ତେଲକୋଇ/ରାଇସୁଆଁ : ପରିବାର ଲୋକେ ଘରେ ଶୋଇଥିବା ବେଳେ ଘର ଭାଙ୍ଗିଦେଲେ ହାତୀପଲ। ଘରର ଆସବାବପତ୍ର ନଷ୍ଟ କରିବା ସହ ଦୁଇବସ୍ତା ଚାଉଳ ଖାଇଦେଲେ। ଘର ଭାଙ୍ଗିଯିବା ପରେ ଏବେ ବର୍ଷାଦିନେ ହିନସ୍ତା ହେଉଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ରାଣୀବେଡ଼ା ଗ୍ରାମ ଭାଲିଆଗୋଡ଼ା ସାହିର ଦୋଳ ମହାନ୍ତଙ୍କ ପରିବାର। ହାତୀପଲଙ୍କ ଦାଉରୁ ବର୍ତ୍ତି ଯାଇଥିବା ଗୋଟିଏ ବଖରା ଘରେ ପରିବାରର ୬ ପ୍ରାଣୀ ମୁଣ୍ଡ ଗୁଞ୍ଜିଛନ୍ତି। ବାରଣ୍ଡାରେ ରୋଷେଇ କରି ଖାଉଛନ୍ତି। ଘଟଣାକୁ ୧୯ ଦିନ ବିତିଥିବା ବେଳେ ବନ ବିଭାଗ ପକ୍ଷରୁ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳି ନଥିବା ଦୋଳ କହିଛନ୍ତି। ସେହିପରି ପୁରୁଣାପାଣି ଜୁଆଙ୍ଗସାହି ଗୁରୁବାରୀ ଗୋପ଼ ପିଲାଛୁଆଙ୍କୁ ଧରି ରାତିରେ ଶୋଇଥିବା ବେଳେ ଏକ ୧୩ ଟିକିଆ ହାତୀପଲ ତାଙ୍କ ଝାଟିମାଟି ଘରର କାନ୍ଥ ଭାଙ୍ଗିଦେଲେ। ପୂର୍ବରୁ ସାମାନ୍ୟ ବର୍ଷା ହେଲେ ଘରେ ପାଣି ଗଳୁଥିଲା। ଏବେ ହାତୀ ଘର ଭାଙ୍ଗିଦେବା ପରେ ପିଲାଛୁଆଙ୍କୁ ଧରି ହଇରାଣ ହେଉଛନ୍ତି ଗୁରୁବାରୀ। କେବଳ ଦୋଳ ଓ ଗୁରୁବାରୀ ନୁହନ୍ତି ହାତୀ ପାଇଁ ଏଭଳି ଅନେକ ପରିବାର ବେଘର ହୋଇ ଦୁଃଖକଷ୍ଟରେ କାଳ କାଟୁଛନ୍ତି।
କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ବର୍ତ୍ତମାନ ୪୩ଟି ହାତୀ ଅଛନ୍ତି। ଏସବୁ ହାତୀ ୪ଟି ଦଳରେ ବିଭକ୍ତ ହୋଇ ବିଭିନ୍ନ ସ୍ଥାନରେ ଘୂରି ବୁଲୁଛନ୍ତି। ବିମଳା ସେକ୍ସନରେ ଦୁଇଟି ହାତୀପଲ ବୁଲୁଛନ୍ତି। ଗୋଟିଏ ଦଳରେ ୨୨ଟି ଓ ଅନ୍ୟ ଦଳରେ ୧୨ଟି ହାତୀ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ତାଳପଦା ସେକ୍ସନରେ ୭ଟି ଓ ତେଲକୋଇ ସେକ୍ସନରେ ୨ଟି ହାତୀ ଥିବା ଜଣାପଡ଼ିଛି। ସଞ୍ଜ ନଇଁବା ମାତ୍ରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛନ୍ତି। ଲୋକଙ୍କ ଘର ଭାଙ୍ଗିବା ସହ ଘରେ ସାଇତା ହୋଇ ରହିଥିବା ଧାନଚାଉଳ ଖାଇ ଦେଉଛନ୍ତି। ଗୋଟିଏ ପଟେ ବାସ ଉଜୁଡ଼ି ଯାଉଥିବା