଟି ପଡ଼ାର ୮୦ ପରିବାର ପଟ୍ଟା ପାଇଁ ଆବେଦନ କରିଥିଲେ ମଧ୍ୟ ଏହା ଦିଆଯାଇନଥିଲା। ତଥାକଥିତ ଉଚ୍ଚବର୍ଗର ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଯୋଜନା ଘୋଷଣାର କିଛି ମାସ ପୂର୍ବରୁ ଜମି ପଟ୍ଟା ଦିଆଯାଇଥିବା ଅଭିଯୋଗ ହୋଇଛି। ଉପଯୁକ୍ତ ଥଇଥାନ ବ୍ୟବସ୍ଥା ବିନା ସରକାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି। ସମଲେଶ୍ବରୀ ପ୍ୟାକେଜରେ ଏଭଳି ଅନ୍ୟାୟପୂର୍ଣ୍ଣ ଥଇଥାନ ବ୍ୟବସ୍ଥା ନେଇ ୨୦୨୧ ମସିହାରୁ ୭୨ବିସ୍ଥାପିତ ପରିବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିଛି ଦିନ ପୂର୍ବରୁ ହାଇକୋର୍ଟ ପକ୍ଷରୁ ଅଭିଯୋଗର ଶୁଣାଣି କରି ଏପ୍ରିଲ ୩ ତାରିଖ ସୁଦ୍ଧା ନିଜ ଆପତ୍ତି ସମ୍ପର୍କରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଜଣାଇବେ। ଜିଲ୍ଲାପାଳ ସେମାନଙ୍କ ଅଭିଯୋଗର ସନ୍ତୋଷଜନକ ଶୁଣାଣି ନକଲେ ସେମାନେ ପୁନର୍ବାର ହାଇକୋର୍ଟ ଆସିପାରିବେ ବୋଲି କୁହାଯାଇଥିଲା। ସେହି ଦୃଷ୍ଟିରୁ ଜିଲ୍ଲାପାଳ ବିସ୍ଥାପିତଙ୍କ ଅଭିଯୋଗର ଶୁଣାଣି ନକରିବା ପର୍ଯ୍ୟନ୍ତ ସେମାନଙ୍କ ଘର ଭଙ୍ଗା ଯିବା ଉଚିତ ନୁହେଁ। ମାତ୍ର ଇତିମଧ୍ୟରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଛି।
ଅନ୍ୟପକ୍ଷରେ, ସରକାରଙ୍କ ଏହି ଭେଦଭାବ ନୀତି ବିରୋଧରେ ଜାନୁଆରି ମାସରେ ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟୀକରଣର ବିସ୍ଥାପିତମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ୧୦ଦିନ ପର୍ଯ୍ୟନ୍ତ ଅନଶନ କରାଯାଇଥିଲା। ଆର୍ଡିସି ଏବଂ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନାରେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ପରିବାରକୁ ପୁନର୍ବାସ ପାଇଁ ବିଚାର କରାଯିବା, ବାକିଥିବା ୭୨ପରିବାରଙ୍କୁ ଚଉଁରାପଡ଼ାରେ ଆନୁଷଙ୍ଗିକ ସୁବିଧା ସହ ଥଇଥାନ, ୩ ଲକ୍ଷ ୨୦ ଲକ୍ଷ ଭଳି ଭେଦଭାବପୂର୍ଣ୍ଣ ପ୍ୟାକେଜ୍ ବଦଳରେ ସମସ୍ତଙ୍କୁ ସମାନ ସ୍ତରରେ ଆଣିବା, ବିସ୍ଥାପିତ ପରିବାରଙ୍କୁ ଉପଯୁକ୍ତି ପୁନର୍ବାସ ବିନା ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ନିଜ ନିଷ୍ପତ୍ତି ମଧ୍ୟ ସମ୍ବଲପୁର ପ୍ରଶାସନ ପାଳନ କରୁନଥିବା ଅଭିଯୋଗ ହୋଇଛି। ତେବେ ରାଜ୍ୟ ସରକାର ଏହି ବିସ୍ଥାପିତମାନଙ୍କ ସ୍ବର କେବେ ଶୁଣିବେ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମନ୍ବୟ ସମିତି ସହଯୋଗରେ ଘୁନଘୁଟିପଡ଼ା ଭୂମି ସୁରକ୍ଷା ସଂଘର୍ଷ ସମିତି ଏହି ଆନ୍ଦୋଳନ କରୁଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l