ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ୧୦୮ଟି ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ପ୍ରସ୍ତୁତ କରିଛି ଚାର୍ଜସିଟ । ୫-ଟି ସଚିବଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ଚାର୍ଜସିଟରେ ରହିବ । ଚାର୍ଜସିଟକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ସଚିବ କେଉଁ କ୍ଷମତାରେ ଜିଲ୍ଲା ଜିଲ୍ଲା ବୁଲୁଛନ୍ତି । ଏହାସହ କେଉଁ କ୍ଷମତାରେ ଓଡ଼ିଶାର ସବୁ କାମ ତାମିଲନାଡୁ ଲୋକଙ୍କୁ ଦେଉଛନ୍ତି । ଏ ପ୍ରସଙ୍ଗ ମଧ୍ୟ ଚାର୍ଜସିଟରେ ରହିବ । ସରକାରଙ୍କ ବିଫଳତା, ଦୁର୍ନୀତିରେ ଲିପ୍ତ ରହିବା ପ୍ରସଙ୍ଗ ଚାର୍ଜସିଟରେ ରହିବ । କୋଇଲା ଦୁର୍ନୀତି ଠାରୁ ଆରମ୍ଭ କରି ଲୁହା ଦୁର୍ନୀତି, ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଭଳି ପ୍ରସଙ୍ଗ ସହ ୧୦୮ ଦଫା ଚାର୍ଜସିଟ୍ ତିଆରି କରିଛି ବିଜେପି । ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଅନେକ ପ୍ରକାର ଦୁର୍ନୀତି ହୋଇଛି । ତେଣୁ ଏତେ ଦୁର୍ନୀତି ହୋଇଥିବାରୁ, ଯେଉଁ ଜିଲ୍ଲା ଏବଂ ଯେଉଁ ଅଞ୍ଚଳ ପାଇଁ ଯାହା ପ୍ରସଙ୍ଗ ଉଦ୍ଦିଷ୍ଟ ରହିଛି, ସେହି ଅଞ୍ଚଳରେ ତାହାକୁ ଗୁରୁତ୍ଵ ଦିଆଯିବ । ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଆରମ୍ଭ ହୋଇସାରିଛି ।
ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣା ଏବଂ ବିକ୍ଷୋଭ ଚାଲିଛି । ତେଣୁ ପଞ୍ଚାୟତ, ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ ଦିଆଯିବ । ବିଜେପିର ଚାର୍ଜସିଟ ଦାଖଲ ନେଇ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଅନେକ ଚାର୍ଜସିଟ ଦାଖଲ ହେଉଛି । ନିର୍ବାଚନୀ ବର୍ଷ ଅଛି ବିରୋଧୀ ଦଳ ସବୁ ଏଇଭଳି ଅଭିଯୋଗ କରିବେ । ଆମେ ଲୋକଙ୍କ ସହ ଅଛୁ । ନିର୍ବାଚନ ଆଗରୁ ଯେଉଁମାନେ ଲୋକମାନଙ୍କ ପାଖକୁ ଯାଉନଥିଲେ ସେମାନେ ତ କିଛି ପ୍ରସଙ୍ଗ ନେଇ କି ଯିବେ । ତେଣୁ ଏହି ଚାର୍ଜସିଟକୁ ଆଳ କରିବାକୁ ବିରୋଧୀ ଯୋଜନା କରିଛନ୍ତି । କେବଳ ନିର୍ବାଚନୀ ମାହୋଲ ବନାଇବା ପାଇଁ ପ୍ରୟାସ କରୁଛନ୍ତି । ଓଡ଼ିଶାରେ ବିଜୁ ଜନତାଦଳ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜନସାଧାରଣଙ୍କ ମନରେ ଦୃଢ଼ ମନୋବଳ ସୃଷ୍ଟି କରିଛି । ଆମେ କେବଳ କହୁନାହୁଁ ଯାହା କହୁ ତାହା କରୁଛୁ।