ବେଳେ ଅନ୍ୟପଟେ ବର୍ଷାଦିନ ପାଇଁ ଘରେ ସାଇତା ହୋଇ ରହିଥିବା ଧାନଚାଉଳ ହାତୀ ମୁହଁରେ ଯାଉଥିବାରୁ ଗରିବ ପରିବାର ଦହଗଞ୍ଜ ହେଉଛନ୍ତି। ସେହିପରି ବର୍ତ୍ତମାନ ଚାଷୀମାନେ ବିଲରେ ତଳି ପକାଇଛନ୍ତି। ଆଉ ଦିନ କେଇଟାରେ ତଳିରୁଆ କାମ ଆରମ୍ଭ ହେବ। ହେଲେ ହାତୀପଲ ବିଲରେ ପଶି ଧାନତଳି ନଷ୍ଟ କରିଦେଉଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

କିଛିଦିନ ହେବ ତେଲକୋଇ ଅଞ୍ଚଳରେ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ଲୋକଙ୍କ ଘରଦ୍ବାର ଭାଙ୍ଗି ରୋଷେଇ ଘରୁ ଭାତହାଣ୍ଡି ମଧ୍ୟ ଟାଣି ନେଉଛି। ଲୋକଙ୍କୁ ଦେଖିଲେ ମାରିବାକୁ ଗୋଡ଼ାଉଛି। ଗତକାଲି ରାତିରେ ଗୋଠଛଡ଼ା ଦନ୍ତାଟି ଜଟ ଗ୍ରାମରେ ପଶିଥିଲା। ଗିରିଧାରୀ ପ୍ରଧାନଙ୍କ ବାରଣ୍ଡାରେ ଥିବା ଧାନଚାଉଳ ବସ୍ତାକୁ ଟାଣି ଖାଇଥିଲା। ଗ୍ରାମବାସୀ ହୋହଲ୍ଲା କରି ହାତୀଟିକୁ ଘଉଡ଼ାଇ ଦେଇଥିଲେ। ପରେ ଦନ୍ତାଟି ନିକଟସ୍ଥ ଡିମିରିଆ ଗ୍ରାମରେ ପଶି ବୀରସିଂ ମୁଣ୍ଡାଙ୍କ ଝାଟିମାଟି ଘର ଭାଙ୍ଗି ଧାନ, ଚାଉଳ ଓ ହରଡ଼ ଖାଇଦେଇଛି। ବୀରସିଂ ଓ ତାଙ୍କ ସ୍ତ୍ରୀ ପଡ଼ୋଶୀ ଘରକୁ ଚାଲିଯିବାରୁ ଅଳ୍ପକେ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ପରେ ଦନ୍ତାଟି ଗ୍ରାମର ଦିଗାମ୍ବର ନାଏକଙ୍କ କବାଟ ଭାଙ୍ଗି ଘରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାକୁ ଘଉଡ଼ାଇ ଥିଲେ। ସକାଳେ ଚନ୍ଦ୍ରଶେଖରପୁର ଓ ଦୋବଲାପାଳ ଗାଁରେ ପଶି ପ୍ରଫୁଲ୍ଲ ସାହୁ ଓ ହେମନ୍ତ ସାହୁଙ୍କ ଧାନତଳି ନଷ୍ଟ କରିଛି। ତେଲକୋଇ ଅଞ୍ଚଳରେ ଗତ ଅଢ଼େଇବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ୮ଜଣଙ୍କ ମୃତ୍ୟୁ ଘଟିଛି। ହାତୀପଲ ୮୦୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିବା ସହ ଦୁଇହଜାର ଲୋକଙ୍କ ଫସଲ ନଷ୍ଟ କରିଛନ୍ତି। ହାତୀ ପାଇଁ ରାତିରେ ବିଜୁଳି କାଟ ହେଉଛି। ଅନ୍ଧାରିଆ ବର୍ଷାରାତିରେ ହାତୀଭୟ ରହୁଥିବାରୁ ସଞ୍ଜ ନଇଁଲେ ଘରେ ତାଟିକବାଟ ପଡ଼ିଯାଉଛି